ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଭିଡିଓ ବାର୍ତ୍ତା ଦେଇ କରୋନା ବିଷୟରେ ଓଡ଼ିଶାବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଭାରତରୁ କରୋନା ବିପଦ ଏଯାଏଁ ସମ୍ପୂର୍ଣ୍ଣ ଭାବେ ଟଳିନି। ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଲକଡାଉନ ସମୟର କଷ୍ଟ ଏବେ ବି ଆମ ସ୍ମୃତିରେ ତାଜା ରହିଛି। ତେଣୁ ଆମେ ପୁଣି ସେହି ଲକଡାଉନ ସମୟକୁ ଫେରିବାକୁ ଚାହୁଁ ନାହୁଁ। ତେବେ ଏଥିପାଇଁ ଏବେ କେବଳ ଗୋଟିଏ ହିଁ ଉପାୟ ସତର୍କତା ଅବଲମ୍ଵନ। ଯଦି ଆମେ ସତର୍କ ରହିବା ତେବେ ଆଉ ଲକଡାଉନ ଭଳି ସ୍ଥିତି ଉପୁଜିବ ନାହିଁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦେଶରେ ବଢୁଥିବା ସଂକ୍ରମଣକୁ ଦେଖି ରବିବାର ଓଡ଼ିଶାବାସୀଙ୍କୁ ସମ୍ଵୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶରୁ ଏବେ ବି କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “କରୋନା ବିରୋଧରେ ଓଡ଼ିଶାର ମାଷ୍ଟରପ୍ଲାନକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରଶଂସା କରିଛି। ଏବେ ଓଡ଼ିଶାର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି। କିନ୍ତୁ ଓଡ଼ିଶାର ଦୈନିକ ସଂକ୍ରମଣକୁ ଜିରୋ କରିବାକୁ ଆମେ ଲକ୍ଷ ରଖିଛୁ। ତେଣୁ ଆଗରୁ ଯେପରି ରାଜ୍ୟବାସୀ ସରକାରଙ୍କୁ ସାହାଯ୍ୟ କରିଛନ୍ତି ସେହିପରି ଭାବେ ଏବେ ମଧ୍ୟ କରନ୍ତୁ। ଆମେ ମିଳିମିଶି ହିଁ କରୋନାକୁ ହରାଇ ପାରିବା।”

ସରକାରଙ୍କର ସମସ୍ତ କୋଭିଡ ନିୟମକୁ ମାନି ଚଳିଲେ ତାହା ଆମ କରୋନା ଯୋଦ୍ଧାମାନଙ୍କ ପାଇଁ ମୁଖ୍ୟ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ନବୀନ କହିଛନ୍ତି। ଏଥିପାଇଁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ ଆହୁରି କହିଛନ୍ତି, “ବାହାରକୁ ଗଲେ ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ମାସ୍କ ନିଶ୍ଚୟ ପିନ୍ଧିବା। ତାହାକୁ ବେକରେ ଝୁଲାଇ ରଖିବା ନାହିଁ। ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା। ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ।”

Comment