ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ବିଦେଶରେ ନାଁ କରିଥିବା ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆରମ୍ଭ ହେଉଛି ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ଏହି ଭିଡିଓ ସାକ୍ଷାତକାରର ଉପସ୍ଥାପକ ଅଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ। ଏହି ଓ୍ୱେବ ସିରିଜ ‘ଷ୍ଟାର୍ଟଅପ୍ ଷ୍ଟୋରି’କୁ ସୋସିଆଲ ମିଡିଆରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଓଡ଼ିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏପରି ଏକ ନୂଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

‘‘ଯୁବ ଉଦ୍ୟୋଗୀଙ୍କ ସହିତ ଏଭଳି ଏକ ଆଲୋଚନା ବେଶ୍‌ ଉତ୍ସାହଜନକ। ଏଭଳି ପ୍ରେରଣାଦାୟକ କାହାଣୀ ସମସ୍ତଙ୍କ ପାଖରେ ପହଞ୍ଚାଇଥିବାରୁ ଧନ୍ୟବାଦ। ମୁଁ ଏହି ସିରିଜକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛି’’ ଟୁଇଟ କରି କହିଛନ୍ତି ଆଇସିଆର୍‌ଆଇଏସ୍‌ଏଟି (International Crops Research Institute for the Semi-Arid Tropics)ର ନିର୍ଦ୍ଦେଶକ ଅରବିନ୍ଦ ପାଢ଼ୀ ।

‘‘ୱେବ୍‌ ସିରିଜ ‘ଷ୍ଟାର୍ଟଅପ ଷ୍ଟୋରି’ ଏକ ଚମତ୍କାର ପଦକ୍ଷେପ। ମୁଁ ଆଶା କରୁଛି ଏହା ଅନେକଙ୍କୁ ସେମାନଙ୍କର ଉଦ୍ୟୋଗୀ ସ୍ୱପ୍ନକୁ ସାକାର କରିବାରେ ପ୍ରେରଣା ଯୋଗାଇବ’’, କହିଛନ୍ତି ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ଫିକିର ଜାତୀୟ ଉପସଭାପତି ଶୁଭ୍ରକାନ୍ତ ପଣ୍ଡା।

“ଏହା ଏକ ଚମତ୍କାର ପଦକ୍ଷେପ। ଏହା ନିଶ୍ଚୟ ଯୁବ ପିଢ଼ି ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବ”, ଓଡ଼ିଶାଲାଇଭ୍‌ର ପୋଷ୍ଟକୁ ରିଟୁଇଟ କରି ଏହି ମନ୍ତବ୍ୟ ଦେଇଛନ୍ତି ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ ପ୍ରହରାଜ।

‘ସାବତ ଏକ୍ସପୋର୍ଟସ’ର ନିର୍ଦ୍ଦେଶିକା ଯୁବ ଉଦ୍ୟୋଗୀ ଅନିତା ସାବତ କହିଛନ୍ତି,‘‘ଷ୍ଟାର୍ଟଅପ୍‌ ଷ୍ଟୋରି ଜରିଆରେ ଓଡ଼ିଆ ଉଦ୍ୟୋଗୀଙ୍କ ପ୍ରେରଣାଦାୟକ କାହାଣୀ ବିଷୟରେ ଅନେକ କଥା ଜାଣିବାକୁ ମିଳିବ’’।startup story

ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ, ଇମ୍ଫାର ବରିଷ୍ଠ ଉପସଭାପତି ସଞ୍ଜୀବ ଦାସ, ବୁକିଂଜିନିର ସିଇଓ ଶିବାଶିଷ ମିଶ୍ର, ଆଗ୍ରି ଲିଙ୍କର ପ୍ରତିଷ୍ଠାତା ତଥା ସିଇଓ ଲେଫ୍ଟେନାଣ୍ଟ କର୍ଣ୍ଣେଲ୍ ଅସିତ ମହାପାତ୍ର, ମିଲ୍କି୍ ମୁ’ ର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର, ଗାୟିକା ସୁସ୍ମିତା ଦାସ ପ୍ରମୁଖ ଏହି ଖବରକୁ ରିଟୁଇଟ କରିଛନ୍ତି।

