ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ରହିଛି। ଖାଲି ରାଜ୍ୟ ନୁହେଁ, ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି ଭୁବନେଶ୍ୱର। ଫେବ୍ରୁଆରି ୨୫ ତାରିଖ ସୁଦ୍ଧା ଆଞ୍ଚଳିକ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଭୁବନେଶ୍ୱରର ତାପମାତ୍ରା ୩୯.୪ ଡିଗ୍ରି ରହିଥିଲା। ପୂର୍ବରୁ ୧୯୬୩ ଫେବ୍ରୁଆରି ୨୩ ରେ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା।

ଚଳିତ ବର୍ଷ ଫେବ୍ରୁଆରିରୁ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମପ୍ରବାହ। କେନ୍ଦ୍ରର ସୂଚନା ମୂତାବକ, ଏହି ସମୟରେ ଭୁବନେଶ୍ୱରର ତାପମାତ୍ରା ୩୩ ଡିଗ୍ରୀ ମଧ୍ୟରେ ରହିବା କଥା, କିନ୍ତୁ ଏବେଠୁ ୩୯ ଡିଗ୍ରୀକୁ ଛୁଇଁଲାଣି। ତେଣୁ ଆଗକୁ ତାପମାତ୍ରାରେ ଆହୁରି ପରିବର୍ତ୍ତନ ଆସିପାରେ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

କେନ୍ଦ୍ର ପାଣିପାଗ ରିପୋର୍ଟ ଅନୁସାରେ ଦେଶର କିଛି ପ୍ରମୁଖ ସହରର ତାପମାତ୍ରା ଯେପରିକି ନୂଆଦିଲ୍ଲୀ ୩୪ ଡିଗ୍ରୀ, ମୁମ୍ବାଇ ୩୫ ଡିଗ୍ରୀ, କୋଲକାତା ୩୫ ଡିଗ୍ରୀ, ଚେନ୍ନାଇ ୩୨ ଡିଗ୍ରୀ, ଅହମ୍ମଦାବାଦ ୩୪ ଡିଗ୍ରୀ, ଭୋପାଳ ୩୫ ଡିଗ୍ରୀ, ଜୟପୁର ୩୪ ଡିଗ୍ରୀ, ଲକ୍ଷ୍ନୌ ର ତାପମାତ୍ରା ୩୪ ଡିଗ୍ରୀ ରହିଥିବାବେଳେ, ଭୁବନେଶ୍ୱରର ତାପମାତ୍ରା ୩୯.୪ ଡିଗ୍ରୀ ରହିଥିଲା। ତେଣୁ ଭୁବନେଶ୍ୱରକୁ ପାଣିପାଗ ରିପୋର୍ଟ ଅନୁସାରେ ଦେଶର ସବୁଠାରୁ ଉତ୍ତପ୍ତ ସହର କୁହାଯାଉଛି।

ଆସନ୍ତା କିଛି ଦିନରେ ତାପମାତ୍ରା ଆହୁରି ବଢ଼ିବ ଏବଂ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ଅର୍ଥାତ୍ ଦିନରେ ଭିଷଣ ଗରଣ ଅନୁଭୂତ ହେଉଥିବାବେଳେ ରାତିରେ ପାଗ ଥଣ୍ଡା ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଆକଳନ କରାଯାଇଛି।

ଚଳିତ ବର୍ଷ ରାଜ୍ୟରେ ଫେବ୍ରୁଆରି ମାସରୁ ହିଁ ଖରାର ପ୍ରଭାବ ଦେଖାଗଲାଣି, ତେଣୁ ଆସନ୍ତା ଦିନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ସବୁଠୁ ଥଣ୍ଡା ସହର ଭାବେ ଫୁଲବାଣୀ ସହର ରହିଛି। ଫୁଲବାଣୀର ତାପମାତ୍ରା ୧୧.୦ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ଏବେବି ଘନକୁହୁଡ଼ି ଦେଖିବାକୁ ମିଳୁଛି।

Comment