ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ ଆଜିର ଦିନରେ ବଲିଉଡରୁ ଆସିଥିଲା ଏକ ଦୁଃଖଦ ଖବର। ବଲିଉଡର ଚାନ୍ଦିନୀ ଶ୍ରୀଦେବୀଙ୍କର ଏହି ଦିନ ମୃତ୍ୟୁ ଘଟିଥିଲା। ଏହି ଖବର ସମସ୍ତ ସିନେପ୍ରେମୀଙ୍କୁ ଦୁଃଖ ଦେଇଥିଲା। ଆଜି ତାଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ପରିବାରଠୁ ନେଇ ବଲିଉଡ ସମେସ୍ତ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି।

ଶ୍ରୀଦେବୀଙ୍କ ପ୍ରକୃତ ନାମ ହେଲା-ଶ୍ରୀ ଅମ୍ମା ୟଙ୍ଗର୍ ଆୟାପାନ୍। ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ଶିବକାଶୀଠାରେ ତାଙ୍କର ଜନ୍ମ ହୋଇଥିଲା।

ଶ୍ରୀଦେବୀ ମାତ୍ର ୪ ବର୍ଷ ବୟସରେ ତାମିଲ୍ ଫିଲ୍ମ ‘ଥୁନାଇଭାନ’ରେ ମୁରୁଗା ଭଗବାନଙ୍କ ବାଲ୍ୟ ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଠିକ୍ ସେହିପରି ବଲିଉଡରେ ସେ ‘ଜୁଲି’ (୧୯୭୫)ରେ ଶିଶୁ କଳାକାର ଭାବେ ପ୍ରଥମଥର ପାଇଁ ଦେଖା ଦେଇଥିଲେ। ୧୯୭୯ରେ ରିଲିଜ୍ ହୋଇଥିବା ‘ସୋଲଭା ସାୱନ’ରୁ ବଲିଉଡରେ ହିରୋଇନ୍ ଭାବେ ଡେବ୍ୟୁ କରି ଥିଲେ ଶ୍ରୀଦେବୀ।

ଏହାପରେ ତାଙ୍କୁ ହିମ୍ମତୱାଲା, ଜଷ୍ଟିସ୍ ଚୌଧୁରୀ, ତୋଫାମୱାଲି, ବଲିଦାନ, ଔଲାଦ୍, ଘରସଂସାର, ଧରମ ଅଧିକାରୀ, ସୋନେ ପେ ସୁହାଗା, ଆଗ୍ ଔର ଶୋଲା, ସରପରୋଶ, ମାଷ୍ଟରଜୀ, ଜାଗ୍ ଉଠା ଇନସାନ୍, ଗୁରୁ, ନଗୀନା, ନିଗାହେଁ, କର୍ମା, ଜାନବାଜ୍, ଚାଲ୍‌ବାଜ୍, ରୂପକୀ ରାନୀ, ଚୋରୋଁକା ରାଜା, ଚାନ୍ଦିନୀ, ଲମହେଁ, ଖୁଦାଗବାହ, ଗୁମରାହ, ଜୁଦାଇ ଓ  ମମ୍ ଓ ଇଂଲିସ୍ ବିଂଲିସ୍ ଆଦି ସମେତ ବହୁ ହିନ୍ଦୀ ସିନେମାରେ ଦେଖିବାକୁ ମିଳିଥିଲା।

ଶ୍ରୀଦେବୀ ଛୋଟ ପରଦାରେ ‘ମାଲିନି ଆୟାର୍‌’ ଟାଇଟଲରେ ପ୍ରସାରିତ ହୋଇଥିବା ଏକ ମେଗା ସିରିଏଲରେ ବି ଅଭିନୟ କରିଥିଲେ। ସେ ନଗୀନା, ମିଷ୍ଟର ଇଣ୍ଡିଆ, ଚାଲବାଜ୍ ଓ ଲମହେ ଭଳି ଫିଲ୍ମ ପାଇଁ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ। ୨୦୧୩ରେ ଭାରତ ସରକାର ପ୍ରଦତ୍ତ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ରେ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀଦେବୀ।

 

