ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଥମ ଲେଖିକା ସୋନମ ଶେଖାୱତ, ଯେ ପ୍ରଥମଥର ପାଇଁ ‘ଏମି’ ପୁରସ୍କାର ପାଇଥିଲେ। ସୋନମଙ୍କ ଘର ରାଜସ୍ଥାନର କରୈଲୀ ସହରରେ କିନ୍ତୁ ସେ ଜୟପୁର ସହରରେ ରହି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ କାର୍ଟୁନ ଶୋ’ ପାଇଁ ଅନେକ କାହାଣୀ ଲେଖି ସାରିଛନ୍ତି। ନିକ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ କାଟୁନ୍ ଛୋଟା ଭିମ୍‌, ମାଇଟି ରାଜୁ, ଆଁଲ ହେଲ କିଙ୍ଗ ଜୁଲିୟନ, ଶକ୍ତିମାନ ଏନିମେଟେଡ ଇତ୍ୟାଦି ଅନେକ କାଟୁନ ଶୋ’ ପାଇଁ କାହାଣୀ ଲେଖି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

‘ଏମି’ ପୁରସ୍କାର କ’ଣ?

ଟେଲିଭିଜନ ଦୁନିଆକୁ ଆଧାର କରି ‘ଏମି’ ପୁରସ୍କାର ଦିଆଯାଇଥାଏ। ଏହାକୁ ଅନେକ ‘ଆମି’ ପୁରସ୍କାର ମଧ୍ୟ କହିଥାନ୍ତି। ଏହା ଏକ ଟେଲିଭିଜନ ଉତ୍ପାଦନ ପୁରସ୍କାର। ମନୋରଞ୍ଜନ ଉପରେ ଧ୍ୟାନ ଦିଆଯାଇ, ଏହି ପୁରସ୍କାର ଘୋଷଣା କରାଯାଇଥାଏ। ଏହାକୁ ଟେଲିଭିଜନର ଏକାଡେମୀ ପୁରସ୍କାର ବା ଚଳଚ୍ଚିତ୍ର ପାଇଁ, ଟନି ପୁରସ୍କାର ବା ନାଟକ ପାଇଁ ଏବଂ ଗ୍ରାମୀ ପୁରସ୍କାର ବା ସଂଗୀତ ପାଇଁ ପ୍ରଦାନ କରାଯାଇଥାଏ।

ସୋନମଙ୍କୁ ୧୧ ବର୍ଷ ବୟସରୁ ଲେଖାଲେଖି କରିବାର ରୁଚି ଥିଲା। କିନ୍ତୁ ସେତେବେଳେ ସେ କେବଳ କବିତା ଲେଖୁଥିଲେ। ୧୫ ବର୍ଷ ବୟସରେ ସେ କାହାଣୀ ଲେଖିବା ଆରମ୍ଭ କରିଥିଲେ। ସ୍କୁଲ ପଢ଼ିବା ସମୟରେ ସେ ୫ ଶହ ପୃଷ୍ଠା ବିଶିଷ୍ଠ ଏକ ଉପନ୍ୟାସ ଲେଖିଥିଲେ। କିନ୍ତୁ ସୋନମଙ୍କ ଉପନ୍ୟାସ ଛପା ହୋଇପାରିନଥିଲା। କାରଣ ସେ ଉପନ୍ୟାସ ମାଧ୍ୟମରେ ତାଙ୍କ ଚାରି ଭାଇଙ୍କ କଥାକୁ ଆଧୁନିକ ଶୈଳୀରେ ପ୍ରକାଶ କରିଥିଲେ।

ସ୍କୁଲ ପଢ଼ା ସରିବା ପରେ ସୋନମ ବିର୍ଲା ଇଣ୍ଟିଚ୍ୟୁଟ ଅଫ ଟେକ୍‌ନଲୋଜିରେ ଏନିମେସନ ଓ ମଲ୍ଟିମିଡିଆ ଡିଗ୍ରୀ କରିଥିଲେ। କଲେଜ ସରିବା ପରେ ପ୍ରଥମେ ତାଙ୍କୁ ରିଲାଏନ୍ସ ଏନିମେସନ ପାଇଁ କାମ କରିବାକୁ ସୁଯୋଗ ମିଳିଥିଲା। ସେଥିରେ କାମ କରିବା ଭିତରେ ସୋନମଙ୍କ ଏକ ସାଙ୍ଗ ତାଙ୍କୁ ମେନସା ବିଷୟରେ ଜଣାଇଥିଲେ ଏବଂ ସେ ନିଜର ଆଇକ୍ୟୁ ଟେଷ୍ଟ ମଧ୍ୟ କରିଥିଲେ। ସେହି ଟେଷ୍ଟ ପରଠାରୁ ସୋନମଙ୍କୁ ତାଙ୍କ ଦକ୍ଷତା ଓ କୌଶଳ ସମ୍ପର୍କରେ ଜଣାପଡ଼ିଥିଲା। ସେହିଠାରୁ ଆରମ୍ଭ ହୋଇଥିଲା ସୋନମଙ୍କ କାର୍ଟୁନ କାହାଣୀ।

