ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷାରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପ୍ରସ୍ତୁତ କରାଯାଇଛି।

ଶ୍ରବଣବାଧିତଙ୍କ ପାଇଁ ନିଆରା ଢ଼ଙ୍ଗରେ ସାଙ୍କେତିକ ଭାଷାରେ ପ୍ରସ୍ତୁତ ହୋଇଛି ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଆଙ୍କର ଅସ୍ମିତା ହେଉଛି ‘ବନ୍ଦେ ଉତ୍କଳ ଜନନୀ’। ଏହି ସଙ୍ଗୀତ ମାଧ୍ୟମରେ ଶ୍ରବଣବାଧିତ ପିଲାମାନଙ୍କ ମନରେ ମାତୃଭାଷା ଓ ମାତୃଭୂମିକୁ ନେଇ ଏକ ଭାବନା ଜାଗ୍ରତ କରାଯାଇଛି। ଆଉ ସେମାନେ ଏହି ସଙ୍ଗୀତର ପ୍ରତିଟି ପଦକୁ ବୁଝି ଅଭିନୟର କୌଶଳ ଦେଖାଇଛନ୍ତି।

ସାଙ୍କେତିକ ଭାଷାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ‘ଆଇନା’ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ସଙ୍ଗୀତରେ ପାଖାପାଖି ୧୫ରୁ ଅଧିକ ଶ୍ରବଣବାଧିତ ପିଲା ଅଭିନୟ କରିଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର। ଏଥିରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ ସୋହିନି ମିଶ୍ର। ଓଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ଖେଳାଳି ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯୋଡ଼ି ହୋଇଛନ୍ତି।
“ଓଡ଼ିଶାର ଗର୍ବ ଓ ଗୌରବ ହେଉଛି ରାଜ୍ୟ ସଙ୍ଗୀତ। ଏହି ସଙ୍ଗୀତରେ ଓଡ଼ିଶାର ଚିତ୍ର, କଳା, ସ୍ଥାପତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ରହିଛି। କିନ୍ତୁ ଯେତେବେଳେ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ, ସେତେବେଳ ଶ୍ରବଣବାଧିତ ପିଲାମାନେ ଏହାକୁ ବୁଝିପାରିନଥାନ୍ତି। ଏ ସଙ୍ଗୀତରେ କ’ଣ ରହିଛି, ସେମାନେ ସେ ସମ୍ପର୍କରେ ଜାଣିପାରିନଥାନ୍ତି। ତେଣୁ ସେମାନଙ୍କ ଭିତରେ ଏକ ପ୍ରକାର ଜାତୀୟ ଭାବନା ସୃଷ୍ଟି କରିବା ପାଇଁ ସାଙ୍କେତିକ ଭାଷାରେ ‘ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ’କୁ ପ୍ରସ୍ତୁତ କରାଯାଇଛି। ଜଣେ ସାଧାରଣ ମଣିଷ ପାଟିରେ ଉଚ୍ଚାରଣ କରି ଏହି ସଙ୍ଗୀତ ଗାନ କରିବା ସମୟରେ, ଜଣେ ଶ୍ରବଣବାଧିତ ଏହାକୁ ସାଙ୍କେତିକ ଭାଷାରେ ବର୍ଣ୍ଣନା କରିପାରିବେ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ‘ଆଇନା’ର ସମ୍ପାଦିକା ସ୍ନେହା ମିଶ୍ର।

ସେ ଆଉ ମଧ୍ୟ କହିଛନ୍ତି ଯେ, “ସାଙ୍କେତିକ ଭାଷା ସମସ୍ତେ ଜାଣିବା ଦରକାର। ସେ କଳାକାର ହୁଅନ୍ତୁ କିମ୍ବା ଖେଳାଳି। ଏହି ଭାଷା ଜାଣିବା ଦ୍ୱାରା ଜଣେ ଶ୍ରବଣବାଧିତ ବ୍ୟକ୍ତିଙ୍କୁ ଯେକୌଣସି ଜିନିଷ ସମ୍ପର୍କରେ ଭଲ ଭାବରେ ବୁଝାଇ ହୋଇପାରିବ। ସାଙ୍କେତିକ ଭାଷା ସବୁ ସ୍ଥାନରେ ରହିବା ଦରକାର।”ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି ସଙ୍ଗୀତ ରାଜ୍ୟ ସଙ୍ଗୀତଭାବେ ଆଦୃତି ଲାଭ କରିଥିଲା। ଏହା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ହୋଇଛି। ୨୦୨୦ ମସିହାରେ ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲା।

