ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶିଲା ଲୋକସଭା ଏବଂ ରାଜ୍ୟସଭା ଟିଭି। କେନ୍ଦ୍ରସରକାର ଏହି ଦୁଇଟି ଟିଭିକୁ ମିଶାଇ ଗୋଟିଏ କରିଦେଇଛନ୍ତି। ଏହାର ନାମ ରଖାଯାଇଛି ସଂସଦ ଟିଭି। ଏବେଠାରୁ ସଂସଦ ଟିଭି ଜରିଆରେ ଲୋକସଭା ଏବଂ ରାଜ୍ୟସଭା ସମ୍ଵନ୍ଧୀୟ ସମସ୍ତ ଖବର ମିଳିପାରିବ। ଅବସରପ୍ରାପ୍ତ ଆଇଏଏସ ଅଫିସର ରବି କପୁରଙ୍କୁ ସଂସଦ ଟିଭିର ସିଇଓ ଦାୟିତ୍ଵ ଦିଆଯାଇଛି। ସେ ଏକ ବର୍ଷ ପାଇଁ ସଂସଦ ଟିଭିର ମୁଖ୍ୟଭାବେ କାର୍ଯ୍ୟ କରିବେ।
ସଂସଦ ଟିଭିକୁ ଲୋକସଭା ଏବଂ ରାଜ୍ୟସଭା ଆଧାରରେ ଦୁଇଟି ଚାନେଲ କରାଯିବ। ଏଥିରେ ଦୁଇଟି ପର୍ଯ୍ୟାୟ କରି ଲୋକସଭା ଏବଂ ରାଜ୍ୟସଭାର ଅଧିବେଶନକୁ ସିଧାପ୍ରସାରଣ କରାଯିବ। ସେହିପରି ଅଧିବେଶନ ନଥିବା ସମୟରେ ସଂସଦ ସଂପର୍କିତ କିଛି ଖବରକୁ ବିସ୍ତୃତ ଆକାରରେ ଏଥିରେ ପ୍ରସାରଣ କରାଯିବ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଛି।୧୯୮୯ ମସିହାରେ ଲୋକସଭା ଟଭିକୁ ଆରମ୍ଭ କରାଯାଇଥିଲା। କିଛିବର୍ଷ ପରେ ଏହି ଚାନେଲରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଲୋକସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ଭଳି କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରାଯାଉଥିଲା।
ସେହିପରି ରାଜ୍ୟସଭା ଟିଭିକୁ ୨୦୧୧ ମସିହାରେ ଆରମ୍ଭ କରାଯାଇଥିଲା। ଏଥିରେ ରାଜ୍ୟସଭାର ସିଧାପ୍ରସାରଣ ବ୍ୟତୀତ ରାଜନୈତିକ, ସରକାରୀ ଓ ଅନ୍ୟ କାର୍ଯ୍ୟକ୍ରମମାନ ପ୍ରସାରଣ କରାଯାଉଥିଲା।