ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷକୁ ଥରେ ଆସେ ହୋଲି ପର୍ବ। ଆମ ଦେଶବାସୀଙ୍କ ପାଇଁ ଏହା ଏକ ହର୍ଷଉଲ୍ଲାସର ଦିବସ। ହେଲେ ସଠିକ ଭାବରେ ଏହି ପର୍ବ ପାଳନ ନ କଲେ ଏହା ବେଳେ ବେଳେ ଡାକିଆଣିଥାଏ ଅନେକ ଅସୁବିଧା ଓ ବିପଦ। ଏହି ଭଳି ଏକ ଦିଗ ହେଲା ହୋଲିର ବ୍ୟବହାର କରାଯାଉଥିବା ରଙ୍ଗ।

କେମିତି ବାଛିବେ ରଙ୍ଗ?

ବଜାରରେ ଉପଲବ୍ଧ ହେଉଥିବା ରାସାୟନିକ ରଙ୍ଗରେ ରହିଛି ବିଷାକ୍ତ ଉପାଦାନ। ପ୍ରାକୃତିକ ପଦାର୍ଥରେ ତିଆରି ହେଉ ନ ଥିବାରୁ ହସଖୁସିର ପର୍ବ ହୋଲି ବିପଦକୁ ଟାଣି ଆଣୁଛି। ତେଣୁ ହୋଲି ଖେଳ ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ।

ମୁଣ୍ଡ ଫଟା ରଙ୍ଗ କିମ୍ବା ବାରନିସ ରଙ୍ଗ ରାସାୟନିକ ରଙ୍ଗର ଅନ୍ତର୍ଭୁକ୍ତ। ଏହା ଚର୍ମକୁ ହାନି ପହଞ୍ଚାଇ ପାରେ। ରାସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ /ନ୍ୟାଚୁରାଲ କଲର ବ୍ୟବହାର କରିପାରିବେ। ଏହା ଜୈବିକ ପଦାର୍ଥରେ ତିଆରି ହେବା ଯୋଗୁଁ ଚର୍ମକୁ କିଛି ହାନି କରିପାରେ ନାହିଁ ।

ମୁଖ୍ୟତଃ ଛୋଟ ଶିଶୁ ଓ ବୃଦ୍ଧ ଲୋକଙ୍କ କ୍ଷେତ୍ରରେ ରାସାୟନିକ ରଙ୍ଗ ବାରଣ କରିବେ।

ହୋଲି ଖେଳିବା ପୂର୍ବରୁ କଣ କରିବେ?

ଦେହକୁ ଯଥା ସମ୍ଭବ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇବାକୁ ଚେଷ୍ଟା କରନ୍ତୁ। ଦେହରେ ନଡ଼ିଆ ତେଲ ବୋଳି ଖେଳିବାକୁ ବାହାରନ୍ତୁ, ଯେପରି ରଙ୍ଗ ଚର୍ମରେ ସହଜରେ ଲାଗି ପାରିବ ନାହିଁ ଓ ହୋଲି ଖେଳିବା ପରେ ସହଜରେ ସଫା କରାଯାଇପାରିବ। ଅଧିକ ସୁରକ୍ଷା ନିମନ୍ତେ ନଡ଼ିଆ ତେଲ ସହ ମଇଶ୍ଚରାଇଜର ମିଶାଇ ଲଗାଇ ପାରିବେ।

କେଶ ସୁରକ୍ଷା ନିମନ୍ତେ ପୁରୁଷମାନେ କେଶ ଛୋଟ କରିପାରିବେ ଓ ମୁଣ୍ଡରେ ଟୋପି ପିନ୍ଧି ହୋଲି ଖେଳି ପାରିବେ। ମହିଳାମାନେ ମଧ୍ୟ ମୁଣ୍ଡରେ ସାଓ୍ୱାର କ୍ୟାପ୍‌ ମୁଣ୍ଡରେ ଲଗାଇ ହୋଲି ଖେଳି ପାରିବେ। ମୁଣ୍ଡରେ ନଡ଼ିଆ ତେଲ ଲଗାଇବାକୁ ଭୁଲିବେ ନାହିଁ।

ହୋଲି ଖେଳିବା ବେଳେ କାନରେ ତୁଳା ଦେଇ ହୋଲି ଖେଳିବେ ଯେପରି ରଙ୍ଗ କାନରେ ପଶିବ ନାହିଁ।

ଆଖିର ସୁରକ୍ଷା ପାଇଁ କଳା ଚଷମା ପିନ୍ଧି ହୋଲି ଖେଳନ୍ତୁl ଯଦି ଆଖିରେ ରଙ୍ଗ ପଶିଯାଉଛି, ତେବେ ଆଖିରେ ୧୦ରୁ ୧୫ ମିନିଟ୍‌ ଧରି ସଫା ପାଣି ଛାଟନ୍ତୁl ଯଦି ତଥାପି ଆଖିରେ କିଛି ଅସୁବିଧା ଲାଗେ, ନିକଟସ୍ଥ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ନ୍ତୁ।

ନଖ ସୁରକ୍ଷା ପାଇଁ ନଖ କଡ଼ରେ ଭ୍ୟାସେଲିନ୍‌ ଜେଲି ଲଗାଇ ହୋଲି ଖେଳନ୍ତୁ। ଏହାଦ୍ୱାରା ନଖରେ ରଙ୍ଗ ରହିବ ନାହିଁ।

ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ କିମ୍ୱା ଅଧିକ ସମୟ ଖରାରେ ବୁଲି ଯଦି ହୋଲି ଖେଳୁଛନ୍ତି ତା’ହେଲେ ଦେହରେ SPF ୩୦ ଥିବା ସନ୍‌ସ୍କ୍ରିନ ଲଗାଇ ପାରିବେ ଓ ଏହାକୁ ପ୍ରତି ୨ରୁ ୩ ଘଣ୍ଟାକୁ ଥରେ ପୁନର୍ବାର ଲଗାଇବେ।

କୌଣସି ନିଶାଦ୍ରବ୍ୟ ସେବନ କରି ହୋଲି ଖେଳନ୍ତୁ ନାହିଁ। ପ୍ରତିବର୍ଷ ଅନେକ ଲୋକ ନିଶାଦ୍ରବ୍ୟ ସେବନ କରି ହୋଲି ଖେଳିଥାଆନ୍ତି, ଫଳରେ ଦୁର୍ଘଟଣାର ଶିକାର ହୋଇଥାଆନ୍ତି।

ପୂର୍ବରୁ ଚର୍ମ ରୋଗ ଥିଲେ କଣ କରିବେ?

ଯଦି ଆପଣ ଜଣେ ଚର୍ମ ରୋଗୀ, ତା’ ହେଲେ ରଙ୍ଗଠାରୁ ଦୂରେଇ ରହନ୍ତୁ, କାରଣ ଏହା ଚର୍ମ ରୋଗକୁ ବଢ଼ାଇ ଦେଇପାରେ। ଯଦି ଏହା ସତ୍ୱେ ଆପଣ ହୋଲି ଖେଳୁଛନ୍ତି ତେବେ କୌଣସି ଅସୁବିଧା ହେଲେ ନିଜ ଚର୍ମ ବିଶେଷଜ୍ଞଙ୍କୁ ଦେଖା କରନ୍ତୁ।

ହୋଲି ଖେଳିବା ସମୟରେ ରଙ୍ଗ ଓ ସୂର୍ଯ୍ୟକିରଣର ମିଳିତ ପ୍ରକ୍ରିୟାରେ ବେଳେବେଳେ ଚର୍ମରେ ଆଲର୍ଜି ହୋଇପାରେ, ଯାହା ଚର୍ମ ଲାଲ ପଡ଼ିବା, ଜଳିବା, ପୋଡ଼ିବା ଓ ଫୋଟକା ହେବା ଭଳି ଲକ୍ଷଣ ଦେଖାଇଥାଏ, ଯାହାକୁ “photocontact dermatitis” କୁହାଯାଏ। ଯଦି ଆପଣଙ୍କ ଏହିଭଳି କିଛି ଲକ୍ଷଣ ଦେଖାଦିଏ, ତୁରନ୍ତ ଚର୍ମକୁ ସାବୁନରେ ଧୋଇବେ ଓ ନିକଟସ୍ଥ ଚର୍ମରୋଗ ବିଶେଷଜ୍ଞ ସହ ପରାମର୍ଶ କରିବେ।

ହୋଲି ଖେଳିବା ପରେ କଣ କରିବେ?

ନଖ ଉଷୁମ ପାଣିରେ ଗାଧୋଇବେ।

ହାଲ୍‌କା ମାଲିସ୍‌ କରି ପ୍ରଥମେ ରଙ୍ଗ ଧୋଇବାକୁ ଚେଷ୍ଟା କରିବେ।

ରଙ୍ଗ ଛଡ଼ାଇବାକୁ ଡିଟରଜେଣ୍ଟ କିମ୍ବା କିରୋସିନ/ପେଟ୍ରୋଲ ଭଳି ଦ୍ରବ୍ୟ ବ୍ୟବହାର କରିବେ ନାହିଁl ଏହା ଚର୍ମକୁ ନଷ୍ଟ କରିପାରେ।

pH ବାଲାନ୍ସ ସାବୁନ /କ୍ଲିନଜର ବ୍ୟବହାର କରିପାରିବେ।

ବଳକା ରଙ୍ଗକୁ ଛଡ଼ାଇବାକୁ ଅତ୍ୟଧିକ ମାତ୍ରାରେ ଚର୍ମକୁ ଘସିବେ ନାହିଁ।

ଗାଧୋଇବା ପରେ ଚର୍ମ ସାଧାରଣତଃ ଶୁଷ୍କ ହୋଇଯାଏ। ତେଣୁ ଓଦା ଚର୍ମରେ ନଡ଼ିଆ ତେଲ ଓ ମଇଶ୍ଚରାଇଜର ଲଗାଇବେ।

ଧୈର୍ଯ୍ୟ ଧରି ୨ରୁ ୩ ଦିନ ଭିତରେ ରଙ୍ଗ ଦେହରୁ ଯିବାକୁ ଦେବେ।

ଉପରୋକ୍ତ ସାବଧାନତା ଅବଲମ୍ବନ କଲେ ହୋଲିକୁ ଆମେ ସୁଖ ଶାନ୍ତିରେ ଉପଭୋଗ କରିପାରିବାl

ସୌଜନ୍ୟ: ସ୍ୱାସ୍ଥ୍ୟ ପ୍ଲସ୍‌

Comment