ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଗର୍ଭଗୃହ ଭିତରେ ପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ମଙ୍ଗଳବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗର୍ଭଗୃହରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁ ଚାହିଁଲେ ଗର୍ଭଗୃହରେ ଯାଇ ଜଳ, ଖିର, ବେଲପତ୍ର ଲାଗି କରି ପୂଜା କରିପାରିବେ। ଫେବ୍ରୁଆରି ୨ରେ ବିଏମସି ଏବଂ ମନ୍ଦିର ପ୍ରଶାସନର ଆଲୋଚନା ପରେ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ମନ୍ଦିର ପ୍ରଶାସନର ବିଜ୍ଞପ୍ତି ଅନୁସାରେ ପ୍ରତିଦିନ ସକାଳ ୬ଟାରୁ ୯ଟା, ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୩ଟା ଓ ସନ୍ଧ୍ୟା ୭ଟାରୁ ୮ଟା ଶ୍ରଦ୍ଧାଳୁ କରିପାରିବେ ସାହାଣମେଲା ଦର୍ଶନ। ଅନ୍ୟପଟେ ମନ୍ଦିରର ସିଂହଦ୍ୱାର ନିକଟରୁ ଥର୍ମାଲ ସ୍କ୍ରିନିଂ ପରୀକ୍ଷଣକୁ ଉଠାଇ ଦିଆଯାଇଛି। କିନ୍ତୁ ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ୬ଫୁଟ ଦୂରତା ରଖିବେ। ଏହି ନିୟମ ଏବେବି ବଳବତ୍ତର ରହିଛି।କରୋନା ମହାମାରୀ ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରୁ ଲିଙ୍ଗରାଜ ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ଥିଲା। ଦୀର୍ଘ ୯ମାସ ଅବଧି ପରେ ଡିସେମ୍ବର ଶେଷ ସପ୍ତାହରେ ମନ୍ଦିର ଖୋଲିଥିଲା। ପ୍ରଥମେ ସେବାୟତ ଓ ତାଙ୍କ ପରିବାରଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିଥିଲା। ପରେ ଭୁବନେଶ୍ୱରବାସୀ ଆଉ ତା’ପରେ ସର୍ବସାଧାରଣଙ୍କୁ ବାବାଙ୍କ ଦର୍ଶନ ନିମନ୍ତେ ଅନୁମତି ମିଳିଥିଲା।

କରୋନା ପରବର୍ତ୍ତୀ ସମୟରେ ଭକ୍ତମାନେ ଦୂରରେ ରହି ବାବାଙ୍କୁ ଦର୍ଶନ କରୁଥିଲେ। କେବଳ ମନ୍ଦିର ଭିତର ଆଡ଼କାଠ ନିକଟରୁ ଦର୍ଶନ କରିବାର ଅନୁମତି ମିଳିଥିଲା। ଏବେ କିନ୍ତୁ ସର୍ବସାଧାରଣ ଗର୍ଭଗୃହରେ ପ୍ରବେଶ କରି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ।

Comment