ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ପହିଲାରୁ ଓଡ଼ିଶାର ଜେଲ୍ ଭିତରେ ଅନୁଷ୍ଠିତ ହେବ ଜେଲ୍ ଅଦାଲତ। ଜେଲ୍ ସଂସ୍କାର କ୍ଷେତ୍ରରେ ଏହାକୁ ଏକ ନୂଆ ପଦକ୍ଷେପ ବୋଲି କୁହାଯାଉଛି। ଦୀର୍ଘ ଦିନ ଧରି କୋର୍ଟରେ ଚାଲୁଥିବା ମାମଲାର ଶ୍ରୀଘ୍ର ସମାଧାନ କରିବା ହେଉଛି, ଏହି ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଝାଡ଼ଖଣ୍ଡ ଭଳି କିଛି ରାଜ୍ୟରେ ଅନ୍ତେବାସୀଙ୍କ ପାଇଁ ଜେଲ୍ ଭିତରେ ଜେଲ୍ ଅଦାଲତ ବସୁଛି। ବିଶେଷ କରି ଛୋଟ ଛୋଟ ଅପରାଧ ଯୋଗୁଁ ଯେଉଁମାନେ ବିଚାରାଧୀନ କଏଦୀ ଭାବେ ଦୀର୍ଘ ବର୍ଷ ଜେଲ୍‌ରେ ଜୀବନ କାଟୁଛନ୍ତି, ସେମାନଙ୍କ ପାଇଁ ଏହି ଅଦାଲତର ଗୁରୁତ୍ୱ ରହିଛି।

ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, “ସମଗ୍ର ରାଜ୍ୟରେ ଥିବା ଜେଲ୍ ଗୁଡ଼ିକରେ ଏହି ଅଦାଲତ ବସିବ। ଏଥିପାଇଁ ରାଜ୍ୟ ନ୍ୟାୟ ସେବା ପ୍ରଦାନ ଅଥରିଟିର ସାହାଯ୍ୟ ନିଆଯିବ। ଏଥିରେ ବିଚାରାଧୀନ କଏଦୀମାନେ ନିଜ ନିଜ ଯୁକ୍ତି ଉପସ୍ଥାପନ କରିପାରିବେ। ଫଳରେ ସେଠାରେ ଓ ସେହି ମୁହୂର୍ତ୍ତରେ ହିଁ ମାମଲାର ଫଇସଲା ହୋଇପାରିବ। ଯଦି କଏଦୀ ମାନେ ନିଜ ଦୋଷ ସ୍ୱୀକାର କରିବେ, ସେହି କ୍ଷେତ୍ରରେ ଜଜ୍ ଅପେକ୍ଷାକୃତ କମ ଦଣ୍ଡ ଘୋଷଣ କରିପାରନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ କଏଦୀମାନେ ଜାମିନ ପାଇଛନ୍ତି ଅଥଚ ଜେଲରୁ ଆସି ପାରୁନାହାନ୍ତି ସେମାନଙ୍କ ପାଇଁ ଏହା ବିଶେଷ ଫଳପ୍ରଦ ହେବ। ଜାମିନର ସର୍ତ୍ତ ପୂରଣ କରି ନପାରିବା ଓ ଜାମିନଦାର ଯୋଗାଡ଼ ନକରିପାରିବା ଫଳରେ ପ୍ରାୟ ୩୮୦ ଜଣ କଏଦୀ ଏବେବି ଜେଲ ଭିତରେ ରହିଛନ୍ତି। କୋଭିଡ ସମସ୍ୟା ଯୋଗୁଁ ଜେଲ ଅଦାଲତ ଜରିଆରେ କଏଦୀମାନଙ୍କୁ ମୁକୁଳାଇ ପାରିଲେ, ଜେଲ ଭିତରେ ଭିଡ଼ କମିବା ସହ କୋଭିଡ ସଂକ୍ରମଣର ଆଶଙ୍କା ମଧ୍ୟ କମ କରାଯାଇପାରିବ।

Comment