ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ସମସ୍ତ ହସ୍ପିଟାଲରେ ଲୋକମାନଙ୍କୁ ମାଗଣାରେ ମିଳିବ କରୋନା ଟିକା। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଭଳି ନିଷ୍ପତ୍ତି ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପୂର୍ବରୁ କେବଳ ସରକାରୀ ହସ୍ପିଟାଲରେ ମାଗଣାରେ କରୋନା ଟିକା ଦିଆଯିବାର ନିଷ୍ପତ୍ତି ରହିଥିବାବେଳେ, ଏବେ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲରେ ମଧ୍ୟ କରୋନା ଟିକା ମାଗଣାରେ ଦିଆଯିବ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, “ବିହାରରେ ଟିକାକରଣ ମାଗଣାରେ କରାଯିବ। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ବ୍ୟତୀତ ଘରୋଇ ହସ୍ପିଟାଲରେ ମଧ୍ୟ ମାଗଣାରେ ମିଳିବ କରୋନା ଟିକା। ଏଥିପାଇଁ ହସ୍ପିଟାଲରେ ସବୁପ୍ରକାର ସୁବିଧା କରାଯିବ। ଏହାର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।”

ଆଜିଠୁ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ ୪୫ରୁ ୬୦ବର୍ଷ ମଧ୍ୟରେ ଶାରିରୀକ ସମସ୍ୟା ଥିବା ବ୍ୟକ୍ତିଙ୍କ ଏଥିରେ ସାମିଲ ହୋଇଛନ୍ତି। ଟିକାକରଣ ପୂର୍ବରୁ କୋୱିନ ମାଧ୍ୟମରେ ସକାଳ ୯ଟାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି।

ଘରୋଇ ହସ୍ପିଟାଲରେ କରୋନା ଟିକା ପାଇଁ ୨୫୦ ଟଙ୍କା ମୂଲ୍ୟ ରଖାଯାଇଥିଲା। କିନ୍ତୁ ଏବେ ସରକାରଙ୍କ ନିଷ୍ପତ୍ତି ମୂତାବକ ଟିକା ମାଗଣାରେ ଦିଆଯିବ। ଗତ ବର୍ଷ ବିଧାନସଭା ନିର୍ବାଚନ ସମୟରେ ଭାଜପା ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା, ଯଦି ଏନଡିଏ ସରକାର ଫେରିବ, ତେବେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ। ତେଣୁ ଏବେ ମୁଖ୍ୟମନ୍ତ୍ରୀ ସେହି ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛନ୍ତି।

Comment