ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ଚିନ୍ତା ବଢ଼ାଉଛି ଶିକ୍ଷାନୁଷ୍ଠାନ। ରାଜ୍ୟରୁ ଲଗାତାର ଶିକ୍ଷାନୁଷ୍ଠାନମାନଙ୍କରୁ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ। ରବିବାର ଭୁବନେଶ୍ୱରର ଆଲେନ ଇନଷ୍ଟିଚ୍ୟୁଟରୁ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚିହ୍ନଟ ହେବାପରେ ବିଏମ୍‌ସି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଛି। କିଛିଦିନ ପୂର୍ବରୁ ଏକ୍ସଆଇଏମଭିକୁ ସିଲ୍ କରିଥିଲା ବିଏମ୍‌ସି।

ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କରିବାପରେ, ହଷ୍ଟେଲ ଭିତରକୁ ଯିବାପାଇଁ ବାରଣ କରାଯାଇଛି। ଏଥିସହ ଭିତରେ ଥିବା ବ୍ୟକ୍ତି ବାହାରକୁ ମଧ୍ୟ ବାହାରିପାରିବେ ନାହିଁ। କେବଳ ସ୍ୱିକୃତିପ୍ରାପ୍ତ ବ୍ୟକ୍ତିଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇଛି। କରୋନା ପଜିଟିଭ୍ ଛାତ୍ରଛାତ୍ରୀଙ୍କୁ ଅଲଗା ଅଲଗା ହଷ୍ଟେଲ ଓ ମେସ୍‌ରେ ସଙ୍ଗରୋଧରେ ରଖାଯାଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଇଆଇଟିରୁ ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଉରକେଲା ଏନଆଇଟିରୁ ୭ ଚିହ୍ନଟ ହୋଇଥିବା କଲେଜ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ସମସ୍ତ ଛାତ୍ରଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯାଉଛି।

କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ଅଞ୍ଚଳର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରୁ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ୍। ସରକାରଙ୍କ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଏବେ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏସବୁ ଖୋଲିବା ଦ୍ୱାରା ସବୁ ଅଞ୍ଚଳର ଛାତ୍ରଛାତ୍ରୀ ଏକାଠି ହେଉଛନ୍ତି, ଫଳରେ କରୋନା ବ୍ୟାପୁଥିବା ଚର୍ଚ୍ଚା ହେଉଛି।

Comment