ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୧୭ରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ। ଏହି ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କେବେଠାରୁ ପ୍ରଚାରରେ ବାହାରିବେ, ସେନେଇ ତାରିଖ ଧାର୍ଯ୍ୟ କରାଯାଇନଥିବା ସୂଚନା ଦେଇଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ।

ପିପିଲି ଉପନିର୍ବାଚନ ରଣନୀତିକୁ ନେଇ ପ୍ରତାପ ଦେବଙ୍କ ବାସଭବନରେ ବିଜେଡିର ଏକ ବୈଠକ ବସିଥିଲା। ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ପ୍ରତାପ ଦେବ କହିଛନ୍ତି, “ଅତୀତରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଯେମିତି କରୋନା କଟକଣାରେ ନିର୍ବାଚନ କରାଯାଇଥିଲା, ସେହିଭଳି ସରକାରଙ୍କ ସମସ୍ତ କରୋନା ଗାଇଡଲାଇନ ମାନି ପିପିଲି ଉପନିର୍ବାଚନ ହେବ । ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ ମାସ୍କ ପିନ୍ଧି ପ୍ରଚାର କାର୍ଯ୍ୟରେ ଯାଉଛନ୍ତି।”

ଅନ୍ୟପକ୍ଷରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ପ୍ରଚାର କରିବେ। କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ, ତାକୁ ଦୃଷ୍ଟିରେ ରଖି ପ୍ରଚାର ମଇଦାନକୁ ଯିବେ । ପିପିଲି ଉପନିର୍ବାଚନରେ ବିଜେଡି ଜିତିବା ନିଶ୍ଚିତ।”

ଆସନ୍ତା ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହେବ ଏବଂ ମେ’ ୨ରେ ପ୍ରକାଶ ପାଇବ ଫଳାଫଳ। ଏନେଇ ପ୍ରଚାର କାର୍ଯ୍ୟ ଯୋରଦାର ହେବାରେ ଲାଗିଛି। ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳୀୟ କର୍ମୀମାନେ ପ୍ରଚାରରେ ଲାଗିପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here