ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ମାସରୁ ଅଧିକ ସମୟ ଧରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଚାଷୀ ଆନ୍ଦୋଳନକୁ ନେଇ କିଛି ବିଦେଶୀ ସେଲିବ୍ରିଟି ତାଙ୍କ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଏମିତିକି ଏହି ବିଦେଶୀ ସେଲିବ୍ରିଟିଙ୍କୁ କଡ଼ା ଜବାବ ଦେବା ପାଇଁ ଏକାଠି ହୋଇଛନ୍ତି ଭାରତୀୟ ସେଲିବ୍ରିଟି।
ଆମେରିକାର ପ୍ରସିଦ୍ଧ ପପ୍ଷ୍ଟାର ରିହାନା, ସାମାଜିକ କର୍ମୀ ଗ୍ରେଟା ଥନବର୍ଗ ଓ ଅନ୍ୟ କେତେକ ସେଲିବ୍ରିଟି ଚାଷୀ ଆନ୍ଦୋଳନକୁ ନେଇ ଟୁଇଟ କରିଥିଲେ। ଇଣ୍ଟରନେଟ ବନ୍ଦ ଓ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ସମାଲୋଚନା କରିଥିଲେ। ତେବେ ଏହା ବିରୋଧରେ ଭାରତୀୟ ଅଭିନେତା, କ୍ରିକେଟର ସମସ୍ତେ ଏକାଠି ହୋଇ ଏହାକୁ ନିନ୍ଦା କରିଛନ୍ତି।
ଏ ପ୍ରସଙ୍ଗରେ ବଲିଉଡ ଅଭିନେତା ଅକ୍ଷୟ କୁମାର କହିଛନ୍ତି,‘‘କୃଷକମାନେ ଆମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି। ପାର୍ଥକ୍ୟ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଆସନ୍ତୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ କରିବା’’।
ସେହିପରି ଅଭିନେତା ସୁନିଲ ସେଟ୍ଟୀ ମଧ୍ୟ ଟୁଇଟ କରି କହିଛନ୍ତି, ‘‘ଅଧା ସତ ଜାଣିବାଠୁ ସାଙ୍ଘାତିକ ଆଉ କିଛି ନାହିଁ। ତେଣୁ ଅଧା କଥା ଜାଣି କିଛି ବି ମନ୍ତବ୍ୟ ଦିଅନ୍ତୁ ନାହିଁ’’।
ସେହିପରି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ, କ୍ରିକେଟର ସଚିନ ତେନ୍ଦୁଲକର ନିଜର ମତ ରଖିଛନ୍ତି। ଭାରତର ସାର୍ବଭୌମତ୍ୱ ସହ କୌଣସି ସାଲିସ କରାଯିବ ନାହିଁ। ବାହ୍ୟ ଶକ୍ତି କେବଳ ଦର୍ଶକ ହୋଇପାରିବେ ମାତ୍ର ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି କହିଛନ୍ତି ସଚିନ।
ଅନ୍ୟପଟେ ଭାରତ ସରକାର ବିଦେଶୀ ସେଲିବ୍ରିଟିଙ୍କ ଏଭଳି ଟୁଇଟକୁ ଘୋର ବିରୋଧ କରିଛନ୍ତି। ଏଭଳି ଟୁଇଟ ଭାରତରେ ଅସ୍ଥିରତା ଓ ଉତ୍ତେଜନା ସୃଷ୍ଟି କରୁଥିବାରୁ ଏହା ବିରୋଧରେ ପଦକ୍ଷେପ ନେବା ଲାଗି ଟୁଇଟରକୁ ସରକାର କହିଛନ୍ତି।
ଏହାସହିତ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଚାଷୀ ଆନ୍ଦୋଳନକୁ ନେଇ କିଛି ସେଲିବ୍ରିଟି ଓ ଅନ୍ୟ କେତେକ ବ୍ୟକ୍ତି ଅଯଥା ବିବାଦ ସୃଷ୍ଟି କରୁଛନ୍ତି। ଦୟାକରି ଏଥରୁ ଦୂରେଇ ରହନ୍ତୁ।