ଓଡ଼ିଶାଲାଇଭ୍‌ ଏଣ୍ଟରଟେନ ବ୍ୟୁରୋ

‘ଏକ ପ୍ୟାର୍‌ କା ନଗମା ହୈ’ ବଲିଉଡର ଏହା ଏକ ଚିର ସବୁଜ ଗୀତ। ଏହି ଗୀତକୁ ନିଜ କଲମରେ ସଜାଇଥିଲେ ପ୍ରଖ୍ୟାତ ଗୀତିକାର ସନ୍ତୋଷ ଆନନ୍ଦ। ଏମିତିକି ୭୦-୮୦ ଦଶକରେ ସେ ଇଣ୍ଡଷ୍ଟ୍ରିରେ ସବୁଠୁ ଲୋକ୍ରପିୟ ଗୀତିକାର ହୋଇପାରିଥିଲେ। ହେଲେ ଏବେ ସନ୍ତୋଷ ଆନନ୍ଦ ଇଣ୍ଡଷ୍ଟ୍ରିରୁ ବହୁତ ଦୂରରେ। ୮୧ ବର୍ଷ ବୟସରେ ନିଃସଙ୍ଗ ଜୀବନ ବିତାଉଛନ୍ତି ସନ୍ତୋଷ ଆନନ୍ଦ। ଏମିତିକି ପରିଣତ ବୟସରେ ତାଙ୍କ ପାଖରେ ଆର୍ଥିକ ସମ୍ବଳ ବୋଲି କିଛି ନାହିଁ।

ସନ୍ତୋଷ ଆନନ୍ଦଙ୍କ ଗୀତ ପ୍ରାୟ ସବୁ ଗାୟକ, ଗାୟିକା ତାଙ୍କ କ୍ୟାରିୟରରେ କେଉଁଠି ନା କେଉଁଠି ଗାଇଥିବେ, ଯାହା ତାଙ୍କୁ ମାଇଲେଜ ଦେଇଥିବ। ବଲିଉଡକୁ ନିଜ ଗୀତରେ ସଜାଇଥିବା ଏହି ଗୀତିକାର ନିକଟରେ ସଙ୍ଗୀତଭିତ୍ତିକ ରିଆଲିଟି ସୋ’ ଇଣ୍ଡିଆନ ଆଇଡଲରେ ନଜର ଆସିଥିଲେ। ମଞ୍ଚ ଉପରେ ତାଙ୍କୁ ଦେଖି ସଙ୍ଗୀତ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ଚକିତ ହୋଇପଡ଼ିଥିଲେ। ତାଙ୍କ ମହୁଁରୁ ସଂଘର୍ଷର କଥା ଶୁଣି ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ଜଜ୍‌, ଦର୍ଶକଙ୍କଠାରୁ ଆରମ୍ଭ କରି ଜୁରି ମେମ୍ବର ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା।

‘ଏକ୍‌ ପ୍ୟାର କା ନଗମା ହୈ’, ‘ଜିନ୍ଦେଗୀ କି ନା ତୁଟେ ଲଡି’, ‘ମହବତ ହୈ କୟା ଚିଜ୍‌’, ‘ମେଘାରେ ମେଘାରେ ମତ ଜା ତୁ ପରଦେଶ’, ‘ମୈ ନା ଭୁଲୁଙ୍ଗା’ ଭଳି ଅନେକ ଲୋକପ୍ରିୟ ଗୀତର ଗୀତିକାର ସନ୍ତୋଷ ଆନନ୍ଦ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।

୨୦୧୪ରେ ତାଙ୍କର ଏକମାତ୍ର ପୁଅ ତାଙ୍କ ପତ୍ନୀଙ୍କ ସହ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। କିନ୍ତୁ ତାଙ୍କର କୁନି ଝିଅ ଏଥିରୁ ବଞ୍ଚିଯାଇଥିଲା। ଆଖି ଆଗରେ ଯବାନ ପୁଅ, ବୋହୂଙ୍କ ମୃତ୍ୟୁ ଦେଖି ଭାଙ୍ଗି ପଡ଼ିଥିଲେ ସନ୍ତୋଷ ଆନନ୍ଦ। ପୁଅ ବୋହୂଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିବା ବେଳେ ବରିଷ୍ଠ ଗୀତିକାରଙ୍କ ହାତରେ କାମ ନାହିଁ।

ପ୍ରଖ୍ୟାତ ଗୀତିକାର ସନ୍ତୋଷ ଆନନ୍ଦ ୧୯୩୯ ମସିହାରେ ସିକନ୍ଦରାବାଦରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରେଷ୍ଠ ଗୀତିକାର ଭାବେ ମଧ୍ୟ ସେ ସମ୍ମାନୀତ ହୋଇଛନ୍ତି। ୧୯୭୦ ମସିହାରେ ଫିଲ୍ମ ‘ପୁରବ ଓ ପଶ୍ଚିମ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

Comment