ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ଆନ୍ଦୋଳନରେ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ଚାଷୀଙ୍କୁ ଦୀର୍ଘ ୨ ମାସ ହେଲା ଦିଲ୍ଲୀ ସୀମାରେ ଏକାଠି ବସାଇବାରେ ତାଙ୍କର ରହିଛି ବଡ଼ ଭୂମିକା। ଏମିତିକି ଜାନୁଆରି ୨୬ରେ ଯେତେବେଳେ ଚାଷୀମାନେ ଆନ୍ଦୋଳନରୁ ଓହରିଯିବାକୁ ଇଚ୍ଛା କରିଥିଲେ ସେତେବେଳେ ରାକେଶ ଟିକାୟତଙ୍କ ଆଖିର ଲୁହ ହିଁ ପୁଣି ଚାଷୀଙ୍କୁ ଏକାଠି କରିବାରେ ସଫଳ ହୋଇଥିଲା। ତେବେ ଆପଣ ଜାଣନ୍ତି କି ଚାଷୀଙ୍କ ପାଇଁ ସରକାରଙ୍କ ସହ ୨ ମାସ ହେଲା ଲଢ଼େଇ କରୁଥିବା ଏହି ରାକେଶ ଟିକାୟତ କିଏ?

୨ ମାସ ହେଲା ଚାଷୀ ଆନ୍ଦୋଳନ ସହ ସାମିଲ ଥିବା ଭାରତୀୟ କିଷାନ ୟୁନିଅନର ସଭାପତି ରାକେଶ ଟିକାୟତ ଏକଦା ଦିଲ୍ଲୀ ପୋଲିସରେ କାମ କରୁଥିଲେ। ଚାକିରି ଛାଡ଼ିବା ପରେ  ଚାଷୀଙ୍କର ବିଭିନ୍ନ ସମସ୍ୟାକୁ ନେଇ ବିକ୍ଷୋଭ କରିବା ଯୋଗୁଁ ସେ ପୂର୍ବରୁ ୪୪ଥର ଜେଲ ଯାଇଛନ୍ତି।

ଜମି ଅଧିଗ୍ରହଣ ଆଇନ ବିରୋଧରେ ବିକ୍ଷୋଭ କରି ସେ ମଧ୍ୟପ୍ରଦେଶରେ ୩୯ ଦିନ ଜେଲରେ କାଟିଥିଲା ବେଳେ ଆଖୁଦର ମୃଦ୍ଧି ଦାବିରେ ସଂସଦ ନିକଟରେ ବିକ୍ଷୋଭ କରି ତିହାର ଜେଲରେ ମଧ୍ୟ କିଛି ଦିନ ରହିଛନ୍ତି।

ଉତ୍ତରପ୍ରଦେଶର ମୁଜାଫରନଗରରେ ଜିଲ୍ଲା ସିସାଭଲ ଗ୍ରାମରେ ଜନ୍ମ ହୋଇଥିବା ରାକେଶଙ୍କ ବାପା ମହେନ୍ଦ୍ର ସିଂ ଟିକାୟତ ମଧ୍ୟ ଭାରତୀୟ କିଷାନ ୟୁନିଅନର ସଭାପତି ଥିଲେ।

ତେବେ ଗଣତନ୍ତ୍ର ଦିବସରେ  ହୋଇଥିବା ହିଂସାକାଣ୍ଡ ଘଟଣାରେ ରାକେଶଙ୍କ ବିରୋଧରେ ଏକାଧିକ ଏତଲା ଦିଆଯାଇଥିଲେ ହେଁ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି।

Comment