ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଖରାରେ ରାଜଧାନୀ ବଜାରକୁ ଆସିଛି ହଳଦିଆ ତରଭୁଜ।

ପ୍ରତିବର୍ଷ ଖରାଦିନ ଆସିଲେ ଆପଣ ଯେତେବେଳେ ଘରୁ ବାହାରକୁ ଗୋଡ଼ କାଢ଼ନ୍ତି ରାସ୍ତାକଡ଼ରେ ଲାଲ୍ ତରଭୁଜର ଦୋକାନଗୁଡ଼ିକୁ ଦେଖିଥିବେ। କିନ୍ତୁ ଏବେ ଲାଲ୍ ତରଭୁଜ ସହ ଏକ ନୂଆ ପ୍ରକାରର ତରଭୁଜ ବଜାରରେ ଦେଖିବାକୁ ପାଇବେ। ଏଥର ଖରାରେ ରାଜଧାନୀ ବଜାରକୁ ଆସିଛି ହଳଦିଆ ରଙ୍ଗର ତରଭୁଜ; ଯାହା ଗ୍ରାହକମାନଙ୍କୁ ବେଶ୍ ଆକର୍ଷିତ କରୁଛି। ଏହା ଦେଖିବାକୁ ଯେମିତି ସୁନ୍ଦର ଏହାର ସ୍ଵାଦ ମଧ୍ୟ ଠିକ୍ ସେମିତି ରହିଛି।ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଛକ ବଜାରରେ ଏବେ ଏହି ଦଳଦିଆ ତରଭୁଜର ପସରା ଦେଖିବାକୁ ମିଳୁଛି। ଲାଲ୍ ତରଭୁଜ ସହ ବ୍ୟବସାୟୀମାନେ ଏହି ହଳଦି ତରଭୁଜକୁ ବିକ୍ରି କରୁଛନ୍ତି। ବଜାରକୁ ନୂଆ ଆସିଥିଲେ ମଧ୍ୟ ଏହାର ଦାମ୍‌ ସାଧାରଣ ତରଭୁଜ ପରି ରହିଛି। ଯେଉଁଠି ଲାଲ୍ ତରଭୁଜ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି, ସେଠାରେ ଏହି ହଳଦି ତରଭୁଜର କିଲୋ ପ୍ରତି ଦାମ୍ ରହିଛି ୩୦ ଟଙ୍କା।“ଭୁବନେଶ୍ଵରରେ ୧୧ ବର୍ଷର ତରଭୁଜ ବ୍ୟବସାୟ ଭିତରେ ଏମିତିକା ତରଭୁଜ କେବେ ଦେଖି ନଥିଲି। ପ୍ରଥମଥର ପାଇଁ ଏହି ହଳଦି ତରଭୁଜ ବଜାରକୁ ଆସିଛି। ସାଧାରଣତଃ ବଡ଼ ବଡ଼ ବାବୁମାନେ ହଳଦି ତରଭୁଜ ଅଧିକ ଡିମାଣ୍ଡ କରୁଛନ୍ତି। ସେମାନେ ଏକାସାଙ୍ଗରେ ୫ରୁ ୭ କିଲୋ କିଣି ନେଉଛନ୍ତି। ନୂଆ ପ୍ରକାର ଫଳଟିଏ ଆସିଥିବାରୁ ଏବେ ଯାଏଁ ଏହାର ଚାହିଦା ସେତେଟା ହୋଇନାହିଁ। କିନ୍ତୁ ଆଗକୁ ଏହା ଭଲ ବିକ୍ରି ହେବ ବୋଲି ଆଶା ରହିଛି”, କହିଛନ୍ତି ତରଭୁଜ ବ୍ୟବସାୟୀ ଚମ୍ପା ଜେନା।ସାଧାରଣତଃ ଆନ୍ଧ୍ରପ୍ରଦେଶରେ ଏହି ହଳଦି ତରଭୁଜ ଚାଷ କରାଯାଏ। କିନ୍ତୁ ପ୍ରଥମଥର ପାଇଁ ଢେଙ୍କାନାଳ ଜିଲ୍ଲାରେ ଏହି ହଳଦି ତରଭୁଜ ଚାଷ କରାଯାଇଛି। ତେଣୁ ରାଜଧାନୀ ବଜାରକୁ ଢେଙ୍କାନାଳରୁ ହିଁ ଏହି ତରଭୁଜ ଆସୁଛି। ସାଧାରଣ ତରଭୁଜର ଆକାର ଗୋଲାକାର ହୋଇଥିବା ବେଳେ ଏହି ହଳଦି ତରଭୁଜର ଆକାର ଅଣ୍ଡାକୃତି ରହିଛି।

Comment