ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅନୁମତି ଦେଲାନି ଦିଲ୍ଲୀ ପୋଲିସ। ଚାଷୀମାନେ ଦିଲ୍ଲୀ, ରିଙ୍ଗରୋଡରେ ଏକ ବିଶାଳ ରାଲି କରିବାକୁ ଚାହୁଁଥିଲା ବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ କେଏମପି ରୋଡରେ ଏକ ଛୋଟ ରାଲି କରିବାକୁ କହିଛି। ପୋଲିସର ଏହି ପ୍ରସ୍ତାବକୁ ଚାଷୀ ପ୍ରତ୍ୟାଖାନ କରିଥିବା ଜଣାପଡ଼ିଛି। ତେବେ ଟ୍ରାକ୍ଟର ରାଲିକୁ ନେଇ ଅନ୍ତିମ ନିର୍ଣ୍ଣୟ ଚାଷୀମାନେ ହିଁ ନେବେ ବୋଲି କିଛି ଚାଷୀ ନେତା କହିଛନ୍ତି।

ଜାନୁଆରି ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ଆଜି ଦିଲ୍ଲୀ ପୋଲିସ ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ଟ୍ରାକ୍ଟର ରାଲିକୁ ନେଇ ଆଲୋଚନା ହୋଇଥିଲା।

ବୁଧବାର ସୁପ୍ରିମକୋର୍ଟରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମ୍ପର୍କିତ ଏକ ମାମଲାର ଶୁଣାଣି ହୋଇଥିଲା। ଏଥିରେ ରାଲିକୁ ନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବ ବୋଲି କୋର୍ଟ କହିଥିଲେ। ତେବେ ଆଜି ପୋଲିସ ଦେଇଥିବା ପ୍ରସ୍ତାବକୁ ଆନ୍ଦୋଳନରତ ଚାଷୀ ପ୍ରତ୍ୟାଖାନ କରିଛନ୍ତି। ତେବେ ଏବେ ଚାଷୀଙ୍କ ବିକଳ୍ପ କ’ଣ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି।

ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କର ଟ୍ରାକ୍ଟର ରାଲି କରିବାର ଯୋଜନା ରହିଛି। ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ ମାର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଚାଷୀ ଏଭଳି କରୁଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନରେ ପ୍ରାୟ ୫୦ ଦିନ ପରେ ପହଞ୍ଚିଲାଣି। ହେଲେ ଚାଷୀଙ୍କ ଦାବି ପୂରଣ କରୁନାହାନ୍ତି ସରକାର। ଦାବି ପୂରଣ ହେଉନଥିବାରୁ ଚାଷୀ ଧାରଣାରେ ବସିଛନ୍ତି। କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚାଷୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here