ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଦାବି ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେବାପରେ ଶେଷରେ ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଭୁବନେଶ୍ୱରରେ ପହଞ୍ଚିବାପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇ-ଲ ସପକ୍ଷରେ ଯୁକ୍ତି ବାଢ଼ିବା ସହ, ତାଙ୍କ ନାମରେ ଲାଗିଥିବା ନିଖୋଜ ପୋଷ୍ଟର ସମ୍ପର୍କରେ ନିଜର ମତ ରଖିଛନ୍ତି ।

“ନିଖୋଜ ପୋଷ୍ଟର ମୁଁ ହ୍ୱାଟସପ୍ ରେ ପାଇଥିଲି । ଯେଉଁ ବ୍ୟକ୍ତି ଏହି ପୋଷ୍ଟର ଲଗାଇଛନ୍ତି ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି”, କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ

ବାଇ-ଲ’କୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ, ଏହା ଦ୍ୱାରା କାହାର କିଛି କ୍ଷତି ହେବ ନାହିଁ କହିଛନ୍ତି ସାଂସଦ ଷଡ଼ଙ୍ଗୀ । ଏହାକୁ ପ୍ରତ୍ୟାହାର କଲେ କିଛି ସୁଫଳ ମିଳିବ ନାହିଁ । ଏହି ବାଇ-ଲ’ ଦ୍ୱାରା ସାଧାରଣ ଜନତା ନିଷିଦ୍ଧାଞ୍ଚଳରେ ନିୟମ ଅନୁଯାୟୀ ନିର୍ମାଣ ଓ ମରାମତି କାର୍ଯ୍ୟ କରିପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି ସାଂସଦ । ଏହି ବାଇ-ଲ’ ପାଇଁ ଉଭୟ ସେବାୟତ ଓ ଜନସାଧାରଣଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବନାହିଁ । ବାଇ-ଲ’ ବିକାଶ କାର୍ଯ୍ୟରେ ପାଚେରୀ ସୃଷ୍ଟି କରୁଛି । ବାଇ-ଲ’ କଥା ବୁଝିବାକୁ ସରକାରଙ୍କୁ ଅନୁରୋଧ କରିବା ସହ ଏହାକୁ ନେଇ ରାଜନୀତି ନକରି ସମସ୍ତେ ମିଳିମିଶି ଏହାର ସମାଧାନ ବାହାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ରାଜ୍ୟସରକାରଙ୍କୁ ଅପରାଜିତାଙ୍କ ପ୍ରଶ୍ନ:
ବାଇ-ଲ’କୁ ନେଇ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
 ଏପର୍ଯ୍ୟନ୍ତ ସମସ୍ତ ପୂରାତନ ଓ ଐତିହ୍ୟ ଅଞ୍ଚଳରେ ହୋଇଥିବା ଉଚ୍ଛେଦ ପ୍ରକ୍ରିୟାରେ ପ୍ରତ୍ନତତ୍ତ୍ୱ ବିଭାଗକୁ କ’ଣ ପାଇଁ ସାମିଲ କରାଯାଇନାହିଁ?
 ୨୦୧୯ ରେ ରାଜ୍ୟ ସରକାରଙ୍କୁୁ ଏଏସ୍‌ଆଇ ମହାନିର୍ଦ୍ଦେଶକ ଭେଟି ଡିପିଆର୍ ସମ୍ପର୍କରେ ଅବଗତ କରିବା ପାଇଁ ଅନୁରୋଧ କରିଥିଲେ ହେଁ ଏପର୍ଯ୍ୟନ୍ତ କାହିଁକି ଅବଗତ କରାଯାଇ ନାହିଁ?
 କେଉଁ ଆର୍କିଓଲୋଜିକାଲ୍ ଫାର୍ମ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିରର ବିକାଶର ରୂପରେଖ ପ୍ରସ୍ତୁତ କରୁଛନ୍ତି, ସେହି ଫାର୍ମଗୁଡ଼ିକର ଟ୍ରାକ ରେକର୍ଡ଼ କ’ଣ ରହିଛି?

Comment