ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ସପ୍ତାହ ହେଲା ଜଳୁଛି ବଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ହାତୀ ଓ ବାଘଙ୍କ ପାଇଁ ବିଶ୍ୱସ୍ତରରେ ପରିଚିତି ହାସଲ କରିଥିବା ଏହି ଅଭୟାରଣ୍ୟରେ ନିଆଁ ଲାଗିଛି। ସପ୍ତାହେ ପରେ ବି ନିଆଁ ଲିଭାଇବାରେ ସଫଳ ହୋଇନି ବନ ବିଭାଗ। ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୟୁରଭଞ୍ଜର ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଓ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ।

ଯେକୌଣସି ଜାତୀୟ ଗଣମାଧ୍ୟମ ଜଙ୍ଗଲ ନିଆଁ ସମ୍ପର୍କରେ ଖବର ପ୍ରସାରଣ କରିବାକୁ ଚାହିଁଲେ ମୟୂରଭଞ୍ଜ ରାଜପ୍ରସାଦ ତାଙ୍କ ରହିବା ଲାଗି ସବୁ ବ୍ୟବସ୍ଥା କରାଯିବ ବୋଲି ମହାରାଣୀ କହିଛନ୍ତି।

‘‘ଦୁଃଖର ବିଷୟ ଗୋଟିଏ ସପ୍ତାହ ହେଲା ଶିମିଳିପାଳ ଜଳୁଛି। ଶିମିଳିପାଳ ଜଳିବା ଏସିଆ ପାଇଁ ଏକ ଭଲ ସଙ୍କେତ ନୁହେଁ’’ ଟୁଇଟ କରି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ସେ ଅନୁରୋଧ କରି ସେ କହିଛନ୍ତି ଯେ, ଜାତୀୟ ଗଣମାଧ୍ୟମଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉ କି ସେମାନେ ଏହି ଖବରକୁ ପ୍ରସାରଣ କରନ୍ତୁ।

ସେହିପରି ଏହି ଘଟଣାରେ ପ୍ରକାଶ ଜାଭେଦକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ପ୍ରକାଶ ଜାଭେଦକର ଟୁଇଟ କରି କହିଛନ୍ତି ଯେ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଏବଂ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।tiger

ଏହି ଜଙ୍ଗଲରେ ପ୍ରାୟ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ରହିଛନ୍ତି। କିନ୍ତୁ ଜଙ୍ଗଲ ନିଆଁ କାରଣରୁ ବାଘ, ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ଜୀବନ ବିପଦ ସଙ୍କୁଳ ଅବସ୍ଥାକୁ ଠେଲି ହୋଇଯାଇଛି। ଏହି ନିଆଁ ଧୀରେ ଧୀରେ ଗାଁ ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି।

ଜଣେ ବନବିଭାଗ ଅଧିକାରୀଙ୍କ କହିବା ଅନୁସାରେ ପ୍ରତିବର୍ଷ କିଛି ସ୍ଥାନୀୟ ଲୋକ ଜଙ୍ଗଲରେ ନିଆଁ ଲଗାଇ ଚାଷ କରନ୍ତି। ଏହି ନିଆଁ ସେଇଠୁ ହିଁ ବ୍ୟାପିଛି ବୋଲି ଅନୁମାନ କରାଯାଉଛି।

Comment