ଓଡ଼ିଶାଲାଇଭ୍ ବ୍ୟୁରୋ

ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ବକ୍ତବ୍ୟ ରଖି ଜାତୀୟ ଦଳଗୁଡ଼ିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନିର୍ବାଚିତ ସରକାରଙ୍କର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରଙ୍କୁ ଠିକ୍ ରୂପେ କାମ କରିବାକୁ ଦିଆଯାଉ ନାହିଁ। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ। ଶୁକ୍ରବାର ନିତି ଆୟୋଗ ବୈଠକରେ ବକ୍ତବ୍ୟ ରଖି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଜାତୀୟ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିବା ସହ ନିର୍ବାଚନୀ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପରାମର୍ଶ ଦେଇଥିଲେ।“ନିର୍ବାଚନ ବେଳେ ଜାତୀୟ ଦଳମାନେ ମହିଳା ସଂରକ୍ଷଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଉଭୟ ଲୋକସଭା ଏବଂ ବିଧାନସଭାରେ ସଂରକ୍ଷଣ ନେଇ କଥା ଦେଇଥିଲେ। ତେଣୁ ଯଦି ଆମେ ଏ ପ୍ରତିଶ୍ରୁତି ପୂରଣ ନ କରିବା ଇତିହାସ ଆମକୁ କ୍ଷମା ଦେବନି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ରେଲୱେ, ଟେଲିକମ, ବ୍ୟାଙ୍କିଂ ଆଦି କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଦିନକୁ ଦିନ ହ୍ରାସ ପାଉଛି। ତେଣୁ ସେସବୁକୁ ବୃଦ୍ଧି କରାଯାଉ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ସହ ଓଡ଼ିଶାର କିଛି ଭାଷାକୁ ସମ୍ଵିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ।

ସେହିପରି ମହାମାରୀ କରୋନା ବିରୋଧୀ ଲଢ଼େଇକୁ ମିଳିତଭାବେ ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି ନବୀନ। ଆମେରିକା ଓ ୟୁରୋପୀୟ ଦେଶଗୁଡିକରେ ଏକତାର ଅଭାବ ଦେଖାଯିବାରୁ ସେଠାରେ ସ୍ଥିତି ଜଟିଳ ହୋଇଥିଲା। ତେଣୁ ଆମ ଦେଶରେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ସଂଘୀୟ ବ୍ୟବସ୍ଥାରେ ଏହା ଜରୁରୀ ଅଟେ। ସଂକୀର୍ଣ୍ଣ ରାଜନୀତିରୁ ଉପରକୁ ଉଠି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ଜଟିଳ ପ୍ରସଙ୍ଗରେ ମିଳିତ ପ୍ରୟାସକୁ ହିଁ ଇତିହାସ ମନେ ରଖିବ ବୋଲି କହିଛନ୍ତି ନବୀନ।

Comment