ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାହୁଁ ଚାହୁଁ ବସ୍‌ଟି କେନାଲକୁ  ଖସିଲା। କେହି କିଛି ଭାବିବା ଆଗରୁ ବସ୍‌ଟି ଜଳମଗ୍ନ ହୋଇଗଲା। ବସ୍‌ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ବି ପାଖରେ କେହି ନଥିଲେ। ଏ ସମୟରେ ଦେବଦୂତ ସାଜିଥିଲେ ଶିବରାଣୀ ଲୋନିଆ। ଆଗ ପଛ କିଛି ଚିନ୍ତା ନକରି ସେ କେନାଲର ଗଭୀର ଜଳକୁ ଡେଇଁ ପଡ଼ିଥିଲେ। ପହଁରି ପହଁରି ବସ୍‌ ନିକଟରେ ପହଞ୍ଚି ନିଜର ବୁଦ୍ଧି ଖଟାଇ ବସ୍‌ର ଡୋର ଭାଙ୍ଗି ୭ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ। ଦୁଃଖର ବିଷୟ ସେତେବେଳେକୁ ବସ୍‌ରେ ଥିବା ୫୪ ଯାତ୍ରୀଙ୍କ ମଧ୍ୟରେ ୪୭ ଜଣ ଆଖି ବୁଜି ସାରିଥିଲେ।

ମଙ୍ଗଳବାର ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଭିଡ଼ରୁ ବଞ୍ଚିବା ପାଇଁ ଗଳାରାସ୍ତାରେ ଯିବା ଉଦ୍ୟମ ଡ୍ରାଇଭରଙ୍କ ମହଙ୍ଗା ପଡ଼ିଥିଲା। ଗଳାବାଟରେ ଭାରସାମ୍ୟ ହରାଇ ବସ୍‌ଟି କେନାଲକୁ ଖସି ଯାଇଥିଲା।

ଏତିକି ବେଳେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ ନିକଟସ୍ଥ ସରଦା ଗାଁର ଶିବରାଣୀ ଲୋନିଆ। ତାଙ୍କ କହିବା ଅନୁସାରେ ମଙ୍ଗଳବାର ସକାଳେ ସେ ତାଙ୍କ ବାଡ଼ିରେ ବସିଥିଲେ। ସେ ସମୟରେ ବସ୍‌ଟି କେନାଲ ଖସିବାର ଦେଖି ଚିତ୍କାର କରି ଅନ୍ୟମାନଙ୍କୁ ଡାକିବା ସହିତ ନିଜେ ଦୌଡ଼ି ଦୌଡ଼ି କେନାଲ ଆସିଥିଲେ।

ପରେ ସେଠାରେ ଗ୍ରାମବାସଙ୍କ ଭିଡ଼ ଜମିଥିଲା। ଘଟଣାର ପ୍ରାୟ ଅଧ ଘଣ୍ଟାପରେ ପୋଲିସ ପ୍ରଶାସନ ଓ ସୁରକ୍ଷା ବାହିନୀ ପହଞ୍ଚି ବୁଡ଼ି ଯାଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

ଅନ୍ୟପଟେ ଶିବରାଣୀଙ୍କ ସାହସିକତା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କ ପ୍ରଶଂସା କରିଛି। ଶିବରାଣୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।‌

Comment