ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଏଣିକି କେହି ଭୋକିଲା ରହିବେ ନାହିଁ କି ରନ୍ଧା ଖାଦ୍ୟ ନଷ୍ଟ ହେବ ନାହିଁ। ବିଏମ୍‌ସିର ନୂଆ ଯୋଜନା ଅନୁସାରେ ବଳକା ଖାଦ୍ୟକୁ ଭୋକିଲା ଲୋକଙ୍କୁ ଦିଆଯିବ।

ଭୁବନେଶ୍ୱରରେ ବିଭିନ୍ନ ହୋଟେଲ,ରେଷ୍ଟୁରାଣ୍ଟ,ଘରେ ଓ ବିବାହ ଆଦି କାର୍ଯ୍ୟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ରନ୍ଧା ଖାଦ୍ୟ ଅପଚୟ ହୋଇଥାଏ। ବିଏମସି ଏଣିକି ଏହାକୁ ସଂଗ୍ରହ କରି ଯେଉଁମାନେ ଖାଦ୍ୟ ଦରକାର କରୁଛନ୍ତି ସେମାନଙ୍କୁ ବାଣ୍ଟିବ। ଦିନକୁ ଦୁଇ ଥର ଏହି ଆବଣ୍ଟନ କରାଯିବ।

ମଧ୍ୟାହ୍ନରେ ଯେଉଁସବୁ ସ୍ଥାନ ଖାଦ୍ୟ ଆବଣ୍ଟନ ପାଇଁ ଚିହ୍ନଟ କରାଯାଇଛି ସେଗୁଡିକ ହେଲା ଘରୋଇ ଆଶ୍ରୟ ସ୍ଥଳ, ଜରା ନିବାସ, ଅରଫାନେଜ, ସମ ହସ୍ପିଟାଲ, ମାଷ୍ଟର କ୍ୟାଣ୍ଟିନ ଓ କିମ୍ସ ହସ୍ପିଟାଲ।

ଠିକ ସେହିଭଳି ରାତିରେ ଯେଉଁ ସବୁ ସ୍ଥାନରେ ଲୋକେ ଖାଦ୍ୟ ପାଇପାରିବେ ସେହି ସ୍ଥାନଗୁଡ଼ିକ ହେଲା ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ ଷ୍ଟାଣ୍ଡ, କ୍ୟାପିଟାଲ ହସ୍ପିଟାଲ,ସମ ହସ୍ପିଟାଲ ଓ କିମ୍ସ।

ବିଏମସି ପକ୍ଷରୁ କୁହାଯାଇଛି ଯେ ଯେଉଁ ଏନଜିଓ ଏହି କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯିବ। ସେମାନଙ୍କର କାମ ହେବ ହୋଟେଲ, ରେଷ୍ଟୁରାଣ୍ଟ, ବିବାହ ଉତ୍ସବର ଆୟୋଜକ, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିର କର୍ମକର୍ତ୍ତା ଏ ସମସ୍ତଙ୍କ ଯୋଗାଯୋଗ କରି ବଳକା  ଖାଦ୍ୟ ସଂଗ୍ରହ କରିବା।

ତା’ ଛଡ଼ା ଯେଉଁ ମାନଙ୍କଠାରୁ  ଖାଦ୍ୟ ସଂଗ୍ରହ କରାଗଲା ତାଙ୍କର ରେକର୍ଡ ମଧ୍ୟ ରଖିବେ। ସେମାନଙ୍କର ନାମ, ମୋବାଇଲ ନମ୍ବର ଓ ଫୋଟୋ ଆଇଡି ଇତ୍ୟାଦି ରହିବ।

ଖାଦ୍ୟ ସଂଗ୍ରହ ଓ ଆବଣ୍ଟନ କେମିତି ହେବ ଏନଜିଓମାନଙ୍କୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯିବ।ଏଥିପାଇଁ ମାସକୁ ପ୍ରାୟ ଦଶ ହଜାର ଲୋକଙ୍କୁ ଟାର୍ଗେଟ କରାଯାଇଛି। ଖାଦ୍ୟର ମାନ ପରୀକ୍ଷା ସହ ତାହାକୁ ସଂରକ୍ଷିତ ରଖିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବିଏମସି କହିଛି।

Comment