ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ପକ୍ଷରୁ ମାର୍ଚ୍ଚ ୫ରୁ ବାଣିଜ୍ୟ ମେଳା ୨୦୨୧ ଆରମ୍ଭ ହେବ। ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆଠାରେ ହେବାକୁ ଥିବା ଏହି ମେଳା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦଘାଟନ କରିବେ। ଏନେଇ ଗୁରୁବାର ଏମଏସଏମଇ ବିଭାଗ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି।

କୋଭିଡ ୧୯ ପାଇଁ ଚଳିତ ବର୍ଷ ବାଣିଜ୍ୟ ମେଳାକୁ କଟକଣା ମଧ୍ୟରେ ଆୟୋଜନ କରାଯିବ। କରୋନା ହେତୁ ବାହାର ଦେଶର ଅଂଶଗ୍ରହଣକାରୀମାନଙ୍କୁ ମେଳାରେ ପ୍ରବେଶ କରାଯାଇ ନାହିଁ। ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସୟୁ ଏବଂ ଶିଳ୍ପଦ୍ୟୋଗୀମାନେ କେବଳ ଅଂଶଗ୍ରହଣ କରିବେ। ଏହି ବର୍ଷ ନୂଆ ଷ୍ଟାର୍ଟଅପ୍, ମହିଳା ଉଦ୍ୟୋଗୀ ଏବଂ ମିଶନ ଶକ୍ତିକୁ ଅଗ୍ରାଧିକାର ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।ସମଗ୍ର ମେଳା ମଧ୍ୟରେ ୫ଟି ହ୍ୟାଙ୍ଗର ନିର୍ମାଣ କରାଯାଇଛି, ଯେଉଁଥିରେ ୬୦ଟି ଲେଖାଏଁ ଷ୍ଟଲ୍ ହିସାବରେ ମୋଟ୍ ୩୦୦ଟି ଷ୍ଟଲ୍ ରହିଛି। ସେଥିମଧ୍ୟରୁ ୪ଟି ହ୍ୟାଙ୍ଗର ଷ୍ଟାଟ୍‌ଅପ୍, ଫୁଡ୍, ପ୍ରୋସେସିଙ୍ଗ୍ ୟୁନିଟ, ମିଶନ ଶକ୍ତି, ପିଏସ୍‌ୟୁମାନଙ୍କ ପାଇଁ ରହିଛି। ସେହିପରି ଗୋଟିଏ ହ୍ୟାଙ୍ଗର ସାଧାରଣ ଉଦ୍ଦେଶ୍ୟରେ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ପାଇଁ ନିର୍ମାଣ କରାଯାଇଛି। ଏଥିରେ ଯନ୍ତ୍ରପାତି ଏବଂ ନୂତନ ଟେକ୍ନୋଲୋଜିର ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି।

“ଏମଏସଏମଇ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ଜରିଆରେ ଯୁବ ଉଦ୍ୟୋଗୀମାନଙ୍କୁ ୩୦ ହଜାର କୋଟିର ଋଣ ଦେବାକୁ ରାଜ୍ୟ ସରକାର ଟାର୍ଗେଟ କରିଛନ୍ତି। ଏବେ ପର୍ଯ୍ୟନ୍ତ ପ୍ରାୟ ୨୮ ହଜାର କୋଟିର ଋଣ ଦିଆସରିଛି। ଏହି ଋଣରେ ଓଡ଼ିଶାର ଯୁବ ଉଦ୍ୟୋଗୀମାନେ ସେମାନଙ୍କର ଉଦ୍ୟୋଗକୁ ବଢ଼ାଇପାରିବେ। ଏମଏସଏମଇ ବାଣିଜ୍ୟ ମେଳା ଦ୍ଵାରା ବିଶେଷ କରି ଯୁବ ଉଦ୍ୟୋଗୀମାନେ ଲାଭବାନ ହୋଇପାରିବେ। ଏଭଳି ବାଣିଜ୍ୟ ମେଳା ଦ୍ଵାରା ଟେକ୍ନିକାଲ ଉତ୍ପାଦର ଏକ୍ସଚେଞ୍ଚ ହେବ। ଉଦ୍ୟୋଗୀମାନେ ଲୋକମାନଙ୍କ ପାଖରେ ସେମାନଙ୍କ ଉତ୍ପାଦକୁ ପହଞ୍ଚାଇ ପାରିବେ”, କହିଛନ୍ତି ଏମଏସଏମଇ ବିଭାଗ ମନ୍ତ୍ରୀକ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶରେ କରୋନା କାଳରେ ସର୍ବାଧିକ ପୁଞ୍ଜି ନିବେଶ ଓଡ଼ିଶାରେ ହୋଇଛି। ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଏହି ସଫଳତା ପାଇପାରିଛି। ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢୁଛି। ଏଥିପାଇଁ କେନ୍ଦ୍ରାପଡ଼ାଠାରେ ୫୦ ହଜାର କୋଟି ବ୍ୟୟରେ ଏକ ଇସ୍ପାତ ପ୍ଲାଣ୍ଟ ନିର୍ମାଣ ହେବ। ଏଥିପାଇଁ ଗୁରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ୍‌ ଏନ୍‌ ମିତ୍ତଲଙ୍କ ସହ ଏକ ଚୁକ୍ତି ସ୍ଵାକ୍ଷର କରିଛନ୍ତି।

ଏହି ବାଣିଜ୍ୟ ମେଳାରେ ଏମଏସଏମଇ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ୫ଟି ସେମିନାର ଆୟୋଜନ କରିବାକୁ ଯୋଜନା ରହିଛି। ଏଥିରେ ମେଳାକୁ ଆସିଥିବା ଉଦ୍ୟୋଗୀମାନେ ସାମିଲ ହେବେ। ଏହା ପ୍ରତ୍ୟେକ ଦିନ ସକାଳ ୧୦ଟା ୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ହେବ। ସେହିପରି ଅପରାହ୍‌ଣ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଲୋକମାନେ ମେଳା ଆସି ପାରିବେ।

ଆଜିର ସାମ୍ଵାଦିକ ସମ୍ମିଳନୀରେ ଏମଏସଏମଇ ବିଭାଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଏମଏସଏମଇ ବିଭାଗର ଅନେକ କର୍ମଚାରୀମାନେ ଉପସ୍ଥିତ ଥିଲେ।ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ପକ୍ଷରୁ ୨୦୧୩ ମସିହାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଆସୁଛି। ଦେଶର ବହୁ ରାଜ୍ୟ ତଥା ଇରାନ୍ ଏବଂ ବାଂଲାଦେଶ ଭଳି ଦେଶ ଏଥିରେ ଅଂଶଗ୍ରହଣ କରିଥାନ୍ତି। ବିଭିନ୍ନ ବାଣିଜ୍ୟ, ଉତ୍ପାଦ, ଜ୍ଞାନ କୌଶଳର ପ୍ରଦର୍ଶନ ଏବଂ କ୍ରେତା ବିକ୍ରେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ରାଜ୍ୟ ସରକାର ଏହି ବାଣିଜ୍ୟ ମେଳାର ପରିକଳ୍ପନା କରିଥିଲେ।

Comment