ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ନବମ ଏମଏସଏଇ ବାଣିଜ୍ୟ ମେଳା ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି। କରୋନା କଟକଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବାହାର ରାଜ୍ୟରୁ ବିଭିନ୍ନ ଉଦ୍ୟୋଗୀମାନେ ଏହି ମେଳାରେ ଯୋଗ ଦେଇଛନ୍ତି। ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

କୋଭିଡ ୧୯ ପାଇଁ ଚଳିତ ବର୍ଷ ବାଣିଜ୍ୟ ମେଳାକୁ କଟକଣା ମଧ୍ୟରେ ଆୟୋଜନ କରାଯାଇଛି। ତେଣୁ ବାହାର ଦେଶର ଅଂଶଗ୍ରହଣକାରୀମାନଙ୍କୁ ମେଳାରେ ପ୍ରବେଶ କରାଯାଇ ନାହିଁ। ଏହି ବର୍ଷ ପ୍ରଥମଥର ପାଇଁ ମିଶନ ଶକ୍ତିକୁ ବାଣିଜ୍ୟ ମେଳାରେ ସାମିଲ କରାଯାଇଛି। ଏଥିସହ ଯୁବ ଉଦ୍ୟୋଗୀମାନଙ୍କୁ ସୁଯୋଗ ଦିଆଯାଇ ନୂଆ ଷ୍ଟାଟ୍‌ଅପ୍, ମହିଳା ଉଦ୍ୟୋଗୀ ଅଗ୍ରାଧିକାର ଦିଆଯାଇଛି।“କରୋନା କାଳରେ ଓଡ଼ିଶା ଏମଏସଏମଇ ପ୍ରଭାବିତ ହୋଇଛି। ତଥାପି ରାଜ୍ୟ ସରକାର ଏହି ବିଭାଗକୁ ଚଳିତ ବଜେଟରେ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ପ୍ରଥମଥର ପାଇଁ ମିଶନ ଶକ୍ତିର ମାଆମାନେ ବାଣିଜ୍ୟ ମେଳାର ଅଂଶ ହୋଇଛନ୍ତି। ଏହିଭଳି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଶିଳ୍ପକୁ ସାରା ବିଶ୍ଵରେ ପ୍ରତିପାଦିତ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶା ସାରା ଦେଶରେ ଶିଳ୍ପର ହବ୍ ରୂପେ ଠିଆ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବାଣିଜ୍ୟ ମେଳାର ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ରାଜ୍ୟ ସରକାର ପ୍ରତିବର୍ଷ ପଞ୍ଚାୟତିରାଜ ଦିବସରେ ଏହି ବାଣିଜ୍ୟ ମେଳା କରିଆସୁଛନ୍ତି। ସରକାର ଏବେ ଏମଏସଏମଇ ବିଭାଗକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଶିଳ୍ପ ପାର୍କ କରିବାକୁ ସରକାର ଯୋଜନା କରିଛନ୍ତି। ଏହି ଶିଳ୍ପ ପାର୍କ ହେବା ଦ୍ଵାରା ଜିଲ୍ଲାକୁ ବିଭିନ୍ନ ଶିଳ୍ପ ଆସିପାରିବ। ଜିଲ୍ଲାପାଳମାନେ ଏହି ପାର୍କ ଦାୟିତ୍ଵରେ ରହିବେ। ସେମାନେ ପୁଞ୍ଜିନିବେଶକାରୀଙ୍କ ସହ ଯୋଗାଯୋଗରେ ରହି ଏହି କାର୍ଯ୍ୟକୁ ତ୍ଵାରାନ୍ଵିତ କରିବେ।”“ଓଡ଼ିଶାର ଶିଳ୍ପ, ଉତ୍ପାଦକୁ ଅନ୍ତରାଷ୍ଟ୍ରୀୟ ବଜାରରେ ପ୍ରସିଦ୍ଧି କରାଇବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଯେଉଁଠି ଗୋଟିଏ ଶିଳ୍ପ କ୍ଷେତ୍ରରେ ଜଣକୁ ନିଯୁକ୍ତି ମିଳୁଛି, ଏମଏସଏମଇରେ ସେଠି ୯ ଜଣ ନିଯୁକ୍ତି ପାଇବେ। ଏହା ଓଡ଼ିଶାକୁ ବିଶ୍ଵରେ ପରିଚୟ ଦେବା ସହ ରାଜ୍ୟର ଯୁବଶକ୍ତିକୁ ରୋଜଗାର ଦେବ। ଓଡ଼ିଶାର ଉତ୍ପାଦ ଏବେ ବିଦେଶୀଙ୍କୁ ଆକୃଷ୍ଟ କରିଛି। କଳାହାଣ୍ଡିର କପା ବାଂଲାଦେଶ ଯାଇଛି। କଳାହାଣ୍ଡିଠାରୁ ନେଇ କାର୍ଲିଫର୍ଣ୍ଣିଆ ପର୍ଯ୍ୟନ୍ତ ଓଡ଼ିଶାର ଉତ୍ପାଦକୁ ସବୁଠି ଉବଲବ୍ଧ କରିବାକୁ ଯୋଜନା କରାଯାଇଛି”, କହିଛନ୍ତି ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

ସମଗ୍ର ମେଳା ମଧ୍ୟରେ ୫ଟି ହ୍ୟାଙ୍ଗର ନିର୍ମାଣ କରାଯାଇଛି, ଯେଉଁଥିରେ ୬୦ଟି ଲେଖାଏଁ ଷ୍ଟଲ୍ ହିସାବରେ ମୋଟ୍ ୩୦୦ଟି ଷ୍ଟଲ୍ ରହିଛି। ସେଥିମଧ୍ୟରୁ ୪ଟି ହ୍ୟାଙ୍ଗର ଷ୍ଟାଟ୍‌ଅପ୍, ଫୁଡ୍, ପ୍ରୋସେସିଙ୍ଗ୍ ୟୁନିଟ, ମିଶନ ଶକ୍ତି, ପିଏସ୍‌ୟୁମାନଙ୍କ ପାଇଁ ରହିଛି। ସେହିପରି ଗୋଟିଏ ହ୍ୟାଙ୍ଗର ସାଧାରଣ ଉଦ୍ଦେଶ୍ୟରେ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ପାଇଁ ନିର୍ମାଣ କରାଯାଇଛି। ଏଥିରେ ଯନ୍ତ୍ରପାତି ଏବଂ ନୂତନ ଟେକ୍ନୋଲୋଜିର ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି।

ନବମ ଏମଏସଏମଇ ବାଣିଜ୍ୟ ମେଳାର ପ୍ରଥମ ସନ୍ଧ୍ୟାରେ କଳାକାରମାନେ ମଞ୍ଚରେ ଓଡ଼ିଶୀ ଏବଂ ଶଙ୍ଘ ନୃତ୍ୟ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଏମଏସଏମଇ ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟର ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment