ବିଘ୍ନେଶ୍ୱର ସାହୁ

ଆଜି ଉତ୍କଳ ଦିବସ। ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ।

”ପ୍ରତ୍ୟେକ ଓଡ଼ିଆ ଯଦି ପ୍ରତିଦିନ ଗୋଟିଏ ମିନିଟ ନିଜ ଦେଶ ପାଇଁ ଚିନ୍ତା କରନ୍ତି, ତେବେ ତାହା ଯଥେଷ୍ଟ”, ଏହା କହିପାରନ୍ତି ଜଣେ କେବଳ ଖାଣ୍ଟି ସ୍ୱାଭିମାନୀ ବ୍ୟକ୍ତି। ଏହି ସ୍ୱାଭିମାନୀ ବ୍ୟକ୍ତିଜଣକ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ।

ସବୁଦୃଷ୍ଟିରୁ ଓଡ଼ିଶାକୁ ଉଠାଇବା ଥିଲା ତାଙ୍କ ସୁଦୀର୍ଘ କର୍ମମୟ ଜୀବନର ଲକ୍ଷ୍ୟ। ଦେଶ ପାଇଁ ନିଜର ସମସ୍ତ ସମ୍ପତ୍ତି, ସମସ୍ତ ଉପାର୍ଜନ ବ୍ୟୟ କରି ଶେଷରେ ଦେବାଳିଆ ହୋଇ ଯାଇଥିବା ମଧୁବାବୁଙ୍କର କିନ୍ତୁ ଗର୍ବ ଥିଲା ଯେ ତାଙ୍କ ଜୀବିତକାଳ ମଧ୍ୟରେ ଓଡ଼ିଶାର ପୁନର୍ଜାଗରଣ ସେ ଦେଖି ପାରିଛନ୍ତି।

ମଧୁସୂଦନଙ୍କ ଜନ୍ମ ସମୟରେ ଓଡ଼ିଶାର ଯେଉଁ ଅବସ୍ଥା ତାହା କଳ୍ପନାତୀତ। ସେତେବେଳେ ପରାଧୀନ ଓଡ଼ିଶା। ପଠାଣ, ମୋଗଲ ଏବଂ ମରହଟ୍ଟାମାନେ ଦୀର୍ଘ ତିନିଶହ ବର୍ଷ ଧରି ଓଡ଼ିଶାକୁ ଶାସନ କରିବା ପରେ ଶାସନର ଡୋରିଥାଏ ଇଂରେଜମାନଙ୍କ ହାତରେ। ଇଂରେଜମାନେ ବଙ୍ଗଳାରେ ରହି ଓଡ଼ିଶାକୁ ଶାସନ କରୁଥାନ୍ତି। ଓଡ଼ିଶା ଚରମ ଦୁର୍ଦ୍ଧିନର ସମ୍ମୁଖୀନ ହେଉଥାଏ। ଚାରିଆଡ଼େ ଦାରିଦ୍ର୍ୟ ଓ ଅରାଜକତା ଲାଗି ରହିଥାଏ।

ସ୍ୱାର୍ଥାନ୍ଧ ବ୍ୟକ୍ତିମାନେ ଇଂରେଜମାନଙ୍କର ହାତବାରିସୀ ହୋଇ ଓଡ଼ିଶାର ସ୍ୱାର୍ଥକୁ ବିପନ୍ନ କରି ଦେଉଥାନ୍ତି। ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରୀମାନ ନିଲାମ ହୋଇଯାଉଥାଏ। ଜମିଦାରମାନେ କାଙ୍ଗାଳ ସାଜିଥାନ୍ତି।  ଶାସନ ବିରୋଧରେ ପ୍ରତିବାଦର ସ୍ୱର ପାଇକ ବିଦ୍ରୋହ ମାଧ୍ୟମରେ ପ୍ରକମ୍ପିତ ହୋଇଥିଲା। କିନ୍ତୁ ପ୍ରବଳ ପ୍ରତାପୀ ସାମ୍ରାଜ୍ୟ ବିରୋଧରେ ସେ ବିଦ୍ରୋହ ଦମିତ ହୋଇଗଲା। ଏହାପରେ ଯେପରି ଶୋଷଣ ଓ ଅତ୍ୟାଚାର ଚାଲିଲା, ଇତିହାସରେ ତାର ପଟ୍ଟାନ୍ତର ନାହିଁ।

୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଦଖଲ କଲେ। କିନ୍ତୁ ଓଡ଼ିଆମାନଙ୍କୁ କୌଣସି ସୁବିଧା ସୁଯୋଗ ଦିଆଗଲା ନାହିଁ। ଇଂରେଜମାନେ ପଞ୍ଜାବ ଓ ରାଜସ୍ଥାନ ଦଖଲ କଲାପରେ ପଞ୍ଜାବ ରେଜିମେଣ୍ଟ ଓ ରାଜପୁତ ରେଜିମେଣ୍ଟ ଗଠନ କଲେ। କିନ୍ତୁ ଓଡ଼ିଶାରେ ପାଇକ  ରେଜିମେଣ୍ଟ ଗଠନ କରାଗଲା ନାହିଁ। ସେତେବେଳେ କଲିକତାରେ ଗୋଟିଏ ଧାରଣା ସୃଷ୍ଟି କରି ଦିଆଗଲା ଯେ ଭାରତବର୍ଷରେ ଓଡ଼ିଆ ଜାତି ହେଉଛି ଗୋଟିଏ ଅବିଶ୍ୱାସୀ ଜାତି। ତେଣୁ ଓଡ଼ିଆମାନଙ୍କୁ କୌଣସି କାର୍ଯ୍ୟରେ ବିଶ୍ୱାସ କରାଗଲା ନାହିଁ। ଓଡ଼ିଆ ଜାତି ତାର ସମସ୍ତ ଗର୍ବ, ଗୌରବ ଓ ସ୍ୱାଭିମାନ ହରାଇ ବସିଲା।

ସେ କାଳରେ କଲିକତା ଥିଲା ଭାରତବର୍ଷର ରାଜଧାନୀ । ମଧୁସୂଦନ ଉଚ୍ଚ ଶିକ୍ଷାପାଇଁ କଲିକତା ଯାଇ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଲେ। ସାର ଆଶୁତୋଷ ମୁଖାର୍ଜୀ ତାଙ୍କର ଗୃହ ଶିକ୍ଷକ ଥିଲେ।  ଆଜୀବନ ତାଙ୍କରି ସହ ବନ୍ଧୁତା ରହିଲା। ଗୋଟିଏ ଜାତିର ନେତାଭାବରେ ମଧୁବାବୁଙ୍କୁ ସାର୍ ଆଶୁତୋଷ ମୁଖାର୍ଜୀ ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ।  ସେହିପରି ବ୍ରିଟିଶ ସାମ୍ରାଜ୍ୟର ଅନ୍ଧ ସମର୍ଥକ ସାର୍ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ସହ ମଧୁବାବୁଙ୍କର ଶେଷ ପର୍ଯ୍ୟନ୍ତ ବନ୍ଧୁତ୍ୱ ସମ୍ପର୍କ ରହିଥିଲା। ସୁରେନ୍ଦ୍ର ବାନାର୍ଜୀ କହୁଥିଲେ ଯେ ଓଡ଼ିଶାକୁ ଉଠେଇବାକୁ ହେଲେ ଭାରତବର୍ଷର ନେତୃବର୍ଗଙ୍କ ଭିତରେ ଓଡ଼ିଶାକୁ ଉଠେଇବାକୁ ହେବ। ଯିଏ ଓଡ଼ିଶାର ନେତା ହେବ,  ଭାରତବର୍ଷ ଭିତରେ ସେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିବ।

