ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ଆଲୋଚନା ପରେ ବି ମହାନଦୀ ଜଳ ବିବାଦର ସମାଧାନ ବାହାରି ପାରୁନାହିଁ। ତେଣୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବାକୁ ଧମକ ଦିଆଯାଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଦସ୍ୟମାନେ ଏହି ଘୋଷଣା କରିଛନ୍ତି।

ଆନ୍ଦୋଳନର ସଦସ୍ୟମାନେ କହିଛନ୍ତି ଯେ, ଶନିବାର ଦିନ ଅନୁଷ୍ଠିତ ମହାନଦୀ ଜଳ ବିବାଦ ଟ୍ରିବୁନାଲର ୧୯ତମ ବୈଠକରେ ସାଧାରଣ ସୂଚନା ବିବରଣୀ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଫେବ୍ରୁଆରି ୧୨ ତାରିଖରେ ଟ୍ରିବୁନାଲର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କିନ୍ତୁ ମହାନଦୀ ଜଳ ବଣ୍ଟନ ନେଇ ଓଡ଼ିଶା ଓ ଛତିଶଗଡ ସରକାରଙ୍କ ମଧ୍ୟରେ କୌଣସି ସମାଧାନ ପନ୍ଥା ବାହାରି ପାରିନାହିଁ। ତେଣୁ ଏବେ ଟ୍ରିବୁନାଲ ଯେ କୌଣସି ସମାଧାନ ବାହାର କରି ପାରିବ ସେ ବିଶ୍ୱାସ ଆନ୍ଦୋଳନର ସଦସ୍ୟମାନେ ରଖିନାହାନ୍ତି।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ଜଳ ଆବଣ୍ଟନ ବିବାଦକୁ ନେଇ ଟ୍ରିବୁନାଲ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେବା ତ ଦୂରର କଥା, ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟାରେଜ ନିର୍ମାଣ ଚାଲିଛି ତାହାକୁ ବି ରୋକା ଯାଇ ପାରିନାହିଁ। ତେଣୁ ଏହି ଦୃଷ୍ଟିରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ଶନିବାର ଟ୍ରିବ୍ୟୁନାଲର ୧୯ ତମ ଶୁଣାଣି ଥିଲା। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ ତାରିଖରେ ହେବ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍ ନିର୍ଦ୍ଧାରିତ ୩ବର୍ଷ ପରେ ବି ଶୁଣାଣି ହେବ। ଆଇନ ମୁତାବକ ୩ବର୍ଷରେ ଟ୍ରିବ୍ୟୁନାଲ ରାୟ ଦେଇନପାରିଲେ ଆଉ ଦୁଇ ବର୍ଷ ସମୟସୀମାକୁ ପରିବର୍ଦ୍ଧିତ କରାଯିବ।

Comment