‘ଆଇନା’ ଦ୍ୱାରା ପ୍ରସ୍ତୁତ ସଙ୍ଗୀତରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ସାମିଲ କରାଯାଇଛି। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସିରିୟଲର ଅଭିନେତା ଓ ଅଭିନେତ୍ରୀ ଅନୁ ଚୌଧୁରୀ, ସାତ୍ୟକି ମିଶ୍ର, ମନୋଜ ମିଶ୍ର, ମଧୁସ୍ମିତା ମହାନ୍ତି, ମମତା ନନ୍ଦ, ଶୁଭ୍ରାଂଶୁ ନାୟକ, ନିରଞ୍ଜନ ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହ ଓଡ଼ିଶାର ସ୍ୱନାମଧନ୍ୟ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଦୁତୀ ଚାନ୍ଦ, ଦିଲୀପ ତିର୍କୀ, ସାମାଜିକ କର୍ମୀ ଲେନିନ୍ ମହାନ୍ତି, ମୀରା ପରିଡ଼ା ଏବଂ ସଙ୍ଗୀତ ଜଗତର ଅଭିଜିତ୍ ମଜୁମଦାର, ବିଷ୍ଣୁ ମୋହନ କବି, ସୋହିନି ମିଶ୍ର ପ୍ରମୁଖ ସାଙ୍କେତିକ ଭାଷାରେ ଅଭିନୟ କରିଛନ୍ତି।“ପ୍ରଥମଥର ପାଇଁ ମୁଁ ସାଙ୍କେତିକ ଭାଷାରେ ଅଭିନୟ କରିଛି। ଏଥିପାଇଁ ମୁଁ ବହୁତ ଖୁସି। ମୋ ପାଇଁ ଫିଲ୍ମରେ ଅଭିନୟ କରିବା ଯେତିକି ସହଜ, ସାଙ୍କେତିକ ଭାଷାରେ ଅଭିନୟ କରିବା ସେତିକି କଷ୍ଟ ଥିଲା। ମତେ ବି ବହୁତ କିଛି ଶିଖିବାକୁ ମିଳିଲା। ଶ୍ରବଣବାଧିତ ପିଲାମାନଙ୍କଠାରୁ ତାଙ୍କ ଭାଷା ଶିଖିବା ମୋ ପାଇଁ ଅଧିକ ଆନନ୍ଦଦାୟକ ରହିଥିଲା। ଅଭିନେତ୍ରୀ ହିସାବରେ ମତେ ଏହି ସଙ୍ଗୀତ ଏକ ନୂଆ ଅଭିଜ୍ଞତା ଦେଇଛି”, କହିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ।

ଶ୍ରୀହର୍ଷ ମିଶ୍ର ଦୃଷ୍ଟି ଓ ଶ୍ରବଣ ବାଧିତ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପ୍ରସ୍ତୁତ କରାଯାଇଛି। ଦୃଷ୍ଟି ବାଧିତ ପିଲାମାନେ ଯେଭଳି ବ୍ରେଲି ମାଧ୍ୟମରେ ପାଠ ପଢିଥାନ୍ତି, ସେହିଭଳି ସାଙ୍କେତିକ ଭାଷା ଜରିଆରେ ଶ୍ରବଣବାଧିତ ପିଲାମାନେ ପାଠ ପଢ଼ିବା ସହ, ନିଜ ଭାବର ଆଦାନ ପ୍ରଦାନ ମଧ୍ୟ କରିଥାନ୍ତି।

Comment