ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜଧାନୀ ଭୁବନେଶ୍ଵରର କୌଣସି ବସ୍ତିରେ ଲୋକମାନେ ବସ୍ତ୍ର ପାଇଁ ହଇରାଣ ହେବେନି। ଏଥିପାଇଁ ଉତ୍କଳ ଦିବସ ଅବସରରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ହୁଇଲ ଅଫ କାଇଣ୍ଡନେସ୍’ ବସ୍ ଅଭିଯାନ। ଏଥିରେ ଲୋକମାନେ ନିଜର ପୁରୁଣା ବସ୍ତ୍ରକୁ ଦାନ କରିପାରିବେ। ଦାନରେ ଆସିଥିବା ବସ୍ତ୍ରକୁ ସଫାସୁତୁରା କରିବା ପରେ ସହରର ବିଭିନ୍ନ ବସ୍ତିରେ ଏଗୁଡ଼ିକୁ ବଣ୍ଟାଯିବ। ପିନ୍ଧାଯୋଗ୍ୟ ପୁରୁଣା ବସ୍ତ୍ରକୁ ସଂଗ୍ରହ କରି ଗରିବଙ୍କୁ ମାଗଣାରେ ବାଣ୍ଟିବା ହେଉଛି ଏହି ଅଭିଯାନର ଲକ୍ଷ।ବସ୍ତ୍ର ଦାନ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ୭୯୭୮୨୪୨୨୦୧ ନମ୍ବରରେ ଫୋନ୍ କରିପାରିବେ। ଏହାପରେ ସେହି ବ୍ୟକ୍ତିଙ୍କ ଘର ପାଖକୁ ଆସି ବସ୍ତ୍ର ସଂଗହ କରିନେବ ହୁଇଲ ଅଫ କାଇଣ୍ଡନେସ୍ ବସ୍। ଏହା ଛଡ଼ା ବିଏମସିର ମୂଖ୍ୟ କାର୍ଯ୍ୟାଳୟ ଏବଂ ଜୋନାଲ୍ କାର୍ଯ୍ୟାଳୟରେ ମଧ୍ୟ ବସ୍ତ୍ର ଦାନ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ବିଏମସିକୁ ବିକାଶ ନାମକ ଏନଜିଓ ସହଯୋଗ କରିବ। ବସ୍ତ୍ରଗୁଡ଼ିକୁ ସଂଗ୍ରହ କରିବାଠାରୁ ଆରମ୍ଭ କରି ତାକୁ ବାଣ୍ଟିବା ଆଦିର ଦାୟିତ୍ଵ ତୁଲାଇବ ଏହି ଏନଜିଓ। ବିକାଶ ଏନଜିଓ ପ୍ରତିମାସରେ ଅତିକମରେ ୧୭ହଜାର ୫ଶହ ବସ୍ତ୍ର ସଂଗ୍ରହ କରିବାର ଲକ୍ଷ ରଖିଛି।ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏହି ହୁଇଲ୍ ଅଫ କାଇଣ୍ଡନେସ୍ ବସ୍ ବସ୍ତ୍ର ସଂଗ୍ରହ କରିବ। ଏହାପରେ ଦିନକରେ ୨ଥର ସକାଳ ୯ଟାରୁ ୨ଟା ଏବଂ ସନ୍ଧ୍ୟା ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଭିନ୍ନ ବସ୍ତି ଏବଂ ଲେବର ମାର୍କେଟରେ ବସ୍ତ୍ର ବାଣ୍ଟିବା କାର୍ଯ୍ୟ କରିବ। ସଂଗୃହିତ ବସ୍ତ୍ରଗୁଡ଼ିକୁ ରଖିବାକୁ ମଧୂସୁଦନ ନଗରରେ ଥିବା ପୁରୁଣା ୟୁପି ସ୍କୁଲକୁ ‘କାଇଣ୍ଡନେସ୍ ହବ୍’ ଭାବରେ ପରିଣତ କରାଯାଇଛି। ଏଠାରେ ଦାନରେ ମିଳିଥିବା ବସ୍ତ୍ରଗୁଡ଼ିକର ରକ୍ଷଣା ବେକ୍ଷଣା କରାଯିବ। ଶିଶୁଠାରୁ ନେଇ ବୃଦ୍ଧ ସମସ୍ତଙ୍କ ବସ୍ତ୍ର ଗ୍ରହଣ କରିବ ଏହି କାଇଣ୍ଡନେସ୍ ହବ୍।ସେହିପରି ଏହି ଅଭିଯାନରେ ବସ୍ତ୍ର ସଂଗ୍ରହଠାରୁ ଆରମ୍ଭ କରି ବାଣ୍ଟିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ବହନ କରିବା ପାଇଁ ପ୍ରତିଦିନ ୧୦ଜଣଙ୍କୁ ମୁତୟନ କରାଯାଇଛି। ‘ହୁଇଲ ଅଫ କାଇଣ୍ଡନେସ୍’ର ସମସ୍ତ କାର୍ଯ୍ୟ ଚଳାଇବା ପାଇଁ ପ୍ରତିମାସ ୧ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରିବ ବିଏମସି। ଆଗାମୀ ଦିନମାନଙ୍କରେ ଭୁବନେଶ୍ଵରର ବିଭିନ୍ନ ସପିଙ୍ଗ ମଲ୍ ଏବଂ ଗୁରୁତ୍ଵପୁର୍ଣ୍ଣ ସ୍ଥାନରେ ବସ୍ତ୍ର ସଂଗ୍ରହ ପାଇଁ ବିଏମସି ପକ୍ଷରୁ ଡ୍ରପ୍ ବକ୍ସର ବ୍ୟବସ୍ଥା କରାଯିବ। ଲୋକମାନେ ସିଧା ଏହି ବାକ୍ସରେ ନିଜର ପୁରୁଣା ବସ୍ତ୍ର ଦାନ କରିପାରିବେ।

Comment