ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀର ଟ୍ୟୁମର ପୀଡ଼ିତା କୁନି ପଣ୍ଡାଙ୍କ ପାଇଁ ଦେବଦୂତ ସାଜିଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। ତାଙ୍କ ସହାୟତା ପାଇଁ ହାତରେ ହୋଇଥିବା ଟ୍ୟୁମରରୁ ଭଲ ହୋଇଛନ୍ତି କୁନି। ଯାହାଫଳରେ ଏବେ ସେ ନିଜ ହାତରେ ସବୁ କରିପାରୁଛନ୍ତି। ଏମିତିକି ସୁସ୍ଥ ହେବା ପରେ ସେ ଅଭିନେତା ସବ୍ୟସାଚୀଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଛନ୍ତି।

ଭୁବନେଶ୍ୱର ସ୍ଥିତ ଏମ୍ସରେ ଡାକ୍ତରମାନଙ୍କ ସହ ପରାମର୍ଶ କରି କୁନିଙ୍କ ହାତର ଅପରେସନ କରାଇଥିଲେ ସବ୍ୟସାଚୀ। ହାତର ଅପରେସନ ସଫଳ ହୋଇଥିବାରୁ କୁନି ଏକ ନୂଆ ଜୀବନ ପାଇଥିବା କହିଛନ୍ତି।

ପୁରୀ ଜିଲ୍ଲା ସଦର ବ୍ଲକ ବାଲିପଡ଼ା ଗାଁର ଝିଅ ହେଉଛନ୍ତି କୁନି ପଣ୍ଡା। ଯାହାର ହାତରେ ହୋଇଥିଲା ଟ୍ୟୁମର, ଆଉ ସେହି ଟ୍ୟୁମରକୁ ନେଇ କୁନି ଏବଂ ତାଙ୍କ ପରିବାର ଲୋକ ଦୁଃଖରେ ଥିଲେ। ଲକ୍‌ଡାଉନ ସମୟରେ କୁନି ସୋସିଆଲ ମିଡିଆରେ ସାହାଯ୍ୟ ମାଗିଥିଲେ। କୁନିଙ୍କ ଏହି ଭିଡିଓ ଦେଖି ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର।

କୁନି ବାଲିପଡ଼ା ଗାଁରେ ନିଜର ବିଧବା ମା ଓ ସାନ ଭାଇଙ୍କ ସହ ରୁହନ୍ତି। ହାତରେ ଟ୍ୟୁମର କାରଣରୁ ସେ କୌଣସି କାମ କରିପାରୁନଥିଲେ। ସାନ ଭାଇର ରୋଜଗାରରେ ଚଳୁଥିଲା ପୁରା ପରିବାର। କୁନିଙ୍କ ଟ୍ୟୁମରର ଚିକିତ୍ସା ଖର୍ଚ୍ଚ ଏତେ ଥିଲା ଯେ, କରୋନା ସମୟରେ ତାଙ୍କ ପାଖରେ ଚିକିତ୍ସା କରାଇବାକୁ ପଇସାଟିଏ ନଥିଲା। ଯାହା ଯେତିକି ପଇସା ଥିଲା ସବୁ କୁନିଙ୍କ ଟ୍ୟୁମର ଟେଷ୍ଟରେ ଖର୍ଚ୍ଚ ହୋଇଯାଇଥିଲା। ଡାକ୍ତର କହିଥିଲେ ଯେ, ଯଦି କୁନି ହାତର ଚିକିତ୍ସା ଠିକ୍‌ରେ କରାନଯାଏ, ତେବେ ତାଙ୍କ ହାତ କାଟିବାକୁ ପଡ଼ିବ। ଶେଷରେ ସବୁଆଡ଼ୁ ନିରାଶ ହୋଇ କୁନି ସୋସିଆଲ ମିଡିଆର ସାହାରା ନେଇଥିଲେ।

ହାତ ଅପରେସନର ସାହାଯ୍ୟ ମାଗି ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓଟିକୁ ଦେଖିଥିଲେ ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର। ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ସମସ୍ତ ଚିକିତ୍ସାର ବନ୍ଦୋବସ୍ତ କରାଇଥିଲେ। ସବ୍ୟ କହିଥିଲେ, କୁନି ଚିକିତ୍ସା ପରେ ତା’ର ହାତ ଫେରିପାଇବ।

ସବ୍ୟ ଦେଇଥିବା ପ୍ରତିଶ୍ରୁତି ସତ ହୋଇଛି। କୁନି ତାଙ୍କର ହାତ ଫେରି ପାଇଛନ୍ତି। ଏମ୍ସରେ ହୋଇଥିବା ଅପରେସନ ସଫଳ ହୋଇଛି। ପୂର୍ବ କଥା ଅନୁସାରେ, ହାତ ଭଲ ହେବାପରେ ସେହି ହାତରେ ସବ୍ୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି। ଖାଲି ସେତିକି ନୁହେଁ ସବ୍ୟଙ୍କ ନାମରେ ହାତରେ ଟାଟୁ ମଧ୍ୟ କରିଛନ୍ତି କୁନି। ସଫଳ ଅପରେସନ ପାଇଁ ଏମ୍ସର ଡାକ୍ତର ଓ ଯେଉଁମାନେ କୁନିଙ୍କ ପାଇଁ ପ୍ରାର୍ଥନା କରିଥିଲେ, ସମସ୍ତଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ସବ୍ୟସାଚୀ।

ଲକ୍‌ଡାଉନ ସମୟରେ ସବ୍ୟସାଚୀ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ପ୍ରବାସୀ ଓଡ଼ିଆଙ୍କଠାରୁ ଆରମ୍ଭ କରି ଯାତ୍ରା କଳାକାର, ବାହାର ରାଜ୍ୟକୁ ପରୀକ୍ଷା ଦେବାକୁ ଯାଇ ଫଶିଥିବା ଛାତ୍ରଛାତ୍ରୀ ସମସ୍ତଙ୍କୁ ସହାୟତାର ହାତ ବଢ଼ାଇ ଉଦାହରଣ ପାଲଟିଛନ୍ତି ସବ୍ୟସାଚୀ ମିଶ୍ର।

Comment