ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ପାସପୋର୍ଟ ପାଇଁ ଲୋକଙ୍କୁ ପାସପୋର୍ଟ ଅଫିସ ଯିବାକୁ ପଡ଼ିବ ନାହିଁ। ଯେକୌଣସି ସ୍ଥାନରେ ରହି ଆବେଦନ କରିପାରିବେ ପାସପୋର୍ଟ। ଏନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୂରଲୀଧରନ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରଣାଳୟ ‘ଡିଜିଲକର’ ପ୍ଲାଟଫର୍ମରେ ପାସପୋର୍ଟ ସେବାକୁ ଯୋଡ଼ିଛନ୍ତି। ଦେଶର ଯେକୌଣସି ସ୍ଥାନରେ ରହି ‘ଡିଜିଲକର’ ମାଧ୍ୟମରେ ପାସପୋର୍ଟ ଆବେଦନ କରିପାରିବେ। ଏଥିପାଇଁ ପ୍ରଥମେ ‘ଡିଜିଲକର’ରେ ନିଜର ସମସ୍ତ ଡକ୍ୟୁମେଣ୍ଟ ଜମା କରିବାକୁ ପଡ଼ିବ।

ପାସପୋର୍ଟ ସେବା କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୋଗେଇବ କାଗଜବିହୀନ ସେବା। କେନ୍ଦ୍ର ସରକାର ଇ-ପାସପୋର୍ଟ ସେବା ଆରମ୍ଭ କରିବା ଉପରେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଦେଶରେ ପାସପୋର୍ଟ ସୁରକ୍ଷାକୁ ବୃଦ୍ଧି କରାଯାଇପାରିବ।

“ପାସପୋର୍ଟ ହଜିଯାଇଥିଲେ ପୁଣିଥରେ ପାଇବା ପାଇଁ ଏହି ସେବା ସହାୟକ ହେବ” କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୂରଲିଧରନ।

ଡିଜିଲକର କ’ଣ?

ଡିଜିଟାଲ ଲକରକୁ ସଟ୍‌ଫର୍ମରେ ଡିଜି ଲକର କୁହାଯାଇଥାଏ। ଏହା ହେଉଛି ଏକ ଭର୍ଚୁଆଲ ଲକର, ଯେଉଁଥିରେ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ, ଆଧାର କାର୍ଡ଼, ପ୍ୟାନ କାର୍ଡ଼, ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ଏଲଆଇସି କାର୍ଡ଼ ଇତ୍ୟାଦି ସଂରକ୍ଷଣ କରିପାରିବେ। ଏହି ବ୍ୟବସ୍ଥା ୨୦୧୫ରେ ଆରମ୍ଭ କରାଯାଇଥିଲା। ଡିଜି ଲକରରେ ସବୁଠାରୁ ବଡ଼ ସୁବିଧା ହେଉଛି, ଡକ୍ୟୁମେଣ୍ଟକୁ ସାଙ୍ଗରେ ନେବାକୁ ପଡ଼ିନଥାଏ। ଏହି ଡିଜି ଲକରରେ ଡକ୍ୟୁମେଣ୍ଟ ରଖିବାକୁ ଚାହୁଁଥିଲେ ପ୍ରଥମେ ସମସ୍ତ ଡକ୍ୟୁମେଣ୍ଟକୁ ସ୍କାନ କରି ଏଥିରେ ସେଭ୍ କରିବାକୁ ପଡ଼ିବ। ଏହି ଲକର ଆଧାର ନମ୍ବର ସହ ସଂଯୁକ୍ତ ହୋଇଥାଏ।

ଡିଜି ଲକରରେ କେମିତି ଖୋଲିବେ ଆକାଉଣ୍ଟ?

ପ୍ରଥମେ ସୁନିଶ୍ଚିତ କରିବେ ଆପଣଙ୍କ ଫୋନ ନମ୍ବର ଆଧାର କାର୍ଡ ସହ ଲିଙ୍କ ଅଛି କି ନାହିଁ। ଯଦି ଅଛି, digitallocker.gov.in ୱେବସାଇଟକୁ ଯାଆନ୍ତୁ। ସେଥିରେ ଯାଇ ସାଇନ୍ ଅପ କରି ନିଜର ସମସ୍ତ ତଥ୍ୟ ଯଥା ନାମ, ଜନ୍ମ ତାରିଖ, ପଞ୍ଜିକୃତ ମୋବାଇଲ ନମ୍ବର, ଇମେଲ, ପାସୱାଡ ଦିଅନ୍ତୁ। ଏହାପରେ ନିଜର ଆଧାର ନମ୍ବର ଏଣ୍ଟ୍ରି କରିବେ। ଏଣ୍ଟ୍ରି କରିବା ପରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ। ଶେଷରେ ଆପଣ ନିଜର ୟୁଜର ଆଇଡି ଓ ପାସ୍‌ୱାଡ ତିଆରି କରିବେ।

ପାସପୋର୍ଟ ସେବା ପାଇଁ ଡିଜି ଲକରର ବ୍ୟବହାର ଅତ୍ୟନ୍ତ ସହଜ। ଜନସାଧାରଣଙ୍କୁ ପେପରଲେସ୍ ପାସପୋର୍ଟ ସେବା ଯୋଗାଇ ଦେବା ଏହାର ଏକ ମାତ୍ର ଲକ୍ଷ୍ୟ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଡିଜିଟାଲ ଲକର ହେଉଛି, ଡିଜିଟାଲ ଇଣ୍ଡିଆ କର୍ପୋରେସନ ଅଧିନରେ ଥିବା ଇଲୋକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଏକ ପଦକ୍ଷେପ।

LEAVE A REPLY

Please enter your comment!
Please enter your name here