ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ରେଳ ବଜେଟରେ ଓଡ଼ିଶାକୁ ୫୫୨୮ କୋଟି ମିଳିଛି। ଏନେଇ ରାଜ୍ୟ ରାଜନୀତି ତେଜିଛି। ବିଜେଡି ରେଳ ବଜେଟ୍‌ ନୈରାଶ୍ୟଜନକ କହିଥିଲା ବେଳେ କଂଗ୍ରେସ ଓଡ଼ିଶାକୁ ଉପେକ୍ଷା କରାଯାଇଛି ବୋଲି କହିଛି। ଏପେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ଦେଇଛନ୍ତି। ଗତ ବର୍ଷ ଅପେକ୍ଷା ଏ ବର୍ଷ ଓଡ଼ିଶାକୁ ୬୦ ପ୍ରତିଶତ ଅଧିକ ଅନୁଦାନ ମିଳିଥିବା କହିଛନ୍ତି ଧର୍ମେନ୍ଦ୍ର।

ରେଳ ବଜେଟରେ ଓଡ଼ିଶାରେ ଚାଲିଥିବା କାମକୁ ଗୁରୁତ୍ୱ ଦିଆଯିବା ସହିତ ଆଧୁନିକୀକରଣ ଓ ସୁରକ୍ଷାକୁ ରେଳ ବଜେଟ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

ନୂଆ ଲାଇନ ପାଇଁ ୧୫୫୩ କୋଟି, ଡବଲିଂ ପାଇଁ୧୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮ କୋଟି,  ଟ୍ରାକ ନବୀକରଣ ପାଇଁ ୪୦୨ କୋଟି, ବ୍ରିଜ ପାଇଁ ୩୮.୫, ବିଦ୍ୟୁତକରଣ ପାଇଁ ୧୭୩ କୋଟି,  ଯାତ୍ରୀ ସୁବିଧା ପାଇଁ ୩୦୦ କୋଟି, ସିଗ୍‌ନାଲ ପାଇଁ ୬୯ କୋଟି ବ୍ୟୟବରାଦ କରାଯାଇଥିବା ସେ କହିଛନ୍ତି।

ରେଳ ବଜେଟ ନୈରାଶ୍ୟଜନକ – ପରିବହନ ମନ୍ତ୍ରୀ

ରେଳ ବଜେଟରେ ଓଡ଼ିଶାର ଭାଗ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

‘‘ରାଜ୍ୟ ତରଫରୁ ୭ ହଜାର ୨ଶହ କୋଟି ଟଙ୍କା ଦାବି ଥିଲା । କିନ୍ତୁ ସେ ଅନୁସାରେ ଅର୍ଥ ମିଳିନାହିଁ। ଏବର୍ଷ ରେଳ ବଜେଟ ସମ୍ପୂର୍ଣ୍ଣ ନୈରାଶ୍ୟଜନକ’’, କହିଛନ୍ତି ପଦ୍ମନାଭ ବେହେରା।

ଓଡ଼ିଶାକୁ ଉପେକ୍ଷା – ନିରଞ୍ଜନ ପଟ୍ଟନାୟକ

ଚଳିତ ଥର ରେଳ ବଜେଟରୁ ଓଡ଼ିଶା ପାଇଁ ଯାହା ଆଶା କରାଯାଉଥିଲା ତାହା ମିଳି ନାହିଁ ଏବଂ ପୁନର୍ବାର ଓଡ଼ିଶାକୁ ଉପେକ୍ଷିତ କରାଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତାମିଲନାଡୁ ଓ ପଶ୍ଚିବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସେହି ରାଜ୍ୟକୁ ଅଧିକ ଦେଇଛନ୍ତି, ଓଡ଼ିଶାର ଆବଶ୍ୟକତା ଓ ଅଭିବୃଦ୍ଧି ଦୃଷ୍ଟିରୁ ଯାହା ପାଇବା କଥା ତାହା ପାଇନାହିଁ ବୋଲି ସେ କହିଛନ୍ତି।

ଗତ ବର୍ଷ ରେଳ ବଜେଟରେ ଓଡ଼ିଶାକୁ ୪ ହଜାର ୩୭୩ କୋଟି ମିଳିଥିଲା।

Comment