ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା କାଳରେ ପ୍ରଥମ ବଜେଟ୍‌
  • ମୋଟ୍‌ ୩୪.୮୩ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
  • ସ୍ୱାସ୍ଥ୍ୟକୁ ସବୁଠୁ ଅଧିକ ଗୁରୁତ୍ୱ
  • ଶିକ୍ଷା ପାଇଁ କଲେ ବଡ଼ ଘୋଷଣା
  • ଚାଷୀଙ୍କ ପାଇଁ ସରକାର ସମର୍ପିତ ବୋଲି କହିଲେ ନିର୍ମଳା ସୀତାରମଣ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟ୍‌ରେ ବିଭିନ୍ନ କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯାଇଛି। ତେବେ କେଉଁ ସେକ୍ଟର ପ୍ରତି କେତେ ଟଙ୍କା ବ୍ୟୟବରାଦ ହୋଇଛି ଜାଣନ୍ତୁ।

ସ୍ୱାସ୍ଥ୍ୟ ପାଇଁ ୨.୨୩ ଲକ୍ଷ କୋଟି

ଏଥର ବଜେଟରେ ସର୍ବପ୍ରଥମେ ସେ ସେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଏଥର ବଜେଟରେ ସ୍ୱାସ୍ଥ୍ୟ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ନିଜ ଅଭିଭାଷଣରେ କହିଛନ୍ତି ସୀତାରମଣ।

ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିବା ସହିତ ସେ ଆଜି ପିଏମ୍‌ ଆତ୍ମ ନିର୍ଭର ସୁସ୍ଥ ଭାରତ ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନାରେ ଆଗମୀ ୬ ବର୍ଷରେ ୬୪,୧୮୦ କୋଟି ଖର୍ଚ୍ଚ କରିବେ ସରକାର। ସେହିପରି କେନ୍ଦ୍ର ସରକାର ଏଥର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ବଜେଟ ଘୋଷଣା କରିଛନ୍ତି, ଯାହାକି ଗତ ବଜେଟଠାରୁ ୧୩୭ ପ୍ରତିଶତ ଅଧିକ।

  • ମିଶନ ପୋଷଣ-୨.୦ର ଆରମ୍ଭ।
  • ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ପରୀକ୍ଷାଗାର ହେବ।୧୨୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ।
  • କୋଭିଡ ଟିକା ଉତ୍ପାଦନ ପାଇଁ ୩୫୦୦୦ କୋଟି।
  • ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୮୭ କୋଟି ବ୍ୟୟବରାଦ।
  • ନାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଓ୍ୱାର୍ଲ୍ଡ ହେଲ୍‌ଥ ପ୍ରତିଷ୍ଠା କରାଯିବ।
  • ପୂରାଦେଶରେ ୭୫ ହଜାର ହେଲଥ ସେଣ୍ଟର ପ୍ରତିଷ୍ଠା କରାଯିବ।
  • ୬୦୨ ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ହେବ।
  • ୪ ନାସନାଲ ଇନଷ୍ଟିଚ୍ୟୁଟ ଅପ୍‌ ବାୟୋଲୋଜି ପ୍ରତିଷ୍ଠା ହେବ।

ରାସ୍ତାରୁ ହଟିବ ୨୦ ବର୍ଷର ପୁରୁଣା ଗାଡ଼ି

ଦେଶରେ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ନୂଆ ସ୍କ୍ରାପ୍ ପଲିସି ଆଣିଛନ୍ତି କେନ୍ଦ୍ର ସରକାର। ଏଣିକି ୨୦ ବର୍ଷର ପୁରୁଣା ଗାଡ଼ିକୁ ଚଳାଇବାକୁ ଅନୁମତି ଦିଆଯିବ ନାହିଁ। ଏହି ନୀତି ଅନୁସାରେ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବା ଏବଂ କେତେଦିନ ପର୍ଯ୍ୟନ୍ତ ଗାଡ଼ିକୁ ଚଲାଯାଇପାରିବ ସେ ନେଇ ପରିବହନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଭାରତକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସରକାର ଏହି ନୂଆ ନୀତି ଲାଗୁ କରିଛନ୍ତି।