ପ୍ରଥମଥର ପାଇଁ ଏକ ଇଣ୍ଟର୍ନସିପ୍ ଜରିଆରେ ସୋନମଙ୍କୁ ‘ଶକ୍ତି ମାନ ଏନିମେଟେଡ’ ସିରିଜରେ କାମ କରିବାକୁ ସୁଯୋଗ ମିଳିଲା। ୨୦୧୨ ମସିହାରେ ସୋନମ ଗ୍ରୀନ ଗୋଲ୍ଡ ଏନିମେସନ ସଂସ୍ଥା ସହ ଯୋଡ଼ି ହୋଇଥିଲେ। ସେ ସମୟରେ ଏହି ସଂସ୍ଥା କାର୍ଟୁନ ଚ୍ୟାନେଲ ‘ଡିଜନ୍‌’ ସହ କାମ କରୁଥିଲା। ପରେପରେ ସୋନମ ଲୋକପ୍ରିୟ କାର୍ଟୁନ ମାଇଟି ରାଜୁ ଓ ଛୋଟା ଭିମ୍ ପାଇଁ ଲେଖିବା ଆରମ୍ଭ କରିଥିଲେ। ଏହାଛଡ଼ା ସେ ଲିଟଲ ସିଙ୍ଘମ, ଗୋଲମାଲ ଜୁନିୟର, ଭୁତ୍ ବନ୍ଧୁ ଭଳି ଅନେକ ଶୋ’ ମଧ୍ୟ କରିଥିଲେ। ଭାରତରେ ତିଆରି ହୋଇଥିବା ପ୍ରାୟ ୧୭ ଟି ଶୋ’ର କାହାଣୀ ଲେଖିବା ସହ ୟୁରୋପ ଏବଂ ଆମେରିକାରେ ପ୍ରସାରିତ ହେଉଥିବା ଅନେକ ଶୋ’ର ନିର୍ମାତା ହେଉଛନ୍ତି ସୋନମ ଶେଖାୱତ।

୨୦୧୫ ମସିହାରେ ସୋନମ ‘ଆଁଲ ହେଲ କିଙ୍ଗ ଜୁଲିୟନ’ ନାମକ ଏକ ଶୋ’ ପାଇଁ ଲେଖିବା ଆରମ୍ଭ କରିଥିଲେ। ଏହି ଶୋ’ର ତିନୋଟି ଯାକ ସିଜନ୍ ‘ଏମି’ ପୁରସ୍କାର ପାଇଁ ନାମାଙ୍କିତ କରାଯାଇଥିଲା। ଏହି ଏନିମେଟେଡ ସିରିଜର ତୃତୀୟ ସିଜନ୍‌ରେ ଉତ୍କୃଷ୍ଟମାନର ଲେଖା ପାଇଁ ସୋନମଙ୍କୁ ‘ଏମି’ ପୁରସ୍କାର ବିଜେତା ଘୋଷିତ କରାଯାଇଥିଲା। ସୋନମ ହେଉଛନ୍ତି ଭାରତର ପ୍ରଥମ ‘ଏମି’ ପୁରସ୍କାର ପ୍ରାପ୍ତ ଲେଖିକା।

ସୋନମଙ୍କ ଉତ୍କୃଷ୍ଟମାନର କାହାଣୀ ଲେଖା ପାଇଁ ଆଜି ସେ ବିଶ୍ୱ ପ୍ରସିଦ୍ଧ। ନିଜ ଦେଶରେ କାମ କରିବା ସହ ଳଣ୍ଡନରେ ମଧ୍ୟ କାମ କରନ୍ତି ସୋନମ। ପୂର୍ବରୁ ସୋନମଙ୍କୁ ଯେଉଁ ଷ୍ଟୁଡିଓରେ କାମ କରିବାକୁ ସୁଯୋଗ ମିଳୁଥିଲା ସେ କରୁଥିଲେ, କିନ୍ତୁ ଏବେ ସୋନମ ତାଙ୍କ ନିଜ ଇଚ୍ଛାରେ ଷ୍ଟୁଡିଓ ପସନ୍ଦ କରୁଛନ୍ତି। ସେ ବର୍ତ୍ତମାନ ଭାରତୀୟ ପୌରାଣିକ ଗାଥାକୁ ନେଇ ଶୋ’କରୁଛନ୍ତି। ସେଥିପାଇଁ ସେ ଖୁସି ଅଛନ୍ତି । ପରବର୍ତ୍ତୀ ପୀଢ଼ି କିଭଳି ସୋନମଙ୍କୁ ମନ ରଖିବେ, ସେ ନେଇ ଆଗକୁ କାମ କରିବାକୁ ଭାବିଛନ୍ତି ସୋନମ।

Comment