“ଷ୍ଟାର୍ଟଅପ୍ ଷ୍ଟୋରି ଏକ ଭଲ ପଦକ୍ଷେପ”, ଟୁଇଟ ମାଧ୍ୟମରେ ଏଭଳି ସଂକ୍ଷିପ୍ତ ମନ୍ତବ୍ୟ ଦେଇ ଏହି ଡିଜିଟାଲ ମିଡିଆ କାର୍ଯ୍ୟକମକୁ ସ୍ଵାଗତ କରିଛନ୍ତି ୟୁନିସେଫ୍ ଓଡ଼ିଶାର କମ୍ୟୁନିକେସନ, ଆଡ୍‌ଭୋକେସି ଆଣ୍ଡ ପାର୍ଟନରସିପ୍ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ।

ସୁବ୍ରତ ବାଗ୍‌ଚୀଙ୍କ ଭଳି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପନା କରୁଥିବାରୁ ଏହି କାର୍ଯ୍ୟକ୍ରମର ମର୍ଯ୍ୟାଦା ବେଶ୍ ବଢ଼ିପାରିଛି। ଏହି ଭିଡିଓ ସିରିଜ୍ ଯୁବ ପିଢ଼ିର ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଆଗ୍ରହୀ ବ୍ୟକ୍ତି ତଥା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରରଣାଦାୟକ ହେବ। ଓଡ଼ିଶାଲାଇଭ୍‌ର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ ଏହା କହିବା ସହ ଉପସ୍ଥାପକ ସୁବ୍ରତ ବାଗ୍‌ଚୀଙ୍କୁ ଧନ୍ୟବାଦ ଦେବା ଜଣାଇଛନ୍ତି।

ଓଡ଼ିଶାଲାଇଭର ସୋସିଆଲ ଚ୍ୟାନେଲ ସହିତ ଏହାର ୱେବସାଇଟରେ ପ୍ରତି ମାସ ୧ ତାରିଖରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ଭିଡିଓ ସିରିଜ ପ୍ରକାଶିତ ହେବ। ସେହିପରି ପ୍ରତ୍ୟେକ ସାକ୍ଷାତକାର ଉପରେ ଆଧାରିତ ଏକ ଲେଖା ଓଡ଼ିଶାଲାଇଭ୍‌ ନ୍ୟୁଜ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହେବ।

ଏପ୍ରିଲ ୧ରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରଥମ ଅଧ୍ୟାୟ ଓଡ଼ିଶାଲାଇଭର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହେବ। ଏଥରର ଅତିଥି ହେଉଛନ୍ତି ‘ନେଷ୍ଟ ଆୱେ’ କମ୍ପାନିର ସହ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ। ଏହି ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ଷ୍ଟାର୍ଟଅପ୍‌ ଯାତ୍ରାର କାହାଣୀ ଭିଡିଓରେ ବେଶ୍‌ ସୁନ୍ଦର ଭାବେ ଫୁଟି ଉଠିଛି।

ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ସେହିପରି ଇଣ୍ଡଷ୍ଟ୍ରି ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା। ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଛି।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ ସିରିଜରେ ପ୍ରସ୍ତୁତ ଭିଡିଓଗୁଡ଼ିକୁ ଆଗାମୀ ଦିନରେ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରମାନଙ୍କୁ ଦେଖାଇବାର ସୁଯୋଗ ସୃଷ୍ଟି କରାଯିବ। ଏହି ଭିଡିଓରୁ ସେମାନଙ୍କୁ ଉଦ୍ୟୋଗ ବିକାଶ ଓ ପରିଚାଳନା ସମ୍ପର୍କରେ ପ୍ରେରଣା ମିଳିବ। ଫଳରେ ଅନେକ ଚାକିରି ପଛରେ ନ ଗୋଡ଼ାଇ ନିଜ ଗୋଡ଼ରେ ଠିଆ ହେବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଆଗେଇ ଆସିବେ।

Comment