ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଲାଗି ‘ବିଶ୍ୱ ଓଡ଼ିଶା’ ସମାଜ ପକ୍ଷରୁ ନବବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଧାନସଭା ବାଚସ୍ପତି ତଥା ‘ବିଶ୍ୱ ଓଡ଼ିଶା’ ସମାଜର ସଭାପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ।

‘‘ବିଶ୍ୱ ଓଡ଼ିଶା’ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ, ସମନ୍ୱୟ ରଖି ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବ ଏବଂ ଏହା ଆଗାମୀ ଦିନରେ ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଭାଷା, ସାହିତ୍ୟ, ସଂସ୍କୃତି, ଖାଦ୍ୟ ପାନୀୟ, ବେଶ ପୋଷାକ ତଥା ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରିବ’’, କହିଥିଲେ ଡକ୍ଟର ପାତ୍ର।

ସେହିପରି ନବବର୍ଷ ସଂକଳ୍ପ ଭାବରେ ଚଳିତ ବର୍ଷକୁ ‘ବିଶ୍ୱ ଓଡ଼ିଆ ସଦଭାବନା ବର୍ଷ’ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଡକ୍ଟର ପାତ୍ର ଏହାର ସ୍ମାରକ ଉନ୍ମୋଚନ କରିଥିଲେ। ଏହି ବର୍ଷ ପାଳନ ମାଧ୍ୟମରେ ଭାଷା, ସାହିତ୍ୟ, କଳା, ସଂସ୍କୃତି, ପର୍ଯ୍ୟଟନ ଆଦି ୫ଟି ବିଭାଗରେ ବିଶ୍ଵବ୍ୟାପୀ ପ୍ରଚାର, ପ୍ରସାର ଓ ବିନିମୟ କାର୍ଯ୍ୟକ୍ରମ କରାଯିବ।

ତେବେ ଏହି ବର୍ଷ ପାଳନକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବାଚସ୍ପତି ଡକ୍ଟର ପାତ୍ରଙ୍କ ପରାମର୍ଶରେ ୨୧ଟି ରାଷ୍ଟ୍ରରେ ‘ବିଶ୍ୱ ଓଡ଼ିଶା ସଦଭାବନା ବାର୍ତ୍ତାବହ’ ବା ଗୁଡଉଇଲ ଆମ୍ବାସାଡର ନିଯୁକ୍ତ କରାଯାଇଛି। ଏହାଦ୍ୱାରା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଦ୍‌ଭାବନା ପ୍ରତିଷ୍ଠା ପୂର୍ବକ ବିଭିନ୍ନ ବିକାଶ ଓ ବିନିମୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ‘ବିଶ୍ୱ ଓଡ଼ିଶା’ର କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୂର ପାଟସାହାଣୀ କହିଛନ୍ତି।

ବିଶ୍ୱ ଓଡ଼ିଶା ସଦଭାବନା ବାର୍ତ୍ତାବହ ଭାବରେ ଡକ୍ଟର ଅରୁଣ କୁମାର ପ୍ରହରାଜ (ବାହରିନ), କୁନା ଦାଶ (ଜାପାନ) ଶୀତଲ କୁମାର ପାଲବାବୁ (ମିଆଁମାର), ଡକ୍ଟର ଅଦ୍ରୀଶ ବ୍ରହ୍ମଦତ୍ତ (ଥାଇଲାଣ୍ଡ), ଦେବର୍ଷି ମଲିକ (ଇଣ୍ଡୋନେସିଆ), ଡକ୍ଟର ମଳୟ ନାୟକ (ଯୁକ୍ତରାଜ୍ୟ), ଅକ୍ଳେଶ ବିଭୁଦତ୍ତ (ଭିଏତନାମ), ସଞ୍ଜୀବ ବାରିକ (ଆୟରଲାଣ୍ଡ), ଚନ୍ଦ୍ରଶେଖର ଖୁଣ୍ଟିଆ (ଆରବ ଏମିରେଟସ),  ସୁବାସ ସାହୁ (ବାହାରିନ,ସଂସ୍କୃତି), ମାନସ ପ୍ରଧାନ (ଆରବ ଏମିରେଟସ ,ସଂସ୍କୃତି),  ସନ୍ତୋଷ ମିଶ୍ର (ରୁଷ), ସୁମିତା ସାହୁ (ଫିନଲାଣ୍ଡ), ଗିରିଜା ଶଙ୍କର ପାଢ଼ୀ (କୁଏତ), ମନତୋଷ ଶତପଥୀ (ତାଇୱାନ), ଦେବାଶିଷ ଶ୍ରୀଚନ୍ଦନ (ଇଟାଲି),  ସୁସ୍ମିତା ଜ୍ୟୋତିଷୀ (ଯୁକ୍ତରାଷ୍ଟ୍ର ଆମେରିକା), ସୌମ୍ୟା ପାଢ଼ୀ (କାନାଡ଼ା) ଦୀପ୍ତି ରଞ୍ଜନ ନନ୍ଦ (ମାଲେସିଆ) ମନ୍ମୟ ମହାନ୍ତି (ସାଉଥ ଆଫ୍ରିକା) ଓ ରମେଶ ବିଶ୍ୱାଳ (ନାଇଜେରିଆ)ଙ୍କୁ ରାଷ୍ଟ୍ର ପାଇଁ ବାର୍ତ୍ତାବହ ବା ସଦଭାବନା ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ଦିଆଯାଇଛି ବୋଲି ‘ବିଶ୍ୱ ଓଡ଼ିଶା’ର ସାଧାରଣ ସମ୍ପାଦକ ମନୋଜ ମନ୍ମୟ ସୂଚନା ଦେଇଛନ୍ତି।

