ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାଦୀୟ କୋଟିଆ ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ଦିନ କୋଟିଆ ମାମଲାରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତା’ ଉପରେ ଜବାବ ରଖିବାକୁ ଓଡ଼ିଶା ସରକାରଙ୍କୁ କୋର୍ଟ ଏହି ସମୟ ଦେଇଛନ୍ତି।

ଶୁକ୍ରବାର କୋଟିଆ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଏ.ଏମ୍.ଖାନ୍‌ଓ୍ଵିଲକର ଓ ବିଚାରପତି ଦିନେଶ ମାହେଶ୍ଵରୀଙ୍କର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆଜିର ଶୁଣାଣିରେ ଆନ୍ଧ୍ରର ସତ୍ୟପାଠ ଉପରେ ପ୍ରତି ଜବାବ ରଖିବାକୁ ଓଡ଼ିଶାକୁ କୋର୍ଟ କହିଛନ୍ତି। ଅନ୍ୟପଟେ କୋଟିଆ ଓଡ଼ିଶାର ବୋଲି ଆମ ପାଖରେ ଯଥେଷ୍ଟ ପ୍ରମାଣ ଥିବା ଦାବି କରିଛି ଓଡ଼ିଶା।

“କୋଟିଆରେ ସ୍କୁଲ, ଥାନା ଆଦି ଓଡ଼ିଶା ସରକାର ନିର୍ମାଣ କରିଛନ୍ତି। ରାଜ୍ୟ ପାଖରେ ଏନେଇ ଫଟୋ ସହ ପର୍ଯ୍ୟାପ୍ତ ତଥ୍ୟ ରହିଛି। ତେଣୁ ପ୍ରତି ଜବାବରେ କୋଟିଆ ଓଡ଼ିଶାର ବୋଲି ପ୍ରମାଣ କରିବାକୁ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି”, କହିଛନ୍ତି ଓଡ଼ିଶା ପକ୍ଷ ଓକିଲ ନିରଞ୍ଜନ ସାହୁ।କ’ଣ ଥିଲା ଘଟଣା?

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜର ୩ଟି ଗାଁର ନାମ ବଦଳାଇ ସେଠାରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିଥିଲେ। ଉକ୍ତ ଅଞ୍ଚଳ ଉପରେ ୨୦୦୬ ମସିହାରୁ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲଗାଇଥିଲେ ସୁଦ୍ଧା ଆନ୍ଧ୍ର ସେଠାରେ ଅନୁପ୍ରବେଶ ସହ ସେଠାକାର ଲୋକଙ୍କୁ ଲୋଭ ଦେଖାଇ ନିର୍ବାଚନ ପାଇଁ ପୋଲିଂ ବୁଥ୍ ତିଆରି କରିଥିଲା।

ତେଣୁ ଆନ୍ଧ୍ର ସରକାର ଅଦାଲତ ଅବମାନନା କରୁଥିବା ଅଭିଯୋଗ କରି ଫେବ୍ରୁଆରି ୧୧ ତାରିଖରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ କରିଥିଲେ। ଏହାପର ଦିନ କୋର୍ଟ ଏହି ମାମଲାର ବିଚାର କରି ଓଡ଼ିଶାର ଅଭିଯୋଗ ଉପରେ ୧୯ ତାରିଖ ପୂର୍ବରୁ ଆନ୍ଧ୍ର ସରକାର ଜବାବ ରଖନ୍ତୁ ବୋଲି କହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବୁଧବାର ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା।

କୋଟିଆରେ ଆନ୍ଧ୍ର ସରକାର ନିର୍ବାଚନ କରି ଅଦାଲତ ଅବମାନନା କରି ନଥିବା ସଫେଇ ଦେଇଥିଲା ଆନ୍ଧ୍ର। ୫୦ ପୃଷ୍ଠା ସମ୍ଵଳିତ ସତ୍ୟପାଠରେ ଆନ୍ଧ୍ର ଦର୍ଶାଇଥିଲା ଯେ, କୋଟିଆ ଅଞ୍ଚଳର ୩ଟି ଗାଁ ଫାଟୁସେନେରି, ଗଞ୍ଜେଇଭଦ୍ରା ଏବଂ ପାଗୁଲସେନେରି ଆନ୍ଧ୍ରପ୍ରଦେଶର, ଓଡ଼ିଶାର ନୁହେଁ।

ରାଜ୍ୟ ଗଠନ ହେବା ଦିନଠାରୁ ସେ ଅଞ୍ଚଳରେ ଆନ୍ଧ୍ର ନିର୍ବାଚନ କରାଇ ଆସୁଛି। ଆରାକୁ ସଂସଦୀୟ କ୍ଷେତ୍ର ଏବଂ ସାଲୁର୍ ବିଧାନସଭା କ୍ଷେତ୍ର ପାଇଁ ଏହି ୩ଟି ଗାଁର ଭୋଟରମାନେ ଭୋଟ ଦେଇ ଆସୁଛନ୍ତି। ତେଣୁ ଓଡ଼ିଶା ସରକାର ଭିତ୍ତିହୀନ ଅଭିଯୋଗ ଉଠାଇଛନ୍ତି। ତେଣୁ ଓଡ଼ିଶାର ପିଟିସନକୁ ଖାରଜ କରାଯାଉ ବୋଲି ସୁପ୍ରିମକୋର୍ଟଙ୍କୁ ଆନ୍ଧ୍ର ଆବେଦନ କରିଛି।

Comment