ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵରରୁ ଗୋଆ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଛି। ବିଶାଖାପାଟଣା ଜିଲ୍ଲା ପାୟାକରାଉପେଟା ୫ ନମ୍ଵର ଜାତୀୟ ରାଜପଥର ଓ୍ଵାଇ ଜଙ୍କସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ ଇଞ୍ଜିନରେ ସର୍ଟସର୍କିଟ ହେବା ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମଙ୍ଗଳବାର ବାଲେଶ୍ଵରରୁ ପ୍ରାୟ ୪୦ ଜଣ ଓଡ଼ିଆ ଶ୍ରମିକଙ୍କୁ ନେଇ ବସ୍‌ଟି ଗୋଆ ଯାଉଥିଲା। ହଠାତ୍ ବିଶାଖାପାଟଣା ପାୟାକରାଉପେଟା ୫ ନମ୍ଵର ଜାତୀୟ ରାଜପଥର ଓ୍ଵାଇ ଜଙ୍କସନ ନିକଟରେ ଇଞ୍ଜିନରେ ସର୍ଟସର୍କିଟ ହେବା ଫଳରେ ବସ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କିଛି ବଡ଼ ଦୁର୍ଘଟଣା ହେବା ପୂର୍ବରୁ ହିଁ ସେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ। ଏହି ଘଟଣାରେ କେହି ଆହତ କିମ୍ଵା ମୃତାହତ ହେବାର ଖବର ମିଳିନାହିଁ।

ଘଟଣା ବିଷୟରେ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ।

Comment