କିଛି ବ୍ୟକ୍ତିଗତ କଥା ଆଫେଆର୍ ଓ ବାହାଘରର ରୋଚକ ପ୍ରସଙ୍ଗ

ବଲିଉଡ୍ ଡିଭା ଶ୍ରୀଦେବୀ ୧୯୯୬ ମସିହା ଜୁନ୍ ୨ ତାରିଖରେ ପ୍ରଖ୍ୟାତ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଥିଲେ। ହେଲେ ବୋନି କପୁର ଥିଲେ ବିବାହିତ। ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ମଧ୍ୟ ଥିଲେ। ଏଭଳି ଜଣେ ବିବାହିତ ପୁରୁଷଙ୍କୁ ଶ୍ରୀଦେବୀଙ୍କ ଭଳି ସୁପରଷ୍ଟାର ହିରୋଇନ୍ ଯେ ବିବାହ କରିବେ, ତାହା କଳ୍ପନା ବାହାରେ ଥିଲ।। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବୋନି କପୁରଙ୍କଠାରୁ ଶ୍ରୀଦେବୀ ବୟସରେ ପ୍ରାୟ ୮ବର୍ଷ ସାନ। ୧୯୯୩ ମସିହାରେ ବୋନି କପୁର ଶ୍ରୀଦେବୀଙ୍କୁ ପ୍ରପୋଜ୍ କରିଥିଲେ।

ଏହାପରେ ବୋନି ଓ ଶ୍ରୀଦେବୀ ପରସ୍ପର ପ୍ରତି ଅନ୍ତରଙ୍ଗ ହୋଇଉଠିଥିଲେ। କୁହାଯାଏ ଯେ ଶ୍ରୀଦେବୀ ବିବାହ ସମୟରେ ଗର୍ଭବତୀ ଥିଲେ। ଶ୍ରୀଦେବୀ ପୂର୍ବରୁ ଏକ ସାକ୍ଷାତକାରରେ ଘୋଷଣା କରିଥିଲେ ଯେ ସେ କୌଣସି ବିବାହିତ ପୁରୁଷର ପତ୍ନୀ ହେବାକୁ ଚାହାଁନ୍ତି ନାହିଁ, କି କୌଣସି ଲୋକର ଦ୍ୱିତୀୟ ପତ୍ନୀ ହେବେ ନାହିଁ। ହେଲେ ନିଜର ଏକଥାକୁ ଶେଷରେ ଭୁଲ ବୋଲି ପ୍ରମାଣିତ କରିଥିଲେ ଶ୍ରୀଦେବୀ। କାରଣ ସେ ବିବାହିତ ପୁରୁଷ ବୋନି କପୁରଙ୍କ ଦ୍ୱିତୀୟ ପତ୍ନୀ ବନିଥିଲେ। ଶ୍ରୀଦେବୀଙ୍କୁ ବାହା ହେବା ପରେ ବୋନି ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ଶ୍ରୀଦେବୀଙ୍କର କେତୋଟି ଆଫେଆର୍ ଅନେକ ସମୟରେ ଚର୍ଚ୍ଚାର ବିଷୟ ବନିଥିଲା। ସେ କ୍ୟାରିଅର ଆରମ୍ଭ କରିବା ବେଳେ ଜମ୍ପିଂ ଜ୍ୟାକ୍ ଜିତେନ୍ଦ୍ରଙ୍କ ସହ ତାଙ୍କର ଲିଙ୍କ ଅପକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ହେଲେ ଏହାକୁ ସେ ଖଣ୍ଡନ କରି କହିଥିଲେ ଯେ ଜିତେନ୍ଦ୍ର ଜଣେ ଭଲ ମଣିଷ, ସେ ତାଙ୍କୁ ସବୁ ବେଳେ ସାହାଯ୍ୟ କରିଆସିଛନ୍ତି ଓ ଜଣେ ବିବାହିତ ପୁରୁଷ ସହିତ ସେ ବା କାହିଁକି ଛନ୍ଦି ହେବେ।

‘ଜାଗ ଉଠା ଇନସାନ୍’ ଫିଲ୍ମରେ କାମ କରିବା ବେଳେ ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଶ୍ରୀଦେବୀଙ୍କର ଆଫେଆର୍ ଗଢ଼ିଉଠିଥିଲା। ପରେ ‘ଗୁରୁ’ରେ କାମ କରିବା ସମୟରେ ଶ୍ରୀଦେବୀ ଓ ମିଥୁନ୍ ଗୁପ୍ତ ବିବାହ କରିଥିବା ନେଇ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା।

Comment