ଏହି ସମସ୍ତ ରାଷ୍ଟ୍ରୀୟ ପ୍ରତିନିଧିଙ୍କୁ ନେଇ ‘ବିଶ୍ୱ ଓଡ଼ିଶା’ ଆନ୍ତର୍ଜାତିକ ପରିଷଦ ଗଠନ କରାଯାଇଛି। ବାହରିନ ଓଡ଼ିଆ ସାମାଜ ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ଅରୁଣ କୁମାର ପ୍ରହାରାଜଙ୍କୁ ଆନ୍ତର୍ଜାତିକ ଅଧ୍ୟକ୍ଷ ଏବଂ ପ୍ରବାସୀ ଓଡ଼ିଆ କଳିଙ୍ଗ ମିତ୍ର ସମାଜର ପ୍ରତିଷ୍ଠାତା ଡକ୍ଟର ଅଦ୍ରୀଶ ବ୍ରହ୍ମଦତ୍ତଙ୍କୁ ଆନ୍ତର୍ଜାତିକ ସମ୍ପାଦକ ଦାୟିତ୍ୱ ଅର୍ପଣ କରାଯାଇଛି।

ବିଶ୍ୱ ଓଡ଼ିଶାର ଏହି କାର୍ଯ୍ୟକ୍ରମରେ ଉପସଭାପତି ପ୍ରଫେସର ତାରା ପ୍ରସନ୍ନ ଶତପଥୀ, ଦିଲୀପ ରାୟ, ଡକ୍ଟର ଦ୍ୱୀପାୟନ ପଟ୍ଟନାୟକ, ମହାସଚିବ ତଥା ପୂର୍ବତନ ସିବିଆଇ ସ୍ୱତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ, ସାହିତ୍ୟ ପରିଷଦ ଅଧ୍ୟକ୍ଷା ଡକ୍ଟର ପ୍ରତିଭା ମହାରଥୀ, ମହିଳା ପରିଷଦ ଅଧ୍ୟକ୍ଷା ସୁଜାତା ପଶାୟତ, କୃଷି ପରିଷଦ ଅଧ୍ୟକ୍ଷ ପଞ୍ଚାନନ ଗୌଡ଼, କଳା ପରିଷଦ ଅଧ୍ୟକ୍ଷ ଶିଳ୍ପୀ କେଶୁ ଦାସ, ସମନ୍ୱୟ ସମ୍ପାଦିକା ଅଧ୍ୟାପିକା ମୀରା ବେଉରା ପ୍ରମୁଖ ଯୋଗଦେଇ ବର୍ଷ ୨୦୨୧ ପାଇଁ ନାନା ଯୋଜନା, ପ୍ରକଳ୍ପ ଆଦି ସମ୍ପର୍କରେ ଅବତାରଣା କରିଥିଲେ।

ଏଥିସହିତ ଭର୍ଚୁଆଲ ବୈଠକରେ ସମସ୍ତ ରାଷ୍ଟ୍ର ପ୍ରତିନିଧିଙ୍କ ସମେତ ପୁଷ୍ପାଞ୍ଜଳି ବାରିକ, ନୂଆଦିଲ୍ଲୀ, ଡକ୍ଟର ତନୁଶ୍ରୀ ପତ୍ରୀ, ଜାମସେଦପୁର, ପ୍ରଦୀପ କୁମାର ମହାନନ୍ଦିଆ, ଭୁବନେଶ୍ୱର, ଡକ୍ଟର ଦିବ୍ୟଶକ୍ତି ସାମନ୍ତରାୟ, ଆଠଗଡ଼ ପ୍ରମୁଖ ଯୋଗଦେଇଥିଲେ।

Comment