ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ): ଏଣିକି ରାସନ ପାଇଁ ଲୋକଙ୍କୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ଲୋକଙ୍କ ଘର ଆଗରେ ଚାରି ଚକିଆ ଯାନରେ ପହଞ୍ଚିବ ଆବଶ୍ୟକୀୟ ରାସନ ସାମଗ୍ରୀ। ଏଭଳି ଯୋଜନା ଆନ୍ଧ୍ରପ୍ରଦେଶ ସରକାର ଆଣିଛନ୍ତି। ‘ରାସନ ଡୋର ଡେଲିଭରି ଭେଇକିଲ୍ସ’ ନାଁରେ ଏହି ଯୋଜାନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ।

ପ୍ରଥମ ପର୍ଯ୍ୟାୟରେ ୯୨୬୦ ଟି ଚାରିଚକିଆ ଭ୍ୟାନକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।  ଏହି ଭ୍ୟାନ ଦ୍ୱାରା ରାଜ୍ୟର ୧ କୋଟି ୪୦ ଲକ୍ଷ ରାସନ ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡ଼ିଛି।

ଏହି ଚାରି ଚକିଆ ଯାନ  ଦ୍ୱାରା ରାସନ ସାମଗ୍ରୀ ପ୍ରତ୍ୟେକ ରାସନ ଉପଭୋକ୍ତାଙ୍କ ଘର ନିକଟରେ ପହଞ୍ଚି ସେଠାରେ ସେମାନଙ୍କ ସାମ୍ନାରେ ସମସ୍ତ ରାସନ ସାମଗ୍ରୀ ଓଜନ କରି ପ୍ରଦାନ କରିବ। ଏହି ଭ୍ୟାନରେ ଜଣେ ଭ୍ୟାନ କର୍ମଚାରୀ ଓ ସେହି ଅଞ୍ଚଳର ରାସନ ଡିଲର ଗାଡ଼ିରେ ରହିବେ।

ଭ୍ୟାନରେ ଜିପିଏସ୍‌ ଲଗାଯିବା ସହ  ଗୋଟିଏ କମ୍ପ୍ୟୁଟର ଓଜନ ମେସିନ ଓ  ଅନ୍ୟାନ୍ୟ ସମସ୍ତ ସୁବିଧା ରହିଛି, ଯାହା ଦ୍ୱାରା ଗାଡିର ଗତିବିଧି ଉପରେ ସମ୍ପୂର୍ଣ ନଜର ରଖାଯିବ। ଡିଲର ପ୍ରତ୍ୟେକ ଉପଭୋକ୍ତାଙ୍କ ଘରକୁ ଯାଇ ଆଧାର କାର୍ଡ ଯାଞ୍ଚ କରିବା ସହ ବାଓମେଟ୍ରିକ ମେସିନରେ ଟିପ ଚିହ୍ନ ନେଇ ରାସନ ପଦାନ କରିବେ।

ଏହି ଯୋଜନା କାର୍ଯ୍ୟକ୍ଷମ ହେବା ପରେ ଏଣିକି ରାସନ ସାମଗ୍ରୀର ସମଗ୍ର କଳାବଜାରକୁ ରୋକା ଯାଇପାରିବ। ସଠିକ ଉପଭୋକ୍ତାଙ୍କୁ ରାସନ ମିଳିପାରିବ ଓ ପ୍ରକୃତ ରାସନ ଉପଭୋକ୍ତାଙ୍କୁ ଚିହ୍ନଟ କରିବାରେ ସରକାରଙ୍କୁ ସହାୟକ ହୋଇପାରିବ।

ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ବର୍ଷ ୮୩୦ କୋଟି ଟଙ୍କା ଖର୍ଚ୍ଚ କରିବା ସହ ସମସ୍ତ ଉପଭୋକ୍ତାଙ୍କୁ ଉନ୍ନତ ମାନର ରାସନ ସାମଗ୍ରୀ  ପ୍ରଦାନ କରିବେ  ଜଗନମୋହନ ରେଡ୍ଡୀ କହିଛନ୍ତି। ଏହାସହିତ ଏହି ରାସନ ଗାଡ଼ିର ଉଦଘାଟନ ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାର ୯୨୬୦ ଜଣ ଡ୍ରାଇଭରଙ୍କୁ କାମ ଯୋଗାଇବାରେ ସରକାର ସକ୍ଷମ ହୋଇପାରିବେ।

Comment