ଓଡ଼ିଶାଲାଇଭ୍ ବ୍ୟୁରୋ

ପାଣିପାଗ ପୂର୍ବାନୁମାନକୁ ଆହୁରି ତଥ୍ୟଭିତ୍ତିକ କରିବା ପାଇଁ ଆଇଏମଡିର ‘କ୍ରାଉଡ ସୋର୍ସିଂ ଓ୍ଵେବ୍ ଇଣ୍ଟରଫେସ୍’।

ଏଣିକି ନିଜ ଅଞ୍ଚଳର ପାଣିପାଗ ସୂଚନା ଦେବେ ଲୋକେ। ବର୍ତ୍ତମାନ ନିଜ ଅଞ୍ଚଳର ପାଣିପାଗ କିପରି ରହିଛି ସେ ବିଷୟରେ ଭାରତୀୟ ପାଣିପାଗ ବିଭାଗକୁ ସିଧାସଳଖ ଲୋକମାନେ ଜଣାଇବେ। ଏହାକୁ ଆଧାର କରି ଆଇଏମଡି ପାଣିପାଗ ନେଇ ଆହୁରି ତଥ୍ୟଭିତ୍ତିକ ଏବଂ ନିର୍ଦ୍ଦିଷ୍ଟ ପୂର୍ବାନୁମାନ କରିପାରିବ। ଏଥିପାଇଁ ଆଇଏମଡି ଆରମ୍ଭ କରିଛି ‘କ୍ରାଉଡ ସୋର୍ସିଂ ଓ୍ଵେବ୍ ଇଣ୍ଟରଫେସ୍’।

ଆଇଏମଡିର ଏହି ନୂଆ ଉଦ୍ୟମ ଜରିଆରେ କେଉଁଠି ବର୍ଷା ହେଉଛି, କେଉଁଠି କାଳବୈଶାଖୀ ଚାଲିଛି ସେ ବାବଦରେ ସ୍ଥାନୀୟ ଲୋକେ ଆଇଏମଡି ଓ୍ଵେବସାଇଟକୁ ଜଣାଇବେ। ଆମର ଏଠି ଘଡ଼ଘଡ଼ି ମାରୁଛି, କୁଆପଥର ବର୍ଷା ହେଉଛି, ଧୂଳିଝଡ଼ ହେଉଛି, ବଜ୍ରପାତ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି, ଗଛପଡ଼ି ରାସ୍ତା ବନ୍ଦ ହେଇଯାଇଛି…। ଏହିପରି ଭାବେ ନିଜ ଅଞ୍ଚଳର ପାଣିପାଗ ତଥ୍ୟକୁ ଫଟୋ ସହ ଆଇଏମଡିକୁ ପଠାଇ ପାରିବେ।

ଏଥିପାଇଁ ଲୋକମାନଙ୍କୁ ପ୍ରଥମେ ଆଇଏମଡିର ଓ୍ଵେବସାଇଟ www.imdorissa.gov.in ଖୋଲିବା ପାଇଁ ପଡ଼ିବ। ଏହାପରେ ଓ୍ଵେବସାଇଟର ବାମ ପାର୍ଶ୍ଵରେ ସବା ତଳକୁ publicobservation ନାମରେ ଏକ ଅପ୍‌ସନ ଆସିବ। ଏହା ଉପରେ କ୍ଲିକ୍ କରିବା ପରେ Provide Information for Weather Event ନାମରେ ଆଉ ଏକ ନୂଆ ପେଜ ଖୋଲିଯିବ।

ଏଥିରେ ପ୍ରଥମେ ନିଜ ରାଜ୍ୟ, ଜିଲ୍ଲା ଚୟନ କରିବା ପରେ ଲୋକମାନେ ବର୍ଷା, ବଜ୍ରପାତ, କୁଆପଥର, ଧୂଳିଝଡ଼ ଆଦି କୁହୁଡ଼ି ଅପ୍‌ସନରୁ ବର୍ତ୍ତମାନ ସମୟରେ ଆପଣଙ୍କ ଅଞ୍ଚଳରେ ପାଣିପାଗ ସ୍ଥିତି କ’ଣ ରହିଛି ତାହା ଲେଖିପାରିବେ। ବର୍ଷା, ଘଡ଼ଘଡ଼ି ଯୋଗୁଁ ଯାହା ସବୁ କ୍ଷୟକ୍ଷତି ହୋଇଥିବ ସେ ବାବଦରେ ବି ଜଣାଇପାରିବେ।

Comment