ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକ ପରେ ରଙ୍ଗର ପର୍ବ ହୋଲି। ହେଲେ ହୋଲି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନାହିଁ। କାରଣ କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି କୋରୋନା ଭାଇରସ ମୁଣ୍ଡ ଟେକିଛି, ଯେଉଁଥିପାଇଁ ସତର୍କତାର ସହ ଘରେ ରହି ହୋଲି ପାଳିବାକୁ ପରାମର୍ଶ ଦିଆଯାଇଛି।

ମାର୍ଚ୍ଚ ୨୯ରେ ହୋଲି ପର୍ବ ପଡ଼ୁଥିବାରୁ ସର୍ବସାଧାରଣରେ ଗହଳି ନକରିବାକୁ ବାରଣ କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନ। ରାଜ୍ୟରେ ପୁଣିଥରେ କରୋନା ଲେଉଟାଣିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ପୂର୍ବଭଳି କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ରଙ୍ଗର ବଜାର ମଧ୍ୟ ମାନ୍ଦା

 କୋରୋନା ଭାଇରସ୍‌ ପ୍ରଭାବ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ହୋଲି ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଦିନକ ପରେ ହୋଲି ଥିଲେ ମଧ୍ୟ ଏଯାଏଁ ବଜାରରେ ହୋଲି ସାମଗ୍ରୀ ଦେଖିବାକୁ ମିଳୁନାହିଁ। କାଁ ଭାଁ  ଗୋଟିଏ ଗୋଟିଏ ଗୋଟିଏ ଦୋକାନରେ ହୋଲି ଜିନିଷ ଦେଖିବାକୁ ମିଳୁଛି। ସେଠାରେ ମଧ୍ୟ ଗ୍ରାହକଙ୍କର ସେତେଟା ଭିଡ଼ ନାହିଁ। ଏଥର ବଜାରରେ ହୋଲି ରଙ୍ଗ ପରିବର୍ତ୍ତେ ସାନିଟାଇଜର, ମାସ୍କ ଜିନିଷ ଚହିଦା ଅଧିକ ରହିଛି।

ହୋଲି ମେଳଣ ପର୍ବକୁ ନା

କୋରୋନା ଭାଇରସ ଭୟାବହତା ହୋଲି ମେଳଣ ପର୍ବରେ ବି ଦେଖା ଦେଇଛି। ବିଭିନ୍ନ ସ୍ଥାନରେ ହୋଲିକୁ ନେଇ ହେବାକୁ ଥିବା ମେଳଣ ପର୍ବ ରଦ୍ଦ କରାଯାଉଛି। ରୀତିନୀତି ଅନୁସାରେ କେବଳ ପୂଜା ଅର୍ଚ୍ଚନା କରାଯିବ ବୋଲି କୁହାଯାଇଛି। ଗତ ବର୍ଷ ମଧ୍ୟ ଏହି ସମାନ ପରିସ୍ଥିତି ଦେଖାଯାଇଥିଲା। ଲୋକେ ହୋଲି କେମିତି ଖେଳିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ମଧ୍ୟ ଜାରି କରାଯାଇଥିଲା। ”ବହୁ ସଂଖ୍ୟାରେ ଏକତ୍ର ହୋଇ ହୋଲି ଖେଳନ୍ତୁ ନାହିଁ। ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ, ପରସ୍ପରକୁ ଆଲିଙ୍ଗନ କରନ୍ତୁ ନାହିଁ, ମୁହଁରେ ରଙ୍ଗ ଲଗାନ୍ତୁ ନାହିଁ। ହୋଲି ପାଇଁ ଏହିଭଳି ପରାମର୍ଶ ଦିଆଯାଇଥିଲା”।

Comment