ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରାଦ୍ଧବାର୍ଷିକୀରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରମୀ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି।

ମାତୃଭୂମିର ସ୍ୱାଧୀନତା ପାଇଁ ତ୍ୟାଗ, ସଂଘର୍ଷ ଓ ଅଦମ୍ୟ ସାହସ ଯୋଗୁଁ ଆଜିବି କୋଟି କୋଟି ଭାରତୀୟଙ୍କ ମନରେ ଜୀବିତ ଅଛନ୍ତି ବିନାୟକ ଦାମୋଦର ସାବରକର। ଯାହାଙ୍କୁ ସମସ୍ତେ ବୀର ସାବରକର ଭାବେ ଜାଣିଛନ୍ତି।

ମାତ୍ର ୧୧ ବର୍ଷ ବୟସରେ ମାତୃଭୂମିର ସୁରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ ସାବରକର। ସେ ୨୮,ମେ’, ୧୮୮୩ରେ ମହାରାଷ୍ଟ୍ରର ନାସିକ ଭାଗୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।  ପିଲାବେଳୁ ହିଁ ନିଜ ଲକ୍ଷ୍ୟ ସ୍ଥିର କରିନେଇଥିଲେ। ପାଠପଢ଼ିବା ସମୟରେ ସାବରକର ଭାରତର ସ୍ୱାଧୀନତା ପାଇଁ ସମର୍ପିତ ଏକ ସଙ୍ଗଠନ ‘ଅଭିନବ ଭାରତ’ ସହ ଯୋଡ଼ି ହୋଇଥିଲେ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ରାଜନୈତିକ ନେତା ଯିଏ ସର୍ବପ୍ରଥମେ ବିଦେଶୀ ବସ୍ତ୍ରକୁ ଜଳାଇଥିଲେ।

ଉଚ୍ଚ ଶିକ୍ଷା ପାଇଁ ସେ ଲଣ୍ଡନ ଯାଇଥିଲେ। ସେଠାରେ ହିଁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ କ୍ରାନ୍ତିକାରୀ ଆନ୍ଦୋଳନ ଆରମ୍ଭ କରିଥିଲେ। ସର୍ବପ୍ରଥମେ ସାବରକର ହିଁ ପୂର୍ଣ୍ଣ ସ୍ୱାଧୀନତାର ଦାବି କରିଥିଲେ। ଫଳରେ ବ୍ରିଟିଶ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ ସାବରକର। ଜଣେ ଇଂରେଜ ଅଫିସରଙ୍କ ହତ୍ୟା ଅଭିଯୋଗରେ ତାଙ୍କୁ ଫସାଇ ଇଂଲଣ୍ଡରୁ ଗିରଫ କରାଯାଇଥିଲା। ଇଂଲଣ୍ଡରୁ ତାଙ୍କୁ ପାଣି ଜାହାଜରେ ଭାରତକୁ ଆଣିବା ସମୟରେ ସେ ଜାହାଜରୁ ଡେଇଁ ଇଂରେଜମାନଙ୍କ କବଳରୁ ଖସି ପଳାଇଥିଲେ। ପରବର୍ତ୍ତୀ ସମୟରେ ପୁଣି ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ବ୍ରିଟିଶ କୋର୍ଟ ତାଙ୍କୁ ଦୁଇଟି ଜନ୍ମର କାରାଦଣ୍ଡାଦେଶ ଶୁଣାଇଥିଲେ। ଅର୍ଥାତ୍ ତାଙ୍କୁ ୫୦ ବର୍ଷର ଜେଲଦଣ୍ଡ ଦିଆଯାଇଥିଲା।

ତାଙ୍କୁ ଆଣ୍ଡାମାନର ସେଲ୍ୟୁଲାର ଜେଲରେ ରଖାଯାଇଥିଲା। ଜେଲ୍‌ କୋଠରୀ ଭିତରେ ସାବରକରଙ୍କୁ ଅକଥନୀୟ ଯନ୍ତ୍ରଣା ଦିଆଯାଇଥିଲା। ତଥାପି ସେ ହାର ମାନି ନଥିଲେ। ଇଂରେଜମାନଙ୍କ ଅତ୍ୟାଚାର ବଢ଼ିବା ସହିତ ତାଙ୍କ ସଂଘର୍ଷ ମଧ୍ୟ ଦିନକୁ ଦୃଢ଼ ହେବାରେ ଲାଗିଥିଲା। ଜେଲରେ ଥିବା ସମୟରେ ସାବରକରଙ୍କ ଲିଖିତ ଇଣ୍ଡିଆନ ‘ଓ୍ୱାର୍‌ ଅଫ୍‌ ଇଣ୍ଡିପେଣ୍ଡେନ୍ସ’ ପୁସ୍ତକ ଖ୍ୟାତି ଅର୍ଜନ କରିସାରିଥିଲା। ହେଲେ ଇଂରେଜ ସରକାର ଏହି ପୁସ୍ତକ ଉପରେ ବ୍ୟାନ ଲଗାଇଥିଲେ। ଏହି ପୁସ୍ତକ ଜରିଆରେ ସାବରକର ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ପ୍ରେରଣା ଦେଇଥିଲେ। ୧୯୬୬ ମସିହାରେ ଫେବ୍ରୁଆରି ୨୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ବୀର ସାବରକରଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ହିଁ ଥିଲା ଯେଉଁଥିପାଇଁ ଭାରତର ସ୍ୱାଧୀନତାର ସ୍ୱାଦ ଚାଖିଥିଲା।

Comment