ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ଓଡ଼ିଶାର ବିକାଶଧାରାରେ ନୂଆ ଫର୍ଦ୍ଦ ଯୋଡ଼ିଛି ନୂଆପଡ଼ା। ବୁଧବାର ନୂଆପଡ଼ା ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ହଜାର କୋଟିର ଭେଟି ଦେଇଛନ୍ତି। ଜିଲ୍ଲାର ୨୩୩୪ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଥିଲା ବେଳେ ୫୦ କୋଟି ୨୯ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଜନ ସାଧାରଣଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ ଦିନେ ନୂଆପଡ଼ାରେ ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା ଥିଲା। ପାଣି ପାଇଁ ନୂଆପଡ଼ାର ମା’ମାନେ ମାଇଲ ମାଇଲ ଦୂର ଯାଉଥିଲେ। ଏବେ କିନ୍ତୁ ନୂଆପଡ଼ାର ଚିତ୍ର ବଦଳିଛି। ପ୍ରାୟ ୧ ଲକ୍ଷ ଘରକୁ ପାଇପ ଯୋଗେ ପିଇବା ପାଣି ପହଞ୍ଚୁଛି। ୨୦୨୨ ସୁଦ୍ଧା ନୂଆପଡ଼ାର ସବୁ ଘରକୁ ପାଇପ ପାଣି ପହଞ୍ଚିବ। ଏଥିପାଇଁ କାମ ଚାଲିଛି।’’

ନୂଆପଡ଼ାର ମା’ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ସ୍ୱାଧିନତା ସଂଗ୍ରାମରେ ବିଶେଷକରି ନୂଆପଡ଼ାର ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମା’ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଯୋଗାଉଛି’’।

ବିଜୁ ବାବୁ ନୂଆପଡ଼ାକୁ ଭଲ ପାଉଥିଲେ। ସେଥିପାଇଁ ନୂଆପଡ଼ାକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆପଡ଼ାରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି, ଧାନ ଚାଷ ବଢ଼ିଛି, କପା ଚାଷ, ମକା ଚାଷ ବଢ଼ିଛି। ଦିନେ ନୂଆପଡ଼ା ମରୁଡ଼ି ଅଞ୍ଚଳ ଥିଲା। ଆଜି ଏହା ଚିର ସବୁଜ ପାଲଟିଛି। ବିକାଶ ପଥରେ ଆଗେଇ ଚାଲିଛି ନୂଆପଡ଼ା। ଆଗାମୀ ଦିନରେ ଖଡ଼ିଆଳରେ ଦୁଇଟି ଇନଡୋର ଷ୍ଟାଡିୟମ କରାଯିବ। କ୍ରୀଡ଼ା ଜଗତରେ ନୂଆପଡ଼ାକୁ ଯୋଡ଼ିବା ପାଇଁ ବ୍ୟବସ୍ଥା କରାଯିବ।

ନୂଆପଡ଼ାର ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ନୂଆପଡ଼ା ତିଖାଲିରେ ୨୦୦୦ ମସିହାରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ୧୭୫୪ କୋଟି ଟଙ୍କା ବ୍ୟାୟରେ ଏହି ଡ୍ୟାମ ନିର୍ମାଣ କରଯାଇଛି।

Comment