ଓଡ଼ିଶାଲାଇଭ୍ ବ୍ୟୁରୋ

‘ଦାନ ଧର୍ମ କରିବା ପାଇଁ ବଡ଼ ପକେଟ୍ ନୁହେଁ, ବିଶାଳ ହୃଦୟ ଥିବା ଆବଶ୍ୟକ’। ଭୋକିଲା ମୁହଁରେ ଆହାର ଦେବା ହେଉଛି ସଂସାରରେ ସବୁଠାରୁ ବଡ଼ ମହତ କାମ। ସମସ୍ତେ ଏହି କାମ କରିପାରିନଥାନ୍ତି। ଆଜିକା ଦିନରେ ବୋଧହୁଏ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟକୁ ଖୁଆଇ ନିଜେ ଖୁସି ହୁଅନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ସତିଶ ଗୁପ୍ତା।

ମୁମ୍ବାଇର ସିଓନରେ ସେ ରୁହନ୍ତି। ସେ ଠେଲାରେ ବଡ଼ା ପାଓ ବିକ୍ରି କରି ନିଜର ପରିବାର ଚଳାନ୍ତି। ଅଲଗା ବ୍ୟବସାୟୀଙ୍କଠାରୁ ସତିଶ ଟିକେ ଭିନ୍ନ। ବ୍ୟବସାୟରେ ଲାଭବାନ୍ କେମିତି ହେବେ, ସେକଥା ଚିନ୍ତା ନକରି ଗୋଟେ ଭୋକିଲା ଲୋକ କିମ୍ବା ପିଲା କେମିତି କମ୍ ଖର୍ଚ୍ଚରେ ପେଟ ଭରି ଖାଇପାରିବ, ସେକଥା ଚିନ୍ତା କରିଥାନ୍ତି ସତିଶ।

ସତିଶଙ୍କ ଜନ୍ମ ଗରିବ ପରିବାରରେ ହୋଇଥିଲା। ତାଙ୍କ ବାପାଙ୍କ ପାଖରେ ପାଠ ପଢ଼ାଇବାକୁ ଯଥେଷ୍ଟ ଟଙ୍କା ନଥିଲା। ତେଣୁ ପରିବାରର ୬ଜଣ ସଦସ୍ୟଙ୍କୁ ଚଳେଇବା ପାଇଁ ସତିଶ ଛୋଟମୋଟ କାମ କରିବା ଆରମ୍ଭ କରିଲେ। କେଉଁଠି ବାସନ ଧୋଉଥିଲେ, ତ ହେଉଁଠି କପଡ଼ା ଓ କାର୍ ସଫା କରୁଥିଲେ। ଏମିତି ଅନେକ କାମ ସତିଶ କରିଛନ୍ତି। କିନ୍ତୁ କେଉଁବି ସ୍ଥାନରୁ ତାଙ୍କୁ ତୃପ୍ତି ମିଳୁନଥିଲା। ଶେଷରେ ସେ ଚିନ୍ତା କଲେ ସ୍କୁଲ ପିଲାଙ୍କ ପାଇଁ କମ୍ ପଇସାରେ ବଡ଼ା ପାଓ ତିଆରି କରିବେ। ମୁମ୍ବାଇର ଯେଉଁ ଲୋକ ଭୋକିଲା ରହି ତାଙ୍କ ଦୋକାନକୁ ଆସିବ, ସେ ତାକୁ ବିନା ମୂଲ୍ୟରେ ଖାଦ୍ୟ ଖୁଆଇବେ।

ସତିଶ ଭାବୁଥିଲେ, ମୁମ୍ବାଇରେ ଅନେକ ପରିବାର ରୁହନ୍ତି, ଯେଉଁମାନେ କମ୍ ରୋଜଗାର କାରଣରୁ ତାଙ୍କ ପିଲାଙ୍କୁ ଠିକ୍‌ରେ ଖାଇବାକୁ ଦେଇ ପାରିନଥାନ୍ତି। ସେ ମଧ୍ୟ ସେପରି ପରିସ୍ଥିତି ଦେଇ ଗତି କରିଛନ୍ତି। ଦିନ ଥିଲା, ସେ ବି ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଖାଇବାକୁ ଦେଇପାରୁନଥିଲେ। ଯେତେବେଳେ ତାଙ୍କ ପିଲାମାନେ ସ୍କୁଲରୁ ଆସି ଖାଇବାକୁ ମାଗନ୍ତି, ସେ ଗୋଟିଏ ବଡ଼ା ପାଓକୁ ଖଣ୍ଡ କରି, ତାଙ୍କ ପିଲାମାନଙ୍କ ଭିତରେ ବାଣ୍ଟିକି ଦେଉଥିଲେ। ବଡ଼ କଷ୍ଟରେ ମାଗିଯାଚି ଚଳୁଥିଲେ ସତିଶ। ସେହି ସବୁ କଥା ତାଙ୍କ ମନକୁ ଆସିବାପରେ, ସେ ସ୍ଥିର କଲେ, ସ୍କୁଲ ପୋଷାକରେ ଥିବା ପିଲାଙ୍କୁ ୫ଟଙ୍କା ମୂଲ୍ୟରେ ବଡ଼ା ପାଓ ଖାଇବାକୁ ଦେବେ ଏବଂ ଯାହା ପାଖରେ ପଇସା ନଥିବ, ତାଙ୍କୁ ବିନା ମୂଲ୍ୟରେ ଖୁଆଇବେ।ସତିଶଙ୍କ ଏଭଳି ବ୍ୟବସାୟ କରିବା ଦିଗରେ ଆଜିବି ତାଙ୍କ ପରିବାର ତାଙ୍କୁ ସହଯୋଗ କରୁଛନ୍ତି। ସତିଶଙ୍କ ବଡ଼ ପୁଅ ପଢ଼ା ଛାଡ଼ି ବାପାଙ୍କୁ କାମରେ ସାହାଯ୍ୟ କରୁଛନ୍ତି। ମୁମ୍ବାଇ ସହରରେ ଏତେ କମ୍ ଟଙ୍କାରେ କ’ଣ ପାଇଁ ବଡ଼ା ପାଓ ବିକୁଛନ୍ତି ବୋଲି, କେବେବି ତାଙ୍କ ପରିବାର ସଦସ୍ୟ ପ୍ରଶ୍ନ କରିନାହାଁନ୍ତି। ସତିଶ କୁହନ୍ତି, ସେ ଏବଂ ତାଙ୍କ ପରିବାର ସ୍କୁଲ ପିଲାଙ୍କୁ ଖାଦ୍ୟ ଯୋଗାଇ ବେଶ୍ ଖୁସିରେ ଅଛନ୍ତି।

Comment