ଏହି ନୂଆ ନିୟମ ଅନୁସାରେ କମର୍ସିଆଲ ଗାଡ଼ି ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ ସମୟ ଧାର୍ଯ୍ୟ ହୋଇଛି। ଆଜିର ବଜେଟରେ କେନ୍ଦ୍ର କ୍ୟାବିନେଟରେ ପକ୍ଷରୁ ଏହି ନୂଆ ନୀତିକୁ ଅନୁମୋଦନ ମିଳିସାରିବା ପରେ ଭାରତ ଏବେ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପୂର୍ବରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ଲାଗୁ ହେବାକୁ ଥିବା ନୂଆ ସ୍କ୍ରାପ୍ ପଲିସି ବିଷୟରେ ସୂଚନା ଦେଇଥିଲେ। ସମ୍ପୃକ୍ତ ମନ୍ତ୍ରାଳୟ ଦ୍ଵାରା ଏହି ପଲିସି ପାରିତ ହୋଇସାରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଥିଲେ।

ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ୠଣ ଦେବାକୁ ଲକ୍ଷ୍ୟ

ଏହି ବଜେଟରେ କୃଷକଙ୍କ ଆୟ ଉପରେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରହିଛି। କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ୨୦୨୧- ୨୦୨୨ରେ କୃଷକଙ୍କୁ ଅଧିକ ୠଣ ଦେବାକୁ ଅର୍ଥାତ ୧୬.୫ ଲକ୍ଷ କୋଟିର କୃଷିୠଣ ଦେବାକୁ ଲକ୍ଷ୍ୟ ରହିଛି। ଗତବର୍ଷ କୃଷି ୧୫ ଲକ୍ଷ କୋଟି ଥିଲା। କୃଷକଙ୍କ ସମସ୍ୟାକୁ ଦୃଷ୍ଟିରେ କୃଷି ଉତ୍ପାଦର ଏମଏସପି ଦେଢ଼ଗୁଣା ବଢ଼ାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ଓ  ସରକାର ଚାଷୀଙ୍କ ପାଇଁ ସମର୍ପିତ ବୋଲି ସେ କହିଛନ୍ତି।

  • ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା।
  •  ୨୦୧୯ରେ ୧, ୪୯, ୯୩୦ କୋଟି ମିଳିଛି।
  • ଚଳିତ ବର୍ଷ ଏହି ପରିମାଣ ୧, ୭୨, ୭୫୨ କୋଟି ହେବ ଆକଳନ।
  • ସ୍ୱାମୀତ୍ୱ ଯୋଜାନରେ ୧.୮୦ ଲକ୍ଷ ଲୋକଙ୍କୁ ଜମପଟ୍ଟା ମିଳିଛି।
  • ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ ହେବ।
  • ୫ଟି ମେଗା ଫିସେରୀ ହାର୍ବର ପାଇଁ ବଜେଟରେ ଘୋଷଣା।
  • ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ସ୍ଥାନିତ।
  • ଚା ଶ୍ରମିଙ୍କ ପାଇଁ ୧୦୦୦ କୋଟିର ଫଣ୍ଡ।
  • ଇ – ନାମରେ ଯୋଡ଼ି ହେବ ଆଉ ହଜାରେ ମଣ୍ଡି
  • ୨୦୨୧ରେ ଏମଏସପିରେ  ୧.୭୨ ଲକ୍ଷ କୋଟି ଖର୍ଚ୍ଚ ହେବ।
  • ୧.୭୫ ଲକ୍ଷ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟ।
  • ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା।
  • ୨୦୨୦-୨୧ରେ ଗହମ ପାଇଁ ଦିଆଯାଇଛି ୭୫ ହଜାର କୋଟି
  • ୨୦୨୦-୨୧ରେ କପା ପାଇଁ ୧ ହଜାର କୋଟି

ଖୁସି ହେଲେ ବରିଷ୍ଠ ନାଗରିକ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ବର୍ଷ ବଜେଟରେ ବରିଷ୍ଠ ନାଗରିକମାନଙ୍କୁ ଏକ ବଡ଼ ରିହାତି ଦେଇଛନ୍ତି। ୭୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ଼ କରାଯାଇଛି।

“ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ବରିଷ୍ଠ ନାଗରିକଙ୍କ ଉପରେ ଆମେ ଟ୍ୟାକ୍ସ ଫାଇଲ କରିବାର ବୋଝ ଆଉ ଲଦିବୁ ନାହିଁ “, କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଯେଉଁ ବରିଷ୍ଠ ନାଗରିକମାନେ କେବଳ ପେନସେନ ଓ ବ୍ୟାଙ୍କ ସୁଧରେ ଚଳୁଛନ୍ତି କେବଳ ସେମାନଙ୍କୁ ଏଣିକି ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ।

ନିର୍ମାଣ ହେବ ୧୦୦ ସୈନିକ ସ୍କୁଲ

ବଜେଟ୍‌ ୨୦୨୧-୨୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ର ଉପରେ ଫୋକସ୍‌ କରିଛନ୍ତି। ଦେଶରେ ଆଉ ୧୦୦ନୂଆ ସୈନିକ ସ୍କୁଲ ସ୍ଥାପନ ହେବ। ପିପିଡି ମୋଡରେ ଏହି ସ୍କୁଲ ପ୍ରତିଷ୍ଠା ହେବ ବୋଲି ଆଜି ଅର୍ଥମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ଆଜି ବଜେଟରେ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ର ପାଇଁ ଅନେକ ଘୋଷଣା କରିଛନ୍ତି।

  • ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା।
  • ୧୫ ହଜାର ସରକାରୀ ସ୍କୁଲର ଉନ୍ନତିକରଣ କରାଯିବ।
  • ଉଚ୍ଚଶିକ୍ଷା କମିସନ ଗଠନ ହେବ।
  • ଦେଶରେ ଗବେଷଣା ପାଇଁ ନାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା ହେବ। ଏଥିପାଇଁ ସରକାର ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
  • ଆଦିବାସୀ ଅଞ୍ଚଳରେ ୭୫୦ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହେବ। ଏଥିପାଇଁ ୩୮ କୋଟି ଖର୍ଚ୍ଚ କରିବେ ସରକାର।
  • ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ ଆରମ୍ଭ ହେବ। ଏହାଦ୍ୱାର ସରକାରୀ କାଗଜପତ୍ରକୁ ପ୍ରମୁଖ ଭାରତୀୟ ଭାଷାରେ ଅନୁବାଦ କରି ଜନସାଧାରଣଙ୍କ ପାଖରେ ପହଞ୍ଚାଇବା।
  • ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ ଫର୍‌ ଏସ୍‌ସି ଷ୍ଟୁଡେଣ୍ଟ ସ୍କିମ ଜାରି ରହିବ। ଆଗାମୀ ୬ ବର୍ଷ ପାଇଁ ୩୫.୨୧୯ କୋଟି ଟଙ୍କା ଦିଆଯିବ।
  • ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ।

ଆୟକର ସ୍ଲାବରେ ହେଲାନି ପରିବର୍ତ୍ତନ

ଅର୍ଥମନ୍ତ୍ରୀ ସୋମବାର ଦିନ ତାଙ୍କ ବଜେଟରେ ଇନକମ ଟ୍ୟାକ୍ସର ଏହି ସ୍ଲାବ ଘୋଷଣା କରିଛନ୍ତି:

ଅଢ଼େଇ ଲକ୍ଷରୁ କମ ଆୟ – କୌଣସି ଟିକସ ନାହିଁ
ଅଢେଇରୁ ପାଞ୍ଚ ଲକ୍ଷ ଆୟ – ୫ ପ୍ରତିଶତ ଟିକସ
ପାଞ୍ଚ ଲକ୍ଷରୁ ସାଢ଼େ ସାତ ଲକ୍ଷ – ୧୦ ପ୍ରତିଶତ ଟିକସ
ସାଢ଼େ ସାତ ଲକ୍ଷରୁ ଦଶ ଲକ୍ଷ – ୧୫ ପ୍ରତିଶତ ଟିକସ
ଦଶରୁ ସାଢ଼େ ବାର ଲକ୍ଷ – ୨୦ ପ୍ରତିଶତ ଟିକସ
ସାଢ଼େ ବାର ଲକ୍ଷରୁ ପନ୍ଦର ଲକ୍ଷ – ୨୫ ପ୍ରତିଶତ ଟିକସ
ପନ୍ଦର ଲକ୍ଷରୁ ଅଧିକ – ୩୦ ପ୍ରତିଶତ ଟିକସ

ବଜେଟରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ପାଇଁ ପ୍ରମୁଖ ପଦକ୍ଷେପ ଘୋଷଣା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କାଳରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ନିମନ୍ତେ କେତେକ ପ୍ରମୁଖ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହିସବୁ ଘୋଷଣା;

  • ଆଠ କୋଟି ପରିବାରକୁ ସୁବିଧା ଯୋଗାଇ ସାରିଥିବା ଉଜ୍ଜ୍ୱଳା ଯୋଜନାକୁ ଆଉ ୧ କୋଟି ହିତାଧିକାରୀଙ୍କ ନିମନ୍ତେ ସଂପ୍ରସାରିତ କରାଯିବାକୁ ବଜେଟରେ ଘୋଷଣା କରାଯାଇଛି।
  • ଆଗାମୀ ତିନିବର୍ଷ ମଧ୍ୟରେ ସହର ଗ୍ୟାସ ବଣ୍ଟନ ନେଟୱାର୍କରେ ଦେଶର ଆଉ ୧୦୦ଟି ସହର ଅନ୍ତର୍ଭୁକ୍ତ ହେବ।
  • କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏକ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ହାତକୁ ନିଆଯିବ।
  • ସୁବିଧା ଓ ସମନ୍ୱୟ ଦୃଷ୍ଟିରୁ ଏକ ସ୍ୱାଧୀନ ଗ୍ୟାସ ପରିବହନ ସିଷ୍ଟମ ଅପରେଟର ଆରମ୍ଭ କରାଯିବ। ସମସ୍ତ ପ୍ରାକୃତିକ ଗ୍ୟାସ ପାଇପ ଲାଇନରେ କମନ କ୍ୟାରିଅର କାପାସିଟି ବୁକିଂ ଦୃଷ୍ଟିରୁ କୌଣସି ବାଛ ବିଚାର ନକରି ନିରପେକ୍ଷ ଢଙ୍ଗରେ ଏହା କରାଯିବ।

ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ସ୍ପେଶାଲ ଘୋଷଣା

  • ପଶ୍ଚିମବଙ୍ଗରେ ୬୭୫ କିଲୋମିଟର ନୂଆ ରାଜପଥ ନିର୍ମାଣ ପାଇଁ ଘୋଷଣା।
  • ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି।
  • କୋଲକାତା ସିଲିଗୁଡ଼ି ରାସ୍ତାର ହେବା ଉନ୍ନତିକରଣ।
  •  ଆସାମରେ ୧୩୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟି ଘୋଷଣା।
  •  ତାମିଲନାଡୁରେ ରାଜପଥ ପାଇଁ ୧ ଲକ୍ଷ କୋଟି।
  • କେରଳରେ କନ୍ୟା କୁମାରୀ କରିଡର ପାଇଁ ୩୫ ହଜାର କୋଟି।

ମହିଳାଙ୍କ ପାଇଁ କ’ଣ?

ମହିଳାମାନଙ୍କ ପାଇଁ କିଛି ଖାସ ଘୋଷଣା ହୋଇନଥିଲେ ମଧ୍ୟ ନିର୍ମଳା ସୀତାରମଣ କହିଛନ୍ତି ମହିଳାମାନଙ୍କୁ ସବୁ ପ୍ଲାଟଫର୍ମରେ କାମ କରିବାର ସ୍ୱାଧୀନତା ମିଳିବ। ମହିଳାମାନେ ଏଣକି ନାଇଟ ସିଫ୍ଟରେ ମଧ୍ୟ କାମ କରିବେ। ସେମାନଙ୍କ ସୁରକ୍ଷା ଉପରେ ସରକାରଙ୍କ ଧ୍ୟାନ ରହିବ।

ସେହିପରି ଗ୍ରାମ୍ୟ ବିକାଶ ୪୦ ହଜାର କୋଟି, ସରକାରୀ ବ୍ୟାଙ୍କ୍‌ ପାଇଁ ୨୦ ହଜାର କୋଟି, ଏମ୍‌ଏସ୍‌ଏମ୍‌ଏମ୍‌ଇ ପାଇଁ ୧୫ ହଜାର କୋଟି, ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ୧୦୮୮.୦୩ କୋଟି ବ୍ୟୟବରାଦ କରାଯାଇଛି।

Comment