ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ପୋଲିସକୁ ମିଳିଛି ଆସ୍ୱସ୍ଥି। ପେଦାବାୟାଳୁ ଏରିଆ କମିଟି ମାଓ ଦଳର ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଶନିବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ପାଙ୍ଗି ଜଗାରାଓ ଓରଫ ଶ୍ରୀନୁ, ପାଙ୍ଗି ମୁଗିରି ଓରଫ ବିଷ୍ନୁ, ବନ୍ତଳା ନାରାୟଣ ଓରଫ ସିଧୁ। ଏମାନେ ପ୍ରାୟ ୧୩ ବର୍ଷ ହେବ ମାଓ ଦଳରେ ସକ୍ରିୟ ଥିଲେ।

ମାଓ ଦଳରେ ରହି ଏମାନେ ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ପୋଲିସର ସମସ୍ତ ଗତିବିଧି ସମ୍ପର୍କରେ ଦଳର ମୁଖିଆକୁ ସୂଚନା ଦେଉଥିଲେ। ଏଥିସହ ମାଓ ଦଳକୁ ରାତିରେ ସ୍ଥାନ ପରିବର୍ତ୍ତନ କରିବାରେ ଓ ଗୁଳିବିନିମୟ ସମୟରେ ମାଓବାଦୀଙ୍କୁ ପୋଲିସ ନିକଟରୁ ଖସିଯିବାରେ ସାହାଯ୍ୟ କରୁଥିଲେ। ମାଓ ଦଳର ମୁଖ୍ୟ ରାମକୃଷ୍ଣ (ଆର.କେ) ଓ ଅନ୍ୟ ବଡ ବଡ ନେତାଙ୍କୁ ସୀମାନ୍ତରେ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଚଳପ୍ରଚଳ ପାଇଁ ସହାୟତା କରୁଥିଲେ।

ଏମାନଙ୍କ ନାଁରେ ଓଡିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ସୂତ୍ରରୁ ଖବରମିଳିଛି। କିଛିଦିନ ପୂର୍ବେ ଲ୍ୟାଣ୍ଡମାଇନ ବିଛେଇ ୨ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ଏମାନେ ସମ୍ପୃକ୍ତ ଥିଲେ। ଏମାନଙ୍କୁ ଧରିବା ପାଇଁ ବିଶାଖାପାଟଣା ପୋଲିସ ବହୁ ଉଦ୍ୟମ କରି ବିଫଳ ହେଉଥିଲା। କିନ୍ତୁ ଶେଷରେ ସେମାନେ ପୋଲିସ ନିକଟକୁ ଆସି ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ଏସ.ପି. ବି. କ୍ରୀଷ୍ଣା ରାଓ।

Comment