ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ପରେ ଏବେ ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର କରିବା ପାଇଁ ଆରମ୍ଭ ହୋଇଛି ଭେଟଘାଟ ରାଜନୀତି। ଶନିବାର ବିଜେଡି ସାଂସଦମାନଙ୍କର ଏକ ଦଳ ଦିଲ୍ଲୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଅର୍ଜୁନ ରାମ ମେଘଓ୍ଵାଲଙ୍କୁ ଭେଟିଛନ୍ତି। ପୁରୀ ପରି ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ଵର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରିବାକୁ ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ଭୁବନେଶ୍ଵରର ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ଵର ମନ୍ଦିର ପାଇଁ ବାଇ-ଲ’ ଲାଗୁ ହେଲେ ଏହି ଦୁଇଟି ପୁରାତନ ମନ୍ଦିର ସହ ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କ ମନ୍ଦିର ଏବଂ ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗରର ବିକାଶ କାର୍ଯ୍ୟ ପ୍ରଭାବିତ ହେବ। ସେହିପରି ସେବାୟତମାନେ ମଧ୍ୟ ଏହାଦ୍ଵାରା ବେଶ୍ ପ୍ରଭାବିତ ହେବେ। ତେଣୁ ଓଡ଼ିଶାର ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ବିଜେଡି ସାଂସଦମାନେ ନିବେଦନ କରିଛନ୍ତି।

ଅନ୍ୟପଟେ ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର କରିବା ପାଇଁ ଶନିବାର ଦାବି କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ଯଦି ତୁରନ୍ତ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର ନ କରନ୍ତି ତେବେ ଆସନ୍ତା ୧୬ ତାରିଖରେ ୧୮ ହଜାର ସେବାୟତ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Comment