ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ମେ’ ମାସରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏନେଇ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି।

ଗତ ଲୋକସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ ସମ୍ଭାଳୁଛନ୍ତି।

ବିହାର ବିଧାନସଭା ନିର୍ବାଚନରେ ଓ ଅନ୍ୟ କେତେକ ରାଜ୍ୟର ଉପନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଥିଲା। ଏହାପରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କିମ୍ବା କପିଲ ଶିବଲଙ୍କୁ ଦଳର ଅଧ୍ୟକ୍ଷ କରାଯାଉ ଦାବି ହୋଇଥିଲା। ତେବେ ଆସନ୍ତା ନିର୍ବାଚନରେ ପୁଣି କିଏ ଦଳର ମୁଖିଆ ଭାବେ ଚୟନ ହେବେ ସେ ଉପରେ ସମସ୍ତଙ୍କ ଆଖି ରହିଛି।

ଅନ୍ୟପଟେ ଆଜି ବୈଠକରେ ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ବି ଖୁବ୍‌ ବର୍ଷିଛନ୍ତି। ମୋଦୀ ସରକାର ସମ୍ବେଦନହୀନତା ଓ ଅହଂକାରର ସବୁ ସୀମା ପାର୍‌ କରାଯାଇଛନ୍ତି ବୋଲି ସୋନିଆ କହିଛନ୍ତି।

‘‘୨ ମାସ ହେଲା ଚାଷୀ ଘର ଛାଡ଼ି ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। ମୋଦୀ ସରକାର ସେମାନଙ୍କ ଦାବି ପୂରଣ କରିବା ପରିବର୍ତ୍ତେ ଅତ୍ୟନ୍ତ ସମ୍ବେଦନହୀନତା ପ୍ରଦର୍ଶନ କରିଛନ୍ତି। ସରକାର ତରବରିଆ ଭାବେ କୃଷି ଆଇନ ପାସ୍‌ କରିଛନ୍ତି। ଚାଷୀଙ୍କୁ ଏହି ନୂଆ ନିୟମକୁ ବୁଝିବାକୁ ବି ସମୟ ଦିଆଯାଇନାହିଁ’’ କହିଛନ୍ତି ସୋନିଆ।

Comment