ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା କାଲିଠାରୁ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ଫେବ୍ରୁଆରି ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ପାଗ ଲାଗି ରହିବ। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର ଦିନ ସମ୍ଵଲପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ଅନ୍ୟପଟେ ବୁଧବାର ଦିନ କେତେକ ସ୍ଥାନରେ ଘଡ଼ଘଡ଼ି ହେବା ନେଇ ୧୫ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୟେଲୋ ଓ୍ଵାର୍ଣ୍ଣିଂ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ତି, ବୌଦ୍ଧ, ସୋନପୁର, ବଲାଙ୍ଗିର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ।

ସେହିପରି ବୁଧବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସହ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ଵର, ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ଏହିସବୁ ଜିଲ୍ଲା ବ୍ୟତୀତ ଅନ୍ୟସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ। ଗୁରୁବାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଫେବ୍ରୁଆରି ୧୮ ତାରିଖ ପରେ ରାଜ୍ୟରେ ତାପମାତ୍ରା ବଢ଼ିବ।

Comment