ବଡଲାଟ ଲଡର଼୍ କର୍ଜନଙ୍କ ଓଡ଼ିଶା ଗସ୍ତ ସମୟରେ ମଧୁବାବୁ ଓଡ଼ିଆ ସଭା ପକ୍ଷରୁ ସ୍ମାରକପତ୍ର ଦେଇଥିଲେ। ସେହିପରି ବହୁବାର ଦିଲ୍ଲୀ ଓ ସିମ୍‌ଲାରେ ସାକ୍ଷାତକରି ଓଡ଼ିଶାର ଦାବୀ ଉପସ୍ଥାପିତ କରିଥିଲେ। ତକ୍ରାଳୀନ ବ୍ରିଟିଶ କାଉନସିଲ ଅଫ୍ ମିନିଷ୍ଟର ମର୍ଲେ ମିଣ୍ଟୋଙ୍କୁ ଭେଟି ଓଡ଼ିଶାର ଦାବୀ ଜଣାଇଥିଲେ। ବଙ୍ଗ ବିଧାନସଭାରେ ବିହାର-ଓଡ଼ିଶା କାଉନ୍‌ସିଲ ଏବଂ ଇମ୍ପେରିଆଲ କାଉନ୍ସିଲରେ ଭାରତବର୍ଷ ସହିତ ଓଡ଼ିଶା କଥା କହିଛନ୍ତି ଏବଂ ଓଡ଼ିଶାକୁ ଉଠେଇବା ପାଇଁ ସବୁବେଳେ ଉଦ୍ୟମ କରିଛନ୍ତ।

୧୮୬୬ ମସିହାରେ ମଧୁସୂଦନ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୮୬୬ ମସିହା ଓଡ଼ିଶା ଇତିହାସରେ ଏକ ଦୁର୍ଦ୍ଦିନତମ ବର୍ଷ। କାରଣ ସେହି ବର୍ଷର ନଅଙ୍କ ଦୁର୍ଭିକ୍ଷକୁ କେହି ଭୁଲିପାରିବେ ନାହିଁ। ଇତିହାସ ପୃଷ୍ଠାରୁ ତାହା କେବେହେଲେ ଲିଭିବ ନାହିଁ। ଏଇ ଦୁର୍ଦ୍ଦିନରେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାକୁ ଲୋପ କରିବା ନିମନ୍ତେ ଚକ୍ରାନ୍ତ ହେଲା। କୁହାଗଲା, ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ। ଏଥିପାଇଁ ନିର୍ଲଜ ଭାବେ ପ୍ରାମାଣିକ ପୁସ୍ତକ ମଧ୍ୟ ରଚନା କରାଗଲା।

ଓଡ଼ିଆ ଭାଷାକୁ ବଙ୍ଗଳାର ଅନ୍ୟତମ ଆଞ୍ଚଳିକ ଭାଷା ଭାବେ ଅଭିହିତ କରାଗଲା।  ଏହି ସମୟରେ ଯେଉଁମାନେ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରୁ ମଧୁବାବୁ ଥିଲେ ଅଗ୍ରଗଣ୍ୟ। ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ନେଲେ କଥା ସମ୍ରାଟ ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, କବି ମଧୁସୂଦନ ରାଓ ଏବଂ ରାଜନୈତିକ ତଥା ସାମାଜିକ କ୍ଷେତ୍ରରେ ମଧୁସୂଦନ। ତାଙ୍କୁ ସାହାଯ୍ୟ କଲେ କର୍ମବୀର ଗୌରୀଶଙ୍କର।

ପ୍ରକାଶ ପାଇଲା ଉତ୍କଳ ଦୀପିକା। ଓଡ଼ିଆ ଜାତିକୁ ଶକ୍ତି, ସାହସ ଓ ଆତ୍ମସମ୍ମାନ ଦେବା ପାଇଁ ସେ ଆପ୍ରାଣ ଉଦ୍ୟମ କରିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା କରିବା ଓ ଓଡ଼ିଆ ଜାତିକୁ ବିଶ୍ୱରେ ପରିଚିତ କରାଇବା ପାଇଁ ସେ ପ୍ରଥମ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ।  ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଜନ୍ମ ହେଲା।  ୧୮୮୬ ମସିହାରୁ ୧୯୦୮ ପର୍ଯ୍ୟନ୍ତ ମଧୁବାବୁ ପ୍ରାୟ ସମସ୍ତ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ।  କଂଗ୍ରେସ ଅଧିବେଶନରେ ମଧୁବାବୁ ଯେଉଁ ସବୁ ପ୍ରସ୍ତାବ ଆଗତ କରୁଥିଲେ, ତାହାକୁ ଦୃଢ଼ ସମର୍ଥନ ମିଳୁଥିଲା। ଭାରତବର୍ଷରେ ଓଡ଼ିଶାର ଶ୍ରେଷ୍ଠତ୍ୱ ପ୍ରତିପାଦନ ଲାଗି ସେ ସମସ୍ତ କ୍ଷେତ୍ରରେ ଉଦ୍ୟମ କରିଥିଲେ।

