ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଜିଠୁ କେନ୍ଦ୍ର ବଜେଟ ଅଧିବଶେନ।
  • ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ
  • ଫେବ୍ରୁଆରି ୧୩ରେ ହେବ ଶେଷ
  • ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ବଜେଟ

ଆଜିଠୁ କେନ୍ଦ୍ର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଉଭୟ ଗୃହର ସଦସ୍ୟଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି। ନିଜର ଅଭିଭାଷଣରେ ରାଷ୍ଟ୍ରପତି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ସରକାରଙ୍କ ସଫଳତା ବିଷୟରେ କହିଛନ୍ତି।

ନୂଆ କୃଷି ଆଇନ ଚାଷୀଙ୍କୁ ଲାଭ ଦେବ

‘‘କୃଷକଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସ୍ୱାମୀନାଥମ ସୁପରିସ ଲାଗୁ କରି ଏମ୍‌ଏସପି ଦେଢ଼ଗୁଣା କରାଯାଇଛି। ଜଳସେଚନ ସୁବିଧା ବଢ଼ିଛି। ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ୨୦୧୪ରେ ୨୪୩ ମିଲିୟନ ଟନ୍‌ ଖାଦ୍ୟ ଉତ୍ପାଦନ ହେଉଥିଲା। ଏବେ ଦେଶର ଖାଦ୍ୟ ଉତ୍ପାଦନ ପରିମାଣ ୨୯୬ ଟନ’’, କହିଛନ୍ତି ରାଷ୍ଟ୍ରପତି।

ନୂଆ କୃଷି ଆଇନ ଚାଷୀଙ୍କୁ ଲାଭ ଦେବ। ଅନେକ ବିଚାରବିମର୍ଷ ପରେ ଏହି ଆଇନକୁ ପାରିତ କରାଯାଇଛି। ଏହି ଆଇନ ଫଳରେ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ। ଆଇନକୁ ନେଇ ଥିବା ଭ୍ରମକୁ ସରକାର ଦୂର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଇନ ବିରୋଧରେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ। ନୂଆ ଆଇନରେ ଚାଷୀଙ୍କୁ ବହୁ ଅଧିକାର ଦିଆଯାଇଛି ବୋଲି ସେ କହିଛନ୍ତି।

କରୋନା କାଳରେ ଭାରତ ଆଗକୁ ବଢ଼ିଛି

‘‘କରୋନା କାଳରେ ଏ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ। ଯେତେ ପରୀକ୍ଷା ଆସୁ ଭାରତ ଅଟକିବନି। ଯେବେବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି। ଆଜି ଭାରତ ଏକ ନୂଆ ସାମର୍ଥ୍ୟର ବିଶ୍ୱରେ ଆଗକୁ ବଢ଼ିଛି। କରୋନା କାଳରେ କେହି ଯେମିତି ଭୋକରେ ନରହିବେ ସେଥିପାଇଁ ବ୍ୟବସ୍ଥା ହୋଇଛି। ଲୋକଙ୍କୁ ମାଗଣା ରାସନ ଯୋଗା ଯାଇଛି। ଶ୍ରମିକମାନଙ୍କୁ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା। ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣାରେ ମିଳିଥିଲା। କରୋନା ଜଣାଇ ଦେଲା ଯେ ଆତ୍ମନିର୍ଭର ଜରୁରୀ’’, କହିଛନ୍ତି ରାଷ୍ଟ୍ରପତି।

ଭାରତରେ ଏବେ ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି। ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟକୁ ମିଳିଛି ଗୁରୁତ୍ୱ

ସେହିପରି ରାଷ୍ଟ୍ରପତି ଆୟୁଷ୍ମାନ ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନାରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ମିଳୁଛି। ସରକାର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨ଟି ମେଡିକାଲ କଲେଜ ଅଛି। ଦେଶରେ ଆଉ ୨୨ଟି ଏମ୍‌ସ ସ୍ଥାପନା କରାଯାଇଛି ବୋଲି କହିଛନ୍ତି ରାଷ୍ଟ୍ରପତି।

 ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଯୋଜନା

ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା ହାତକୁ ନିଆଯାଇଛି। ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ୨୦୧୪ରେ ମାତୃ ମୃତ୍ୟୁହାର ଲକ୍ଷେରେ ୧୩୦ ଥିଲା, ଏବେ ୧୧୩କୁ ହ୍ରାସ ଘଟିଛି। ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟହାର ବିଶ୍ୱରେ ୩୯, ଭାରତରେ ୩୬ ବୋଲି କହିଛନ୍ତି ରାଷ୍ଟ୍ରପତି।

କରୋନା ଭଳି ମୁସ୍କିଲ ସମୟରେ ବି ଭାରତ ନିବେଶକଙ୍କ ପ୍ରଥମ ପସନ୍ଦ ରହିଛି। ଏ ସମୟରେ ୩୬ ବିଲିଅନ ଡଲାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି କହିଛନ୍ତି ରାଷ୍ଟ୍ରପତି।

ଯବାନଙ୍କୁ ପ୍ରଶଂସା

ସୀମାରେ ଚୀନ୍‌ ସବୁବେଳେ ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରୁଛି। ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ଯବାନମାନେ ସାହସର ସହିତ ଦେଶପାଇଁ ସୀମାରେ ଲଢ଼ୁଛନ୍ତି। ଯବାନଙ୍କ ସାହସ ପାଇଁ ରାଷ୍ଟ୍ରପତି ସେମାନଙ୍କୁ ପ୍ରଶଂସା କରିଛନ୍ତି।

Comment