ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋଟିଆରେ ଆନ୍ଧ୍ରପ୍ରଦେଶ କରିବ ନିର୍ବାଚନ
  • ଆନ୍ଧ୍ରର ନିର୍ବାଚନ ନେଇ ବଢ଼ିଲା ବିବାଦ
  • ଆନ୍ଧ୍ରକୁ ରୋକିବାକୁ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର
  • କୋଟିଆ ଗସ୍ତରେ ଗଲେ ବିଜେପି ଟିମ୍‌

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଟଣାଓଟରା ଲାଗି ରହିଛି।  ଓଡ଼ିଶା ସରକାରଙ୍କ ବାରମ୍ବାର ତାଗିଦ ପରେ ବି ଆନ୍ଧ୍ର କୋଟିଆକୁ କବ୍‌ଜା କରିବାକୁ ଆଖେଇଛି। ଏଥିପାଇଁ କୋଟିଆରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଛି। ଆଉ ଏବେ ସବୁ ସୀମା ପାର୍‌ କରି କୋରାପୁଟ ଜିଲ୍ଲା କୋଟିଆ ଗ୍ରାମ ପଞ୍ଚାୟତର ୩ଟି ଗାଁରେ ଆନ୍ଧ୍ର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଆନ୍ଧ୍ରକୁ ଜବାବ ଦେବାକୁ ଏବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ। ଏନେଇ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟାକରଣ ମଧ୍ୟ ଆରମ୍ଭ ହୋଇଛି। କୋର୍ଟରେ ରାଜ୍ୟ ସରକାର ରିଟ୍‌ ପିଟିସନ ଦାଖଲ କରିବେ ବୋଲି ଜଣାପଡ଼ିଛି।

ଏଥିସହିତ କୋଟିଆକୁ ଓଡ଼ିଶାର ଦାବି କରିବା ସହ ଏ ସଂକ୍ରାନ୍ତରେ ସମସ୍ତ କାଗଜପତ୍ର କୋର୍ଟରେ ରାଜ୍ୟ ସରକାର ଦାଖଲ କରିବେ।

କୋଟିଆକୁ ନେଇ ସରଗରମ ରାଜନୀତି

ଅନ୍ୟକୋଟିଆର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଯୋଜନା କରୁଥିଲା ବେଳେ ଆନ୍ଧପ୍ରଦେଶ ସେଠାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ବେଶ୍‌ ସରଗରମ ହୋଇପଡ଼ିଛି। କିଛି ଦିନ ତଳେ ଖୋଦ ମୁଖ୍ୟମନ୍ତ୍ରୀ ସେଠାରେ ୨ଟି ମେଡିକାଲ, ଅଙ୍ଗନବାଡ଼ିକୁ ଲୋକାର୍ପଣ କରିବା ସହିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲା ବେଳେ ଆଜି ବିଜେପିର ୧୦ ଜଣିଆ ଟିମ୍‌ କୋଟିଆ ଗସ୍ତ କରିଛନ୍ତି।

କୋଟିଆର ସ୍ଥିତି କ’ଣ, ସେଠାରେ ଲୋକଙ୍କ ସହ ଆଲୋଚନା କରିବେ ପାଇଁ ଏଟି ଟିମ୍‌ କୋଟିଆ ଯାଇଛନ୍ତି।

ଓଡ଼ିଶା ସହିତ କୋଟିଆବାସୀଙ୍କ ଯେଉଁ ଭାବାବେଗ ସଂପର୍କ ଅଛି ତାହାକୁ ସୁଦୃଢ କରିବା ପାଇଁ ବିଜେପିର ପ୍ରତିନିଧି ଦଳ କୋଟିଆ ଯାଉଥିବା କହିଛନ୍ତି ଦଳର ସଭାପତି ସମୀର ମହାନ୍ତି।

ସେହିପରି କୋଟିଆରେ ନିର୍ବାଚନ କରିବା ପାଇଁ କାହିଁକି ଆନ୍ଧ୍ରପ୍ରଦେଶ ଇଚ୍ଛା କଲା ଜାଣିବା ପାଇଁ ଆମେ କୋଟିଆ ଯାଉଛୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।niranjan Pattnaik

ବିଜେଡି-ବିଜେପି ପାଲଟିଛନ୍ତି ନିରବଦ୍ରଷ୍ଟା : କଂଗ୍ରେସ

ଅନ୍ୟପଟେ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଓ ବିଜେପି ଉପରେ ଖୁବ୍‌ ବର୍ଷିଥିଲେ।

‘‘ଦୀର୍ଘଦିନ ଧରି କୋଟିଆ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଥିବାବେଳେ ଓଡ଼ିଶାର ଅଞ୍ଚଳକୁ ନେଇ ପ୍ରଥମ ଥର ପାଇଁ ଆନ୍ଧ୍ର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିଛି। ଏତେବଡ଼ ଘଟଣା ପରେ ବି ବିଜେଡି ଓ ବିଜେପି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା। ଆଗାମୀ ୧୩ ତାରିଖରେ ନିର୍ବାଚନ ହେଉଛି। ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଦରକାର’’, କହିଥିଲେ ନିରଞ୍ଜନ ପଟ୍ଟନାୟକ।

କୋରାପୁଟ ଜିଲ୍ଲା କୋଟିଆ ଗ୍ରାମ ପଞ୍ଚାୟତର ୩ଟି ଗାଁରେ ଆନ୍ଧ୍ର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହାକୁ ନେଇ ଓଡ଼ିଶାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

୨୦୧୮ରୁ ଲାଗି ରହିଛି ବିବାଦ

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୨ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦୀୟ ପରିସ୍ଥିତି ଲାଗି ରହିଛି। କୋଟିଆବାସୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି ଆନ୍ଧ୍ର। ଏମିତିକି ୨୦୧୯ ସାଧାରଣ ନିର୍ବାଚନ ବେଳେ କୋଟିଆ ବାସୀଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ, କମ୍ବଳ ବଣ୍ଟନ କରି ଭୋଟ ଦେବାକୁ ଉସକାଇଥିଲା। ସେ ସମୟରେ କାହାକୁ ଭୋଟ ଦେବେ ବୋଲି କୋଟିଆବାସୀ ଦ୍ୱନ୍ଦ୍ୱରେ ପଡ଼ିଥିଲେ। କୋଟିଆରେ ଆନ୍ଧ୍ରର ଦାଦାଗିରିକୁ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ସେ ସଂକ୍ରାନ୍ତୀୟ ମାମଲା କୋର୍ଟରେ ବିଚାରଧୀନ ଥିଲା ବେଳେ ସରକାର ଆଉ ଏକ ମାମଲା ନେଇ କୋର୍ଟ ଯିବେ।

LEAVE A REPLY

Please enter your comment!
Please enter your name here