madhubabu

ମଧୁବାବୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉତ୍କଳ ସମ୍ମିଳନୀ ଗଢ଼ି ନ ଥିଲେ କି ବିହାର ଓଡ଼ିଶା ମନ୍ତ୍ରୀ ପରିଷଦରେ ଯୋଗ ଦେଇ ନ ଥିଲେ। ମନ୍ତ୍ରୀତ୍ୱକୁ କିଭଳି ପଦାଘାତ କରାଯାଇପାରେ, ତା’ ବି ସେ କରିଦେଖାଇ ଦେଇଛନ୍ତି।  ସେ ବିଶ୍ୱାସ କରିଥିଲେ ଯେ କଂଗ୍ରେସ ଯେପରି ସ୍ୱାଧୀନତା ପାଇଁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିଛି, ଉତ୍କଳ ସମ୍ମିଳନୀ କରି ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଓଡ଼ିଶାର ଦାବୀକୁ ସେପରି ଉପସ୍ଥାପିତ କରିବାକୁ ହେବ। ପୂର୍ବରୁ ଭାଷାଭିତ୍ତିରେ ପ୍ରଦେଶ ଗଠନ ଆନ୍ଦୋଳନକୁ କଂଗ୍ରେସର କେତେକଲୋକ ବିରୋଧ କରିଥିଲେ ସୁଦ୍ଧା ମଧୁବାବୁ ଓ ଗୋପବନ୍ଧୁଙ୍କ ଉଦ୍ୟମ ଫଳରେ ଭାଷାଭିତ୍ତିକ ପ୍ରଦେଶ ଗଠନ ପ୍ରସ୍ତାବ କଂଗ୍ରେସରେ ଗୃହୀତ ହେଲା।

ସ୍ୱାଧୀନତା ଲାଭ ପରେ ପ୍ରଦେଶ ଗଠନ ପାଇଁ କଂଗ୍ରେସ ମତ ଦେଇଥିଲା। କିନ୍ତୁ ମଧୁସୂଦନ ବିଶ୍ୱାସ କରୁଥିଲେ ଯେ ସ୍ୱାଧୀନତା ଆସିବାର ବହୁ ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଦରକାର। ଅନ୍ୟାନ୍ୟ ପ୍ରଦେଶ ଭଳି ଓଡ଼ିଶା ପ୍ରଦେଶରେ ଓଡ଼ିଆ ଭାଷାଭାଷୀ ଲୋକଙ୍କର ରହିବାର ଅଧିକାର ରହିଛି। ଉତ୍କଳ ସମ୍ମିଳନୀର ଇତିହାସ ଭିତରେ ମଧୁସୂଦନ ଥରେ ମାତ୍ର ସଭାପତି ହୋଇଛନ୍ତି। ଅନ୍ୟ ସବୁ ସମୟରେ ଅନ୍ୟମାନଙ୍କୁ ସଭାପତି କରାଇଛନ୍ତି।  ତାଙ୍କର ଅନୁମୋଦନ ବିନା ସମ୍ମିଳନୀର କୌଣସି ପ୍ରସ୍ତାବ ଗୃହୀତ ହେଉନଥିଲା।

