ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କଟକରେ ଥିବା ଅଶ୍ୱିନୀ ହସ୍ପିଟାଲର ୧୫ ବର୍ଷ ପୂର୍ତ୍ତି ଅବସରରେ ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀ ଆୟୋଜିତ ହୋଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ସଚିବ ଶ୍ରୀଯୁ୍‌କ୍ତ ପ୍ରଦୀପ୍ତ କୁମାର ମହାପାତ୍ର, ଡକ୍ଟର ମାୟା ଗନ୍ତାୟତ ଏବଂ ଡକ୍ଟର ସୁବ୍ରତ ଜେନା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ଅଭିଭାଷଣ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାଗନେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଦୁଇଟି ପର୍ଯ୍ୟାୟରେ ପ୍ରମୁଖ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ‘କୋଭିଡ ପତ୍ୟାବର୍ତ୍ତନ ଓ ଟିକାକରଣ’ ଶୀର୍ଷକ ଉପରେ ଆଲୋଚନା ହୋଇଛି । ଯେଉଁଥିରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, କଟକ ଏସ୍‌ସିବି ମେଡ଼ିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ ମେଡ଼ିସିନ୍ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା, ଅଶ୍ୱିନୀ ହସ୍ପିଟାଲ୍ କୋଭିଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସମ୍ପଦ ଦାସ, କନକ ଟିଭି ସମ୍ପାଦକ ମନୋରଞ୍ଜନ ମିଶ୍ର ଶୀର୍ଷକ ସମ୍ପର୍କିତ ଆଲୋଚନାରେ ନିଜର ବିଷୟ ରଖିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ତଥା ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର, ଭୁବନେଶ୍ୱର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି, ଆମ୍ରୀ ହସ୍ପିଟାଲ ମୁଖ୍ୟ ତତ୍ୱାବଧାରକ ଡାକ୍ତର ସମୀର ସାହୁ, ଆଇଏମଏସ ଆଣ୍ଡ୍ ସମ୍ ହସ୍ପିଟାଲ କମ୍ୟୁନିଟି ମେଡିସିନ୍ ପ୍ରଫେସର୍ ଡାକ୍ତର ଇ. ଭେଙ୍କଟା ରାଓ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥି ପ୍ରମୁଖ ‘ଓଡ଼ିଶାରେ ଟିକାକରଣର ସ୍ଥିତି’ ବିଷୟରେ ବିଶେଷ ଆଲୋଚନା କରି ଟିକାକରଣ ଉପରେ ସାଧାରଣ ଜନତାଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଟିକାକରଣ ଦିଗରେ ଗଣମାଧ୍ୟମର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।

‘‘ସତର୍କତା ହିଁ ଏକମାତ୍ର ବାଟ। ଯଦି ଆମେ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ ନକରିବା ତେବେ ଆମକୁ କରୋନା ସହିତ ଯୁଦ୍ଧ କରିବାକୁ ଜଟିଳ ହୋଇପାରେ’’, କହିଥିଲେ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ମହାମାରୀରେ ନିରନ୍ତର କାର୍ଯ୍ୟ କରୁଥିବା ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଏବଂ ଅଶ୍ୱିନୀ ମେଡିକାଲ୍‌ର କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନୀତ କରାଯାଇଥିଲା।

Comment