ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଙ୍ଗଳବାର କରୋନା ଟିକା ନେଇଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ନୂତନ ଗୋୟଲ ମଧ୍ୟ ଟିକା ନେଇଛନ୍ତି। ହର୍ଷବର୍ଦ୍ଧନ ଓ ତାଙ୍କ ପତ୍ନୀଙ୍କୁ ଭାରତ ବାୟୋଟେକର ଟିକା କୋଭକ୍ସିନ ଦିଆଯାଇଛି।

ଟିକା ନେବା ପରେ ହର୍ଷବର୍ଦ୍ଧନ କହିଛନ୍ତି, ‘ଆମ ଦୁହିଁଙ୍କୁ କରୋନା ଟିକା ଦିଆଯାଇଛି। ଟିକା ପରେ ଆମଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ। ଆମେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ। କୋଭିଡ ଲଢ଼େଇରେ କରୋନା ଟିକା ସଞ୍ଜିବନୀ ଭଳି କାମ ଦେବ’’।

ମାର୍ଚ୍ଚ ୧ରୁ ଦେଶବ୍ୟାପୀ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଟିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ଏମ୍ସରେ ପହଞ୍ଚି ଟିକା ନେଇଥିଲେ। ଏଥିସହ ଟିକା ନେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ଲୋକ କୋଓ୍ୱିନ ଆପ୍‌ ଜରିଆରେ ନିଜ ନାଁ ପଞ୍ଜିକରଣ କରିଛନ୍ତି।

ଜାନୁଆରି ୧୬ରେ ଟିକାକରଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧା ଟିକା ନେଇଥିଲେ।

Comment