ସ୍ୱାଧୀନତା ଲାଭ କରିବାର ଏଗାର ବର୍ଷ ପୂର୍ବରୁ ଓଡ଼ିଶ ସ୍ୱତନ୍ତ୍ର ପ୍ରଦେଶ ହେଲା। ସ୍ୱାଧୀନତା ପରେ ଓଡ଼ିଶାପ୍ରଦେଶ ଗଠନ ହୋଇଥିଲେ, ବର୍ତ୍ତମାନର ଓଡ଼ିଶା ଆଉ ଏପରି ନଥାନ୍ତା।  ତେଣୁ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଭାବରେ ଓଡ଼ିଶା ଗଠନ ଲାଗି ତାଙ୍କରଯେଉଁ ମହତ୍ୱପୂର୍ଣ୍ଣ ଅବଦାନ, ତାହା ଇତିହାସରେ ଚିରକାଳ ଦେଦୀପ୍ୟମାନ ହୋଇରହିଛି।

ଓଡ଼ିଶାର ଅର୍ଥନୈତିକ ବିକାଶ କୃଷି ଉପରେ ନିର୍ଭର କରେ ବୋଲି ସେ କହୁଥିଲେ। ତେଣୁ ଉଭୟ ଶିଳ୍ପ ଓ କୃଷିର ଉନ୍ନତି ଲାଗି ସେ ଜୋର ଦେଇଥିଲେ। କୃଷି କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ଅପାରଗତାକୁ ସେ ଅତି କଟୁ ସମାଲୋଚନା କରୁଥିଲେ ।

ସାମାଜିକ ସଂସ୍କାର କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ମହିଳାମାନଙ୍କ ଶିକ୍ଷାର ପ୍ରସାର ଲାଗି ସେ କଟକରେ ପ୍ରଥମ ମହିଳା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେସମୟରେ ଓକିଲାତି କରିପାରୁନଥିଲେ ଏବଂ ଭୋଟଦେବାରୁ ବଞ୍ଚିତ ହେଉଥିଲେ। ତାଙ୍କର ଉଦ୍ୟମ ଫଳରେ ମହିଳାମାନେ ଓକିଲାତି କରିବା ଏବଂ ଭୋଟ ଦେବା ପାଇଁ ଆଇନର ସଂଶୋଧନ ହୋଇଥିଲା।  ମହିଳାମାନଙ୍କର ସ୍ୱାଧୀନତା ପାଇଁ ସମାଜରେ ଉଦ୍ୟମ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଥିଲେ ଅଗ୍ରଣୀ ପୁରୁଷ।

ସେ ଚିନ୍ତିତ ଥିଲେ ଯେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଲେ ଚଳିବ ନାହିଁ। ଓଡ଼ିଶାର ଦାରିଦ୍ର୍ୟ ଦୂର କରିବା ପାଇଁ ଏକ ଶିଳ୍ପ ଜାଗରଣ ଦରକାର। ଉତ୍କଳ ତାର ଗ୍ରାମ୍ୟ ଶିଳ୍ପ ଏବଂ କୁଟୀର ଶିଳ୍ପଜାତ ଦ୍ରବ୍ୟ ପାଇଁ ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଥିଲା। ଓଡ଼ିଶାରେ ଜମିଦାର କିମ୍ବା ରାଜା ମହାରାଜାଙ୍କଠାରୁ ସହଯୋଗ ନ ପାଇ ଏକାକୀ ଶିଳ୍ପର ଉନ୍ନତି ଓ ବିସ୍ତାର ପାଇଁ ଦୁଇଟି ସଂସ୍ଥା ଗଠନ କରିଥିଲେ- ଉତ୍କଳ ଆର୍ଟ ୱେୟାର୍ ଏବଂ ଉତ୍କଳ ଟ୍ୟାନେରୀ।  ୧୯୦୨ ମସିହାରେ ବଙ୍ଗଳା ବିଧାନ ପରିଷଦରେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ହସ୍ତଶିଳ୍ପ ଶିକ୍ଷା ପ୍ରସାର ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ବଙ୍ଗଳାର ସ୍ୱଦେଶୀ ଆନ୍ଦୋଳନ ହେବା ପୂର୍ବରୁ ଏବଂ ମହାତ୍ମା ଗାନ୍ଧୀ ସ୍ୱଦେଶୀକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମଧୁବାବୁ ଓଡ଼ିଶାରେ ସ୍ୱଦେଶୀ ଆନ୍ଦୋଳନର ପ୍ରବର୍ତ୍ତକ ଥିଲେ।   ଏଇ କାରଣରୁ ମହାତ୍ମା ଗାନ୍ଧୀ ଅନେକ ସମୟରେ ମଧୁବାବୁଙ୍କ ସହ ପତ୍ର ବିନିମୟରେ ଅନେକ ପରାମର୍ଶ ମାଗୁଥିଲେ।  ମଧୁବାବୁଙ୍କ ସ୍ୱାଭିମାନ ପଣିଆକୁ ମହାତ୍ମାଗାନ୍ଧୀ ଖୁବ ସମ୍ମାନ ଦେଉଥିବା ମଧ୍ୟ ଜଣାଯାଏ।

