ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନ ଫିକା ପଡ଼ିଛି। ଧୀରେ ଧୀରେ ଚାଷୀ ଆନ୍ଦୋଳନରୁ ଚାଷୀ କମିବାକୁ ଲାଗିଲେଣି। ଦୁଇଟି ପ୍ରମୁଖ ଚାଷୀ ସଙ୍ଗଠନ ଆନ୍ଦୋଳନରୁ ଓହରି ଯାଇଥିଲା ବେଳେ ପୋଲିସ ବି ଚାଷୀଙ୍କୁ ହଟାଇବାକୁ ପ୍ରୟାସ ଜାରି ରଖିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହାରିମଧ୍ୟରେ ଚାଷୀଙ୍କ ବିରୋଧରେ ସ୍ଥାନୀୟ ଲୋକ ମଧ୍ୟ ତାତିଲେଣି।

ଦିଲ୍ଲୀ-ହରିଆଣା ମଧ୍ୟରେ ଥିବା ସିଙ୍ଘୁ ସୀମାରେ ଆଖପାଖ ୧୫ଟ ଗାଁର ଲୋକ ଚାଷୀ ଆନ୍ଦୋଳନ ବିରୋଧରେ ଏକାଠି ହୋଇଛନ୍ତି। ଏହି ଗାଁ ଲୋକମାନେ ତୁରନ୍ତ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଲାଲକିଲ୍ଲାରେ ଚାଷୀମାନେ ତ୍ରିରଙ୍ଗାକୁ ଅପମାନ କରିଥିବାରୁ ଗ୍ରାମବାସୀ ତାତି ଥିବା ଜଣାପଡ଼ିଛି। ଏମିତିକି ଗୁରୁବାର ଗାଁ ଲୋକ ଓ ଚାଷୀଙ୍କ ଭିତରେ ମୁହାଁମହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା।

ସେପଟେ ହିଂସାକାଣ୍ଡର ରୂପ ନେଇଥିବା ଚାଷୀ ଆନ୍ଦୋଳନ ବିରୋଧରେ ପୋଲିସ ତତ୍ପରତା ଦେଖାଇଛି। ଗୁରୁବାର ୪୪ ଜଣ ଚାଷୀ ନେତାଙ୍କ ବିରୋଧରେ ଲୁକଆଇଟ ନୋଟିସ ଜାରି କରିଛି ପୋଲିସ। ୩ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ କୁହାଯାଇଛି।

ସେହିପରି କୃଷି ଆଇନ ବିରୋଧରେ ବିରୋଧୀମାନେ ବି ସ୍ୱର ଏକାଠି କରିଛନ୍ତି। ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିଛନ୍ତି।

Comment