ସେ ଚାହୁଁଥିଲେ ଯେ ଓଡ଼ିଶାବାସୀ ପରମୁଖାପେକ୍ଷୀ ନ ହୁଅନ୍ତୁ। ସେମାନଙ୍କର ନିଜର ଆବଶ୍ୟକତା ଏ ଦେଶରୁ ଉତ୍ପାଦନ କରନ୍ତୁ।  ଉଭୟ କୃଷି ଓ ଶିଳ୍ପ କ୍ଷେତ୍ରରେ ସେମାନେ ସ୍ୱାବଲମ୍ବୀ ହେଲେ ଦେଶର ପୂର୍ବ ଗୌରବ ଫେରିବ। ଏହା ଜଣେ ସଚ୍ଚା ସ୍ୱାଭିମାନୀର ହିଁ ଅଭିବ୍ୟକ୍ତି ହୋଇପାରେ ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମଧୁବାବୁ। ଯେଉଁ ସମୟରେ ଭାରତର କୌଣସି ସ୍ଥାନରେ ଶିଳ୍ପବିକାଶ ସମ୍ପର୍କରେ ଚେତନା ଜାଗ୍ରତ ହୋଇନଥିଲା, ସେହି ପ୍ରତିକୂଳ ପରିବେଶ ଓ ପରିସ୍ଥିତିରେ ପୁଣି ଓଡ଼ିଶା ପରି ଅନଗ୍ରସର ରାଜ୍ୟରେ ସେ ଶିଳ୍ପାୟନର ବୈପ୍ଳବିକ ଯୁଗ ପ୍ରବର୍ତ୍ତନ କରିଥିଲେ।  କହିବା ବାହୁଲ୍ୟ ମଧୁବାବୁ ସମଗ୍ର ଦେଶରେ ଅଗ୍ରଗଣ୍ୟ ଥିଲେ।

ମଧୁବାବୁଙ୍କ ଜୀବନର ଏପରି ଅନେକ ଘଟଣାବଳୀ କିମ୍ବଦନ୍ତୀ ହୋଇ ରହିଯାଇଛି। ଜଣେ ସ୍ୱାଭିମାନୀ ହିସାବରେ ନିଜ ମାତୃଭୂମିର ଟେକ ପାଇଁ ଯାହା କଷ୍ଟସ୍ୱୀକାର କରିବାକୁ ପଡ଼ିଛି, ତାହାକୁ ମଧୁବାବୁ ସହାସ୍ୟରେ ସହ୍ୟ କରିନେଇଛନ୍ତି।  ବାସ୍ତବରେ ମଧୁସୂଦନ ହେଉଛନ୍ତି ଉକ୍ରଳୀୟ ସ୍ୱାଭିମାନର ଉଦ୍ଗାତା। ଜୀବଦ୍ଧଶାରେ ଓଡ଼ିଶାର  ଛାତ୍ରଛାତ୍ରୀଙ୍କୁ ବହୁବାର ଉଦ୍‌ବୋଧନ ଦେଇ ସ୍ୱାଭିମାନର ସହ ବଞ୍ଚିବାକୁ ପରାମର୍ଶ ଦେଉଥିଲେ। ସ୍ୱାଭିମାନୀ ହେବାକୁ ଜାଗ୍ରତ କରାଉଥିଲେ। କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଉକ୍ତିରେ ମଧୁସୂଦନ ଯଥାର୍ଥରେ ଶତାବ୍ଦୀର ସୂର୍ଯ୍